ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଖୋଲିବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। ୩ରୁ ୬ ବର୍ଷର ଶିଶୁମାନଙ୍କ ପାଇଁ ସକାଳ ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହିବ। ଏ ନେଇ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ବିଭାଗୀୟ ସଚିବ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି।

କେନ୍ଦ୍ର ଖୋଲିବା ପୂର୍ବରୁ ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ସାନିଟାଇଜ କରାଯିବା ସହ କେନ୍ଦ୍ର ପରିସରକୁ ପରିସ୍କାର ପରିଚ୍ଛନ୍ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଙ୍ଗନବାଡି କେନ୍ଦ୍ରକୁ ଆସିବା ପୂର୍ବରୁ ଅଙ୍ଗନବାଡି କର୍ମୀମାନଙ୍କର ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି। କୌଣସି କାରଣରୁ କେନ୍ଦ୍ର ବନ୍ଦ ରହିଲେ ସେହି କେନ୍ଦ୍ରର ପିଲାମାନଙ୍କୁ ରାସନ ସାମଗ୍ରୀ ସେମାନଙ୍କ ଘରେ ଯୋଗାଇବାର ବ୍ୟବସ୍ଥା କରାଯିବ। ଘରେ ଘରେ ଅରୁନିମା ଓ କୁନି କ୍ୟାଲେଣ୍ଡର ପିଲାମାନଙ୍କୁ ପ୍ରଦାନ କରାଯିବ।

ଅଙ୍ଗନବାଡି କେନ୍ଦ୍ର ଖୋଲିବା ପରେ ପ୍ରତିଦିନ ଶିଶୁମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ। ପୁଷ୍ଟିକର ଖାଦ୍ୟ ଦିଆଯିବ ଏବଂ ସ୍ଵାସ୍ଥ୍ୟଗତ ଶିକ୍ଷା ଦିଆଯିବ। ସକାଳ ଜଳଖିଆ ସହ ଶିଶୁମାନଙ୍କ ପାଇଁ ଗରମ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯିବ।

କୋଭିଡ ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ଅଙ୍ଗଳବାଡି କେନ୍ଦ୍ରଗୁଡ଼ିକୁ ରାଜ୍ୟ ସରକାର ବନ୍ଦ କରିଥିଲେ। ଏହି ସମୟ ମଧ୍ୟରେ ୩ରୁ ୬ ବର୍ଷର ଶିଶୁଙ୍କୁ ଘରେ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଥିଲା। ଏହା ସହ ଗର୍ଭବତୀ ମହିଳା ଏବଂ ଜନ୍ମିତ ଶିଶୁଙ୍କ ପାଇଁ ମଧ୍ୟ ପୋଷଣ ଯୁକ୍ତ ଖାଦ୍ୟ ଘରେ ଘରେ ପହଞ୍ଚା ଯାଉଥିଲା।

Tags: #AnganwadiCentre #Covid19 #CoronaVirus #StateGovt #AnganwadiCentreReopen

Comment