ଡକ୍ଟର ଫକୀର ମୋହନ ନାହାକTelevision Katha Dr. Fakir Mohan Nayak

‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

୧୨ ଜୁଲାଇ ୨୦୦୨, ଆଷାଢ଼ ଶୁକ୍ଳ ଦ୍ୱିତୀୟା, ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। ଶ୍ରୀକ୍ଷେତ୍ରରୁ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଅଣ୍ଟା ଭିଡ଼ିଥିଲା ଈଟିଭି ଓଡ଼ିଆ। ସେତେବେଳକୁ ଚାନେଲର ଆୟୁଷ ମାତ୍ର ଛଅ ମାସ। ପ୍ରକୃତ ପକ୍ଷେ ସିଧାପ୍ରସାରଣ ନେଇ ସେମିତି କୌଣସି ବୈଷୟିକ ଅଭିଜ୍ଞତା ନଥିଲା ଏଥିରେ କାମ କରୁଥିବା ଟିମ୍ ପାଖରେ। ପୁରୀରେ ହେବ ରଥଯାତ୍ରା, ଷ୍ଟୁଡିଓ ହାଇଦ୍ରାବାଦରେ, ସିଧାପ୍ରସାରଣ ପାଇଁ ବାଚକମାନେ ରହିବେ ପୁରୀରେ, ସେମାନଙ୍କ ଧାରାବିବରଣୀକୁ ନିୟନ୍ତ୍ରଣ କରାଯିବ ହାଇଦ୍ରାବାଦର ଷ୍ଟୁଡିଓରୁ। ଏ ସମସ୍ତ ବୈଷୟିକ ପ୍ରକ୍ରିୟା ଆଜି ଯେ କୌଣସି ଚାନେଲ ଅତି ସହଜରେ କରିପାରୁଛନ୍ତି। ତାର କାରଣ ହେଉଛି, ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ବୈଷୟିକ ବିକାଶ। କିନ୍ତୁ କୋଡ଼ିଏ ବର୍ଷ ତଳେ ଟେକ୍ନୋଲଜି ଏତେ ସୁଦୃଢ଼ ନଥିଲା। ତଥାପି ଈଟିଭି ଓଡ଼ିଆ ସ୍ଥିର କରିଥିଲା ଏହି ବର୍ଷ ହିଁ ସିଧାପ୍ରସାରଣ ଆରମ୍ଭ କରିବା ପାଇଁ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସିଧାପ୍ରସାରଣ ଈଟିଭି ଓଡ଼ିଆ ପାଇଁ ପ୍ରଥମ ସୁଯୋଗ ଥିଲା। ତା’ ମାନେ ନୁହେଁ, ତା ପୂର୍ବରୁ ରଥଯାତ୍ରାର ସିଧାପ୍ରସାରଣ କରାଯାଇନାହିଁ।

ହଁ, ସରକାରୀ ଗଣମାଧ୍ୟମ ଭାବେ ଦୂରଦର୍ଶନ ୧୯୯୪ ମସିହାରୁ ରଥଯାତ୍ରାର ସିଧାପ୍ରସାରଣ ଆରମ୍ଭ କରିଥିଲା। ପ୍ରଥମ ଥର ଲାଗି ଦୂରଦର୍ଶନ ସହିତ ଈଟିଭି ଓଡ଼ିଆକୁ ବି ଏଥିପାଇଁ ଅନୁମତି ଦେଇଥିଲା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। ତେବେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସିଧାପ୍ରସାରଣ ଉପରେ କେବଳ ଏକମାତ୍ର ଅଧିକାର ଦୂରଦର୍ଶନ (ସର୍ବୋଚ୍ଚ ସଂସ୍ଥା ପ୍ରସାରଭାରତୀ) ପାଖରେ ରହିଛି ବୋଲି ଦୂରଦର୍ଶନର ତତ୍କାଳୀନ ମହାନିର୍ଦ୍ଦେଶକ ଏସ୍.ୱାଇ.କ୍ୟୁରେସି ତତ୍କାଳୀନ ମୁଖ୍ୟ ଶାସନ ସଚିବ ଡି.ପି. ବାଗଚୀଙ୍କୁ ଚିଠି ଲେଖି ଦାବି କରିଥିଲେ। ତା’ ପରେ ରଥଯାତ୍ରାର ମାତ୍ର ଦୁଇ ସପ୍ତାହ ପୂର୍ବରୁ ରାଜ୍ୟ ସରକାର ଈଟିଭି ଓଡ଼ିଆଠାରୁ ପୂର୍ବପ୍ରଦତ୍ତ ସିଧାପ୍ରସାରଣ ଲାଗି ଉଦ୍ଦିଷ୍ଟ ଅନୁମତିପତ୍ର ପ୍ରତ୍ୟାହାର କରିନେଇଥିଲେ। ହେଲେ ଏହାକୁ ଏତେ ସହଜରେ ଗ୍ରହଣ କରିନଥିଲା ଈଟିଭି। ସେ ସମୟରେ ଈଟିଭି ନ୍ୟୁଜ୍ ନେଟୱର୍କର ସମ୍ପାଦକୀୟ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ସମ୍ପାଦକ ଏସ୍.ଆର୍. ରାମାନୁଜନ୍ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସର୍ବେଶ୍ୱର ମହାନ୍ତିଙ୍କୁ ଏନେଇ ଏକ ପତ୍ର ଲେଖିଥିଲେ।

କେବଳ ସେତିକି ନୁହେଁ, ଈଟିଭିର ତତ୍କାଳୀନ ମୁଖ୍ୟପରିଚାଳକ କେ.ବାପି ନୀଡୁ ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ସମୟର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ, ଦୂରଦର୍ଶନର ମହାନିର୍ଦ୍ଦେଶକ ଏସ.ୱାଇ. କ୍ୟୁରେସି, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଏଥିରେ ପକ୍ଷଭୁକ୍ତ କରାଯାଇଥିଲା। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଏକ କାରଣଦର୍ଶାଅ ନୋଟିସ୍ ପଠାଇଥିଲେ କୋର୍ଟ। ରଥଯାତ୍ରା ଭଳି ଏକ ଧର୍ମୀୟ କାର୍ଯ୍ୟକ୍ରମ ଉପରେ ଦୂରଦର୍ଶନର କିଭଳି ଏକଚାଟିଆ ଅଧିକାର ରହିପାରିବ, ସେନେଇ ପ୍ରଶ୍ନ ଉଠାଇଥିଲେ। ଏ ସମସ୍ତ ଘଟଣାକ୍ରମ ଭିତରେ କିନ୍ତୁ, ଅଦାଲତଙ୍କ ହସ୍ତକ୍ଷେପ ମାଧ୍ୟମରେ ଶେଷରେ ଈଟିଭିକୁ ପ୍ରସାରଣ ପାଇଁ ଅନୁମତି ମିଳିଲା। ଯୁକ୍ତିଥିଲା ଏଇଆ ଯେ, ଯେତେ ଅଧିକ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସିଧାପ୍ରସାରଣ ହୋଇପାରିବ, ସେତେ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିବ ଶ୍ରୀଜଗନ୍ନାଥ ସଂସ୍କୃତି। ଅନ୍ୟପକ୍ଷରେ ସରକାର ଅନୁମତି ପ୍ରତ୍ୟାହାର କରିଥିବାରୁ ସେ ସମୟରେ ପୁରୀର ଜିଲ୍ଲାପାଳ ଦିଗମ୍ୱର ମହାନ୍ତି ଈଟିଭିର କ୍ୟାମେରା ଓ ଅନ୍ୟ ପ୍ରସାରଣ ଯନ୍ତ୍ରପାତି ନିୟୋଜନ ପାଇଁ ଅନୁମତି ଦେଇନଥିଲେ। ଶେଷରେ ରଥଯାତ୍ରାର ମାତ୍ର ଦୁଇ ଦିନ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଶେଷ ମୁହୂର୍ତ୍ତରେ ସଂଜୟ ପାଠକଙ୍କ ନେତୃତ୍ୱରେ ଈଟିଭି ଟିମ୍ ପୁରୀରେ ପହଞ୍ଚି ସିଧାପ୍ରସାରଣ ଲାଗି ନେଇଥିଲେ ଆବଶ୍ୟକ ପଦକ୍ଷେପ। ପୁରୀରୁ ଯେହେତୁ ସିଧାପ୍ରସାରଣ କରିବାର ଥିଲା, ତେଣୁ ସେଥିରେ କାଳେ କିଛି ବିଭ୍ରାଟ ଘଟିଯିବ ବା ବୈଷୟିକ ତ୍ରୁଟିବିଚ୍ୟୁତି ହେବ, ସେଥିପାଇଁ ହାଇଦ୍ରାବାଦରେ ହିଁ ଚାରିଜଣ ପ୍ରବଚକ ବା ବିଶେଷଜ୍ଞଙ୍କୁ ଷ୍ଟୁଡିଓରେ ରଖାଯାଇଥିଲା। ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ଶରତ ମହାପାତ୍ରଙ୍କ ସମେତ ଚାରିଜଣ ବିଶେଷଜ୍ଞ ଥିଲେ ଏହି ଟିମରେ। ଅତିଥିମାନଙ୍କୁ ଓଡ଼ିଶାରୁ ବିମାନ ଯୋଗେ ହାଇଦ୍ରାବାଦ ନିଆଯାଇଥିଲା। ତେବେ ଷ୍ଟୁଡିଓର ବୈଷୟିକ ନିର୍ଦ୍ଦେଶକୁ ବୁଝିବାରେ ସେହି ବୟସ୍କ ବିଶେଷଜ୍ଞମାନଙ୍କୁ କାଳେ ଅସୁବିଧା ହେବ ସେଥିପାଇଁ ସେଠାରେ ସୂତ୍ରଧର (Moderator)ଭାବେ ଦାୟିତ୍ୱ ତୁଲାଇଥିଲେ ଈଟିଭି ନ୍ୟୁଜ୍ ଡେସ୍କର ମୁଖ୍ୟ ନୀଳାମ୍ବର ରଥ।ସକାଳ ୭ଟା ଆମରି ଓଡ଼ିଶା ବୁଲେଟିନ୍ ଚାଲିଥାଏ। ଏପଟେ ବୁଲେଟିନ୍ ସରିବା ସଙ୍ଗେ ସଙ୍ଗେ ପୁରୀରୁ ସିଧାପ୍ରସାରଣ ଆରମ୍ଭ ହେବ। ଏଭଳି ସ୍ଥଳେ ପୁରୀରେ ମୁତୟନ କରାଯାଇଥିବା ଆଉଟ୍ ଡୋର୍ ବ୍ରଡକାଷ୍ଟିଂ ଭ୍ୟାନ୍ (OB Van) ତାର ଅଡିଓ ଭିଜୁଆଲ ସିଗନାଲ ପଠାଇବା ଆରମ୍ଭ କରିସାରିଥିଲା। ତେବେ ବୁଲେଟିନରୁ ସିଧାପ୍ରସାରଣକୁ ପରିବର୍ତ୍ତନ କଲାବେଳେ ମଝିରେ ଟ୍ରାନଜିସନ୍ ପ୍ଲେଟ୍ ଟିଏ ଦରକାର। ଏହି ଧାରଣା କାହାରି ପାଖରେ ନଥିଲା। ସେତେବେଳେ ଈଟିଭି ଓଡ଼ିଆ ନ୍ୟୁଜର ମୁଖ୍ୟ ଅମିତାଭ ଭଟ୍ଟାଶାଳି ହଠାତ୍ ପିସିଆର ଭିତରେ ଚିତ୍କାର କଲେ, ଟ୍ରାନଜିସନ୍ ପ୍ଲେଟ୍ ଦରକାର ନଚେତ ଟିଭିରେ ବ୍ଲାକ୍ ଫ୍ରେମ୍ ଯିବାର ଆଶଙ୍କା ରହିଛି (ଯେ କୌଣସି ଚାନେଲରେ ଗୋଟିଏ ସେକେଣ୍ଡ ପାଇଁ ବି ଯଦି ବ୍ଲାକ୍ ଫ୍ରେମ୍ ଯାଏ, ତାହେଲେ ତାକୁ ଏକ ପ୍ରସାରଣଗତ ବିଫଳତା ରୂପେ ଗ୍ରହଣ କରାଯାଏ)। ଏ ଲେଖକ ସଙ୍ଗେ ସଙ୍ଗେ ନ୍ୟୁଜଡେସ୍କରେ “ପୁରୀରୁ ସିଧାପ୍ରସାରଣ” ଲେଖାଥିବା ଏକ ଟ୍ରାନଜିସନ୍ ପ୍ଲେଟ୍ ଗ୍ରାଫିକ୍ସ ଡିଜାଇନର ସହାୟତାରେ ପ୍ରସ୍ତୁତ କରି ପିସିଆରକୁ ଜଣାଇଥିଲା।ସବୁ ଉତ୍କଣ୍ଠାର ଅବସାନ ଘଟାଇ ଶେଷରେ ଈଟିଭି ପରଦାରେ ଦୃଶ୍ୟମାନ ହେଲା ଶ୍ରୀକ୍ଷେତ୍ରରୁ ଶ୍ରୀମନ୍ଦିର ଚୂଡ଼ାରେ ଥିବା ନୀଳଚକ୍ର ଓ ପତିତପାବନ ପତାକା। ତା ସାଙ୍ଗକୁ ଭାସି ଆସିଲା ପ୍ରବଚକଙ୍କ ଧାରାବିବରଣୀ। ତା’ ପରେ ସବୁ କିଛି ଇତିହାସ। ଘରୋଇ ଟେଲିଭିଜନରେ ସେଦିନଠୁ ଆରମ୍ଭ ହୋଇଥିବା ସିଧାପ୍ରସାରଣର ଧାରା ଆଜି ବି ଅବ୍ୟାହତ ରହିଛି। ଏବେ ରାଜ୍ୟର ଅଧିକାଂଶ ଟେଲିଭିଜନ ଚାନେଲ ରଥଯାତ୍ରାର ସିଧାପ୍ରସାରଣ କରୁଛନ୍ତି। କିନ୍ତୁ ଗତ ଦୁଇବର୍ଷ ହେଲା ବିଶ୍ୱମହାମାରୀର କଟକଣା ଯୋଗୁଁ, କେବଳ ଦୂରଦର୍ଶନକୁ ଏହି ମହାର୍ଘ ସୁଯୋଗ ମିଳିଥିଲା ବେଳେ, ସେଠାରୁ ଅନ୍ୟ ସମସ୍ତ ଘରୋଇ ଚାନେଲ ଫିଡ୍ ନେଇ ନିଜ ଚାନେଲରେ ସିଧାପ୍ରସାରଣ କରୁଛନ୍ତି।

ଈଟିଭିରେ ପ୍ରଥମ ଥର ପାଇଁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସିଧାପ୍ରସାରଣ ଲାଗି ପୁରୀରେ ଏହାର ଦାୟିତ୍ୱ ନେଇଥାନ୍ତି ସଂଜୟ ପାଠକ। ତେଣେ ବୈଷୟିକ ବ୍ୟବସ୍ଥା ଦେଖୁଥାନ୍ତି ବରିଷ୍ଠ ବ୍ରଡକାଷ୍ଟ ଇଞ୍ଜିନିୟର ଅକ୍ଷୟ ମହାନ୍ତି। ଏଣେ ହାଇଦ୍ରାବାଦରେ ଏହି ଦାୟିତ୍ୱ ସମ୍ଭାଳିଥାନ୍ତି ଅମିତାଭ ଭଟ୍ଟାଶାଳି। ପ୍ରୋଗ୍ରାମିଂ ଟିମରେ ସିଧାପ୍ରସାରଣ ଏବଂ ପିସିଆର ପରିଚାଳନାର ଅଭିଜ୍ଞତା ଅଭାବ କାରଣରୁ ଈଟିଭିର ପ୍ରଥମ ପାନେଲ ପ୍ରଡ୍ୟୁସର ବିଜୟକ୍ରିଷ୍ଣା ଏହାକୁ ସମ୍ଭାଳୁଥାନ୍ତି। ରଥଯାତ୍ରାର ପ୍ରଥମ ସିଧାପ୍ରସାରଣର ରୋମାଞ୍ଚ ଆଜି ବି ଅନୁଭବ ହେଉଛି। ଶ୍ରୀଜଗନ୍ନାଥ ସଂସ୍କୃତିର ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ଦିଗରେ ଓଡ଼ିଶାର ଟେଲିଭିଜନ ଚାନେଲ ସବୁ ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଏହାକୁ ସଫଳ କରାଇଛନ୍ତି। ଟେଲିଭିଜନ ଓ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଆଉ ଏକ ଅଧ୍ୟାୟରେ ପରବର୍ତ୍ତୀ ସମୟରେ ସବିଶେଷ ଆଲୋଚନା କରିବା।

କେବଳ ରଥଯାତ୍ରାର ସିଧାପ୍ରସାରଣରେ ସୀମିତ ରହିନଥିଲା ଈଟିଭି। ବରଂ ଏହିଠାରୁ ହିଁ ଆରମ୍ଭ ହୋଇଥିଲା ସିଧାପ୍ରସାରଣର ପରମ୍ପରା। ଧୀରେ ଧୀରେ ଏହି ଧାରାରେ ସାମିଲ ହୋଇଥିଲା ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଏବଂ ନୀଳାଦ୍ରିବିଜେର ସିଧାପ୍ରସାରଣ। ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ମଥୁରା ଓ ବୃନ୍ଦାବନ ସମେତ ଦ୍ୱାରକାରୁ ସିଧାପ୍ରସାରଣ କରିଥିଲା ଈଟିଭି। ଏପରିକି ଅହମ୍ମଦାବାଦର ସୁଦୀର୍ଘ ରଥପଥରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସିଧାପ୍ରସାରଣ ବି ଥିଲା ଓଡ଼ିଆ ଦର୍ଶକଙ୍କ ପାଇଁ ଏକ ବିରଳ ଓ ଅବିସ୍ମରଣୀୟ ମୁହୂର୍ତ୍ତ। ସେହିଭଳି କର୍ଣ୍ଣାଟକର ଶ୍ରବଣ ବେଳାଗୋଳାଠାରେ ପ୍ରତି ବାର ବର୍ଷରେ ଥରେ ଅନୁଷ୍ଠିତ ମହାମସ୍ତକାଭିଷେକ ଭଳି ଏକ ଦୁର୍ଲ୍ଲଭ ମହୋତ୍ସବର ସିଧାପ୍ରସାରଣ କରିଛି ଈଟିଭି। ଜୈନଧର୍ମର ଏହି ମହାନପର୍ବରେ ବାହୁବଳୀ ଗୋମତେଶ୍ୱରଙ୍କ ୫୭ ଫୁଟ୍ ଉଚ୍ଚତା ବିଶିଷ୍ଟ ଗୋଟିଏ ପଥରରେ ନିର୍ମିତ ଏକ ବିଶାଳକାୟ ଦିଗମ୍ବର ପ୍ରତିମାକୁ ଅଭିଷେକ କରାଇବାର ପରମ୍ପରା ରହିଛି। ଏହାର ସିଧାପ୍ରସାରଣ ଫଳରେ ସେତେବେଳେ ଓଡ଼ିଶାର ଦର୍ଶକମାନେ ଏମିତି ଏକ ବିରଳ ପର୍ବ ସମ୍ପର୍କରେ ଅବଗତ ହୋଇପାରିଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ ଈଟିଭି ଓଡ଼ିଆର ଆଉ ଏକ ଐତିହାସିକ ପଦକ୍ଷେପ ଥିଲା କେନ୍ଦ୍ର ବଜେଟ୍, ରେଳବାଇ ବଜେଟ୍ ସାଙ୍ଗକୁ ରାଜ୍ୟ ବଜେଟର ସିଧାପ୍ରସାରଣ। ପାର୍ଲାମେଣ୍ଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କଲାବେଳେ, ତାର ସିଧାପ୍ରସାରଣ କରିବା ସହିତ, ଗ୍ରାଫିକ୍ସ ମାଧ୍ୟମରେ ବଜେଟର ମୁଖ୍ୟାଂଶ ଉପସ୍ଥାପନ କରିଥିଲା ଈଟିଭି। କେବଳ ସେତିକି ନୁହେଁ, ବରିଷ୍ଠ ସାମ୍ବାଦିକ ନାଗେଶ୍ୱର ପଟ୍ଟନାୟକ, ଅର୍ଥନୀତି ବିଶେଷଜ୍ଞ ପ୍ରଫେସର ଭାଗବତ ପାତ୍ରଙ୍କ ଭଳି ବିଶେଷଜ୍ଞମାନଙ୍କୁ ଓଡ଼ିଶାରୁ ହାଇଦ୍ରାବାଦ ନେଇ ବଜେଟ୍ ସମ୍ପର୍କିତ ଆଲୋଚନା ଓ ବିଶ୍ଳେଷଣରେ ସାମିଲ କରାଇଥିଲା ଈଟିଭି। ଅନୁରୂପ ଭାବେ ପ୍ରଥମ ଥର ପାଇଁ ୨୦୦୪ ମସିହାରେ ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ବଜେଟ୍ ଉପସ୍ଥାପନର ସିଧାପ୍ରସାରଣ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇଥିଲା ଈଟିଭି। ଏହାସହ କେନ୍ଦ୍ରୀୟ ଢାଞ୍ଚାରେ ବିଧାନସଭା ଅଧିବେଶନ ବେଳେ ପ୍ରତିଦିନର ପ୍ରଶ୍ନକାଳକୁ ସିଧାପ୍ରସାରଣ କରିବାର ପରମ୍ପରା ଆରମ୍ଭ କରିଥିଲା ଈଟିଭି ଓଡ଼ିଆ। ଏହାସହ ପ୍ରତିଦିନ ବିଧାନସଭା ପରିସରରୁ ଈଟିଭି ପ୍ରତିନିଧି ଅପୂର୍ବ ମହାନ୍ତି ଏବଂ ମନୋରଞ୍ଜନ ମିଶ୍ର ନିୟମିତ ଭାବେ “ଆଜିର ବିଧାନସଭା” ଶୀର୍ଷକ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥାନ୍ତି।ଏହା ବ୍ୟତୀତ ୨୦୦୪ ମସିହାରେ ଯେତବେଳେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଦ୍ୱିତୀୟ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା, ସେତେବେଳେ ନିର୍ବାଚନ ଭୋଟ୍ ଗଣତି ବା ଫଳାଫଳ ଘୋଷଣାର ସିଧାପ୍ରସାରଣ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲା ଈଟିଭି। ଏଥିପାଇଁ ସେତେବେଳେ ଓଡ଼ିଶାରୁ ବିଶେଷଜ୍ଞ ତଥା ରାଜନୈତିକ ସମୀକ୍ଷକ ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କୁ ଈଟିଭି ମୁଖ୍ୟାଳୟ ହାଇଦ୍ରାବାଦର ରାମୋଜୀ ଫିଲ୍ମସିଟିକୁ ନେଇଥିଲା ଈଟିଭି ଓଡ଼ିଆ। ରାଜ୍ୟ ଟେଲିଭିଜନ ଇତିହାସରେ ଏହା ଥିଲା ପ୍ରଥମ ଘଟଣା। ସେହିବର୍ଷ ପ୍ରଥମ ଥର କରି ଟେଲିଭିଜନରେ ଗ୍ରାଫିକ୍ସ ପରିଚାଳନା ପାଇଁ ଏକ ନୂଆ ସଫଟୱେୟାର ପ୍ରବେଶ କରିଥିଲା। ତାହା ଥିଲା ଭିଜାର୍ଟ (Vizrt)। ଅବଶ୍ୟ ପ୍ରଥମ ଥର ପାଇଁ ଈଟିଭି ନେଟୱର୍କ ଏହାକୁ ବ୍ୟବହାର କରୁଥିବାରୁ ଏହାର ସର୍ଭର କେତେ ଭାର ନେଇପାରିବ, ତାକୁ ନେଇ ଉଭୟ ଏହାକୁ ପରିଚାଳନା କରୁଥିବା ଇଂଜିନିୟର ଏବଂ ସମ୍ପାଦକୀୟ ଟିମ୍ ଅନଭିଜ୍ଞ ଥିଲେ। ଏହାସହ ସେଥର ଉଭୟ ପାର୍ଲାମେଣ୍ଟ ଲାଗି ସାଧାରଣ ନିର୍ବାଚନ ଏବଂ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟର ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେଉଥିବାରୁ ସର୍ଭର ଉପରେ ଚାପ ପଡ଼ିଥିଲା। ସିଧାପ୍ରସାରଣର ମାତ୍ର କିଛି ସମୟ ଭିତରେ ସର୍ଭର ବିଫଳ ହୋଇଥିଲା।

ତେବେ ଏହାଥିଲା ଏକ ବଡ଼ଧରଣର ପରୀକ୍ଷଣ। ତେଣୁ ଏହି ବିଫଳତା ନିର୍ବାଚନ ପରିଚାଳନା ଦିଗରେ ଈଟିଭିକୁ ଅଧିକ ବଳିଷ୍ଠ ହେବା ପାଇଁ ପ୍ରେରଣା ଦେଇଥିଲା। ନିର୍ବାଚନ ଫଳାଫଳ ସଂଗ୍ରହ ପାଇଁ ଉଭୟ ଭୋଟ୍ ଗଣତି କେନ୍ଦ୍ର ଓ ଟେଲିଭିଜନ୍ ସେଣ୍ଟରରେ ବ୍ୟାପକ ବ୍ୟବସ୍ଥା ହୋଇଥିବା କାରଣରୁ ଫଳାଫଳ ସମ୍ପର୍କିତ ଖବର ସଂଗ୍ରହରେ କୌଣସି ଅସୁବିଧା ନଥିଲା। କିନ୍ତୁ ଭିଜାର୍ଟ ବିଫଳ ହେବା ଫଳରେ ପୁଣି ଥରେ ପାରମ୍ପରିକ ସିଜି ସ୍କ୍ରଲ୍ ଓ ଅଫ୍ ଲାଇନ୍ ଗ୍ରାଫିକ୍ସ ପ୍ଲେଟ୍ ମାଧ୍ୟମରେ ଫଳାଫଳ ଅପଡେଟ୍ କରିବାକୁ ପଡ଼ିଥିଲା। ଏହାଥିଲା ଟେଲିଭିଜନରେ ସବୁଠୁ ବଡ଼ କ୍ରାଇସିସ୍ ମ୍ୟାନେଜମେଣ୍ଟ ବା ବିପର୍ଯ୍ୟୟ ପରିଚାଳନା। ପ୍ରଥମ ବିଫଳତା ପରବର୍ତ୍ତୀ ସଫଳାତର ଶୃଙ୍ଖଳ ପାଇଁ ପରିଷ୍କାର କରିଥିଲା ପଥ। ହାଇଦ୍ରାବାଦ ଷ୍ଟୁଡିଓରେ ନିର୍ବାଚନ ଫଳାଫଳକୁ ଉପସ୍ଥାପନ କରୁଥିଲେ ଅର୍ଦ୍ଧେନ୍ଦୁ ଦାସ, ବିଭୂତି ବିଶ୍ୱାଳ ଓ ମୃଣାଳକାନ୍ତି ନନ୍ଦ। ଏପଟେ ଭୁବନେଶ୍ୱର ଷ୍ଟୁଡିଓରେ ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକ ସମ୍ଭାଳିଥିଲେ ଗଡ଼। ଈଟିଭିର ଭୁବନେଶ୍ୱର ଷ୍ଟୁଡିଓରେ ବିଭିନ୍ନ ରାଜନୈତିକ ଦଳର ମୁଖପାତ୍ର ଓ ନେତାମାନଙ୍କ ସମତେ ରାଜନୈତିକ ସମୀକ୍ଷକମାନେ ସାମିଲ ହେଉଥିଲା ବେଳେ ହାଇଦ୍ରାବାଦରେ ନିର୍ବାଚନୀ କାର୍ଯ୍ୟକ୍ରମକୁ ସମ୍ଭାଳି ନେଇଥିଲେ ବରିଷ୍ଠ ସାମ୍ବାଦିକ ରବି ଦାସ।ବିସ୍ତୃତ ନିର୍ବାଚନ କଭରେଜ୍ ଏବଂ ଭୋଟ୍ ଗଣତି ସମୟରେ ଫଳାଫଳକୁ ତ୍ୱରିତ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲା ଈଟିଭି। କେବଳ ସେତିକି ନୁହେଁ, ବିଶ୍ୱ ଟେଲିଭିଜନ୍ ଇତିହାସର ଏକ ବିରଳ ତଥା ସର୍ବପ୍ରଥମ ପରୀକ୍ଷଣ କରିବାରେ ଦିଗଦର୍ଶକ ଥିଲା ଈଟିଭି ଓଡ଼ିଆ। ସେ ସମ୍ପର୍କରେ ଆଲୋଚନା କରିବା ଆଗାମୀ ଅଧ୍ୟାୟରେ।(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Comment