ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ଓଡ଼ିଶା ତଥା ଦେଶ ବିଦେଶରେ ରହୁଥିବା ଓଡ଼ିଆମାନେ ଧୂମଧାମରେ ପାଳନ କରିଥାନ୍ତି ଏହି ଦିନଟିକୁ। ପଣା ସଂକ୍ରାନ୍ତିଠାରୁ ବସନ୍ତ ଋତୁର ଶେଷ ଏବଂ ଗ୍ରୀଷ୍ମ ଋତୁର ଆଗମନ ହୋଇଥାଏ।

ପଣା ସଂକ୍ରାନ୍ତି ଅବସରରେ ଏକ ମାଟି ମାଠିଆରେ ଛୋଟ କଣା କରାଯାଇ ସେଥିରେ ପଣା ରଖାଯାଏ। ଏହି ପଣା ମାଠିଆକୁ ତୁଳସୀ ଚଉରା ଉପରେ ବନ୍ଧାଯାଏ। ମାଠିଆଟିକୁ ଏପରି ଭାବେ ବନ୍ଧା ଯାଏ ଯେମିତି ଟୋପାଏ ଟୋପାଏ ପଣା ତୁଳସୀ ଗଛ ଉପରେ ପଡ଼ିବ।

କେବଳ ଏତିକି ନୁହେଁ ବିଭିନ୍ନ ଦେବୀ ମନ୍ଦିରଗୁଡ଼ିକରେ ମହାବିଷୁବ ସଂକ୍ରାନ୍ତି ଦିନ ଝାମୁ ଯାତ୍ରା ପାଳନ କରାଯାଏ। ଖୋର୍ଦ୍ଧା ଜିଲ୍ଲା ଚିଲିକା ମଧ୍ୟରେ ଅବସ୍ଥିତ ମା’ କାଳିଜାଈଙ୍କ ପୀଠରେ ଧୂମଧାମର ସହ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଳନ କରାଯାଏ। ଏହି ଅବସରରେ ମା’ କାଳିଜାଈଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଜମେ। କୋଭିଡ଼ କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ନିରାଡ଼ମ୍ବରରେ ମା’ଙ୍କ ପୀଠରେ ପଣା ସଂକ୍ରାନ୍ତି ପାଳନ କରାଯାଇଥିଲା। ରାଜ୍ୟରେ କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷ ଆଡ଼ମ୍ବର ସହକାରେ ଉତ୍ସବ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।

ଏହା ସହ କଟକ ଚଣ୍ଡୀ ମନ୍ଦିର, ଯାଜପୁରର ବିରଜା ମନ୍ଦିର, ସମ୍ବଲପୁରର ସମଲେଶ୍ଵରୀ ମନ୍ଦିର ଏବଂ ଗଞ୍ଜାମର ତାରାତାରିଣୀ ପୀଠରେ ମଧ୍ୟ ବଡ଼ ଆକରରେ ଉତ୍ସବ ପାଳନ କରାଯାଉଥିବାରୁ ଭକ୍ତଙ୍କ ଭିଡ଼ ଜମେ।

ଉତ୍ତର ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତିକୁ ଚଡ଼କ ପର୍ବ ବୋଲି ମଧ୍ୟ କୁହାଯାଏ। ଦକ୍ଷିଣ ଓଡ଼ିଶାରେ ପଣା ସଂକ୍ରାନ୍ତି ଅବସରରେ ଦଣ୍ଡନାଥ ଉତ୍ସବ ଅନୁଷ୍ଠିତ ହୋଇଥାଏ। ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରାରମ୍ଭ ବୋଲି ଗ୍ରହଣ କରାଯାଏ। ଓଡ଼ିଆ ଲୋକମାନେ ଏହି ଦିନ ଦେବଦେବୀଙ୍କଠାରେ ସ୍ଵତନ୍ତ୍ର ପୂଜାବିଧି, ଭୋଗ ଏବଂ ହୋମ ଯଜ୍ଞ ଆଦି କରିଥାନ୍ତି।

ମହାବିଷୁବ ସଂକ୍ରାନ୍ତିରେ ମହାବୀର ହନୁମାନଙ୍କ ଜନ୍ମ ହୋଇଥିଲା। ବିଭିନ୍ନ ରାମ ମନ୍ଦିର ଏବଂ ହନୁମାନ ମନ୍ଦିରଗୁଡ଼ିକରେ ମଧ୍ୟ ଏହି ଅବସରରେ ଆଡ଼ମ୍ବର ସହକାରେ ହନୁମାନ ଜୟନ୍ତୀ ପାଳନ କରାଯାଏ।

ବେଲ, ଆମ୍ବ, ଗୁଡ଼, ନଡ଼ିଆ ତଥା ବିଭିନ୍ନ ଫଳ ଆଦି ପକାଇ ପଣା ପ୍ରସ୍ତୁତ କରାଯାଏ। ଠାକୁରଙ୍କଠାରେ ପଣା ଭୋଗ କରାଯିବା ସହ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଏବଂ ପଡୋଶୀଙ୍କୁ ପଣା ବଣ୍ଟନ କରାଯାଏ। ପଣା ସଂକ୍ରାନ୍ତିଠାରୁ ବୃକ୍ଷ ଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିକୁ ଜଳ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଇଥାଏ।

Tags: #MahavisubhaSankranti #OdiaNewYear #PanaSankranti #HanumanJayanti

Comment