ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହୋଇଛି ଉତ୍ତର ପ୍ରଦେଶ(ୟୁପି) ବିଧାନସଭା ନିର୍ବାଚନ ମହାସମର। ବିଧାନସଭା ୨୦୨୨ର ପ୍ରଥମ ଚରଣ ଭୋଟ ଗ୍ରହଣ ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୫୭.୭୯ ପ୍ରତିଶତ ଊର୍ଦ୍ଧ୍ଵ ମତଦାନ କରାଯାଇଛି। ମୋଟ ୧୧ଟି ଜିଲ୍ଲା ଆଗ୍ରା, ମଥୁରା, ଅଲିଗଡ଼, ମେରଠ, ଗାଜିଆବାଦ, ବୁଲନ୍ଦସର, ବାଗପତ, ହାପୁର, ମୁଜାଫରନଗର, ଶାମଲି ଏବଂ ଗୌତମ ବୁଦ୍ଧନଗର ଜିଲ୍ଲାରେ ମତଦାନ କରିଛନ୍ତି ଭୋଟର। ପଶ୍ଚିମ ୟୁପିର ୫୮ଟି ଆସନ ପାଇଁ ପ୍ରଥମ ଚରଣରେ ମୋଟ ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର।

ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସନ୍ଧ୍ୟା ୬ଟା ସୁଦ୍ଧା ୫୭.୭୯ ପ୍ରତିଶତ ଊର୍ଦ୍ଧ୍ଵ ମତଦାନ କରାଯାଇଛି। ମଥୁରା ଜିଲ୍ଲାର ମୋଟ ୧୩୦ଟି କେନ୍ଦ୍ରରେ ସନ୍ଧ୍ୟା ୬ଟା ସୁଦ୍ଧା ୫୮.୫୧ ପ୍ରତିଶତ ମତଦନ ହୋଇଛି। ସେହିପରି ମୁଜଫରନଗରରେ ସର୍ବାଧିକ ୬୨.୧୪ ପ୍ରତିଶତ ମତଦାନ କରାଯାଇଛି। ବାଗପତରେ ସନ୍ଧ୍ୟା ୬୧.୩୫ ପ୍ରତିଶତ ମତଦାନ ହୋଇଥିବାବେଳେ ବୁଲନ୍ଦସରରେ ୬୦.୫୧ ପ୍ରତିଶତ, ଗୌତମବୁଦ୍ଧନଗରରେ ୫୪.୭୭ ପ୍ରତିଶତ, ଗାଜିଆବାଦରେ ୫୪.୭୭ ପ୍ରତିଶତ, ହୁପୁଡରେ ୬୦.୫୦ ପ୍ରତିଶତ, ମେରଠରେ ୫୮.୫୨ ପ୍ରତିଶତ ଏବଂ ଶାମଲିରେ ୬୧.୭୮ ପ୍ରତିଶତ ଭୋଟରମାନେ ମତ ସାବ୍ୟସ୍ତ କରିଛନ୍ତି।

କୋଭିଡର ସମସ୍ତ ନିମୟ ପାଳନ ପୂର୍ବକ ୧୦,୮୫୩ଟି କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର। ୧୧ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଛି।

ନୋଏଡା ସେକ୍ଟର ୨୭ସ୍ଥିତ ମେରିଗୋଲ୍ଡ ପବ୍ଲିକ ସ୍କୁଲରେ ଆୟୋଜିତ ମତଦାନ କେନ୍ଦ୍ରକୁ ଯିବା ପୂର୍ବରୁ ପୋଲିସ କର୍ମଚାରୀମାନେ ଭୋଟରଙ୍କ ମୋବାଇଲ ଫୋନ ବନ୍ଦ କରିଦେଇଥିବା ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଗୁରୁବାର ୧୧ଟି ଜିଲ୍ଲାର ମୋଟ ୫୮ଟି ବିଧାନସଭା ଆସନ ଲାଗି ମତଦାନ ସରିଥିବାବେଳେ ଆସନ୍ତା ଫେବ୍ରୁଆରି ୧୪ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ, ୨୦ ତାରିଖରେ ତୃତୀୟ ପର୍ଯ୍ୟାୟ, ୨୩ ତାରିଖ ଚତୁର୍ଥ ପର୍ଯ୍ୟାୟ, ୨୭ ତାରିଖ ପଞ୍ଚମ ପର୍ଯ୍ୟାୟ, ମାର୍ଚ୍ଚ ୩ ତାରିଖ ଷଷ୍ଠ ପର୍ଯ୍ୟାୟ ଏବଂ ଓ ମାର୍ଚ୍ଚ ୭ ତାରିଖ ସପ୍ତମପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଆସନ୍ତା ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ନର୍ବାଚନ ଫଳାଫଳ ଘୋଷଣା କରାଯିବ।

Comment