ଓଡ଼ିଶାଲାଇଭ ବ୍ୟୁରୋ

ୟୁକ୍ରେନରେ ଫଶି ରହିଥିବା ଭାରତୀୟଙ୍କୁ ଅପରେସନ ଗଙ୍ଗା ଜରିଆରେ ଉଦ୍ଧାର କରି ଦେଶକୁ ଅଣାଯାଉଛି। ଏହି ଅଭିଯାନରେ ୟୁକ୍ରେନରେ ଡାକ୍ତରୀ ପାଠପଢ଼ିବାକୁ ଯାଇଥିବା ଛାତ୍ରଛାତ୍ରୀ ମଧ୍ୟ ଦେଶକୁ ଫେରିଛନ୍ତି। ଭାରତୀୟ ବାୟୁ ସେନାର ପ୍ରଥମ ସି-୧୭ ଗ୍ଲୋବମାଷ୍ଟର ବିମାନ ରୋମାନିଆରୁ ଭାରତ ଫେରିଛି। ଏହି ବିମାନରେ ପ୍ରାୟ ୨୦୦ ଭାରତୀୟ ନାଗରିକ ଫେରିଛନ୍ତି। ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ବିମାନ ତା’ର ହୋମ ବେସ୍ ହିଣ୍ଡନରେ ଅବତରଣ କରିଛି। ସି-୧୭ ଗ୍ଲୋବମାଷ୍ଟରରେ ଆସିଥିବା ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ହିଣ୍ଡନ ଏୟାରବେସରେ ପହଞ୍ଚିଥିଲେ।

ନ୍ୟୁଜ୍ ଏଜେନ୍ସି ଏଏନଆଇର ସୂଚନା ଅନୁସାରେ ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି କି, ୟୁକ୍ରେନର ପଡୋଶୀ ଦେଶକୁ ଚାରି ଜଣ ମନ୍ତ୍ରୀ ପଠାଇଛନ୍ତି। ଯେ ପର୍ଯ୍ୟନ୍ତ ଭାରତୀୟ ନାଗରିକ ସେଠାରୁ ଆସିନାହାନ୍ତି ସେ ପର୍ଯ୍ୟନ୍ତ ବାୟୁ ସେନାର ବିମାନ ଉଦ୍ଧାର କାର୍ଯ୍ୟ ଜାରି ରଖିବ। ଏହା ସହ ସେ ଆହୁରି କହିଛନ୍ତି ଯେ, ଭାରତ ସରକାର ୟୁକ୍ରେନରେ ଫସିଥିବା ନାଗରିକଙ୍କ ପାଇଁ ଖାଦ୍ୟ, ଔଷଧ, କପଡ଼ା ଓ କମ୍ବଳର ବ୍ୟବସ୍ଥା ମଧ୍ୟ କରିଛି।

ସେହିପରି ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ମଧ୍ୟ ମୁମ୍ବାଇରେ ପହଞ୍ଚିଛି। ଏହି ବିମାନରେ ୧୮୩ ଭାରତୀୟ ମୁମ୍ବାଇରେ ପହଞ୍ଚିଛି। ଏହି ବିମାନ ଆସିବା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଟ୍ୱିଟ୍ କରି ସୂଚନା ଦେଇଥିଲେ କି ଭାରତୀୟ ବାୟୁସେନା ସମେତ ୯ ବିମାନ ଆଜି ହେଙ୍ଗରୀ, ରୋମାନିଆ ଓ ପୋଲାଣ୍ଡରୁ ଦିଲ୍ଲୀ ପହଞ୍ଚିବେ। ଏହା ବ୍ୟତୀତ ଆଉ ୬ଟି ବିମାନ ମଧ୍ୟ ଖୁବ ଶୀଘ୍ର ଭାରତରେ ପହଞ୍ଚିବ। ସେ ଟ୍ୱିଟରେ କହିଛନ୍ତି କି, ଏବେ ଆଉ ୩ ହଜାର ଭାରତୀୟଙ୍କୁ ୟୁକ୍ରେନରୁ ଆଣିବା ବାକି ରହିଛି।

Comment