ଡକ୍ଟର ଫକୀର ମୋହନ ନାହାକ

Television Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ସେ ଟେଲିଭିଜନ ହେଉ ବା ଖବରକାଗଜ କିମ୍ବା ଆଜିର ଡିଜିଟାଲ ମିଡିଆର ଦୁନିଆ। ପ୍ରାୟ ଅଧିକାଂଶ ଗଣମାଧ୍ୟମରେ ଆମକୁ ମିଳୁଥିବା ତଥ୍ୟ ଏବଂ ଖବର ଅନେକ ସମୟରେ ଆମକୁ ବ୍ୟଥିତ କରୁଛି। ଅନେକାଂଶରେ ହତ୍ୟା, ଲୁଣ୍ଠନ, ଧର୍ଷଣ, ରାଜନୈତିକ ଅପରାଧ, ଅର୍ଥନୈତିକ ଅପରାଧ, ପରକୀୟା ପ୍ରୀତି, କିଳାପୋତେଇ, ଅନୈତିକ କାର୍ଯ୍ୟ ଆଦି ସମ୍ପର୍କିତ ଖବର ପ୍ରତିମୁହୂର୍ତ୍ତରେ ଗଣମାଧ୍ୟମକୁ ପୋତି ପକାଉଛନ୍ତି। ଏସବୁ ଖବର ଦେଖି ବା ପଢ଼ି ଜଣେ ସାଧାରଣ ଦର୍ଶକ, ପାଠକ ବ୍ୟତିବ୍ୟସ୍ତ ହୋଇପଡୁଛି। କେବଳ ସେଥିପାଇଁ ବୋଧେ ଟେଲିଭିଜନରେ ଷ୍ଟାଣ୍ଡ୍ ଅପ୍ କମେଡି ବା ହାସ୍ୟରସାତ୍ମକ ବା ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମ ପ୍ରତି ଲୋକମାନଙ୍କ ଆଗ୍ରହ ବଢୁଛି ଏବଂ ସେହି ସବୁ କାର୍ଯ୍ୟକ୍ରମ ଅଧିକରୁ ଅଧିକ ଲୋକପ୍ରିୟତା ହାସଲ କରୁଛି। ନିତିଦିନିଆ ଜୀବନର ଧାଁ ଦଉଡ଼ ଭିତରୁ କିଛି ସମୟ ଫୁରୁସତ୍ ମିଳିଲେ ମଣିଷ ଟିକିଏ ଶାନ୍ତିରେ ନିଃଶ୍ୱାସ ନେବାକୁ ଚାହୁଁଛି ବା ମନ ହାଲୁକା କରିବାକୁ ଆଗ୍ରହ ପ୍ରକାଶ କରୁଛି। ଏହି ସମୟରେ ମାନବାଗ୍ରହୀ ବା ହ୍ୟୁମାନ ଇଣ୍ଟେରେଷ୍ଟ ଷ୍ଟୋରି ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ ହେବା ସ୍ୱାଭାବିକ।

ରାତାରାତି ବଢ଼ି ଚାଲିଥିବା ଟେଲିଭିଜନ ଚାନେଲ ସଂଖ୍ୟାର ଭିଡ଼ ଏବଂ ଖବର ନାଁରେ ଯାହାତାହା ପରିବେଷଣ କରି, ତାର ଅତିରଞ୍ଜନ କରିବାର ଯୁଗ ଆରମ୍ଭ ହେବାଟା ହୁଏତ ଗତ ୮ରୁ ୧୦ ବର୍ଷର କଥା। ତା ପୂର୍ବରୁ ତଥ୍ୟ ଓ ଖବର ଅତିରଞ୍ଜିତ କରି ପରିବେଷଣ କରିବା ବା ନାଟକୀୟ ଶୈଳୀରେ ପରିବେଷଣ କରିବା ଧାରା ନଥିଲା। ସକାଳୁ ଦିନ ଆରମ୍ଭ ହେଲା ବେଳକୁ ଟେଲିଭିଜନ ପରଦାରେ ଯେତେବେଳେ କିଛି ମନଛୁଆଁ ଖବର ମନକୁ ଛୁଇଁଗଲା ଭଳି ଶୈଳୀରେ ଉପସ୍ଥାପନ କରାଯାଏ, ତାହା ଦର୍ଶକର ମନକୁ ଖୁସି କରିଦେଇଥାଏ। ଆଜିକାଲିର ଜାତୀୟ ଓ ଆଞ୍ଚଳିକ ଟେଲିଭିଜନ ଚାନେଲରେ ସକାଳୁ ସକାଳୁ ଏମିତି କିଛି ବୁଲେଟିନ୍ ବା କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। କିନ୍ତୁ ଏହି ଧାରା ଆରମ୍ଭ ହେବା ପୂର୍ବରୁ ଈଟିଭି ପ୍ରସ୍ତୁତ କରୁଥିଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଯାହାର ନାଁ ଥିଲା ‘ହେଲୋ ଇଣ୍ଡିଆ’। କହିବାକୁ ଗଲେ, ଦେଶରେ ଏଭଳି କାର୍ଯ୍ୟକ୍ରମର ଧାରା ସୃଷ୍ଟି କରିଥିଲା ‘ହେଲୋ ଇଣ୍ଡିଆ’। ପ୍ରତ୍ୟେକ କଥାକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବା ଏବଂ ତାକୁ ସେହି ଅନୁସାରେ ଉପସ୍ଥାପନ କରିବା ଥିଲା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ହିନ୍ଦୀ ସମେତ ଓଡ଼ିଆ, ତେଲୁଗୁ, କନ୍ନଡ଼, ବାଂଲା, ଗୁଜରାଟୀ, ମରାଠୀ ଭଳି ବିଭିନ୍ନ ଭାରତୀୟ ଭାଷାରେ ପ୍ରସ୍ତୁତ ହେଉଥିଲା ଏହି କାର୍ଯ୍ୟକ୍ରମ। 

ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ‘ହେଲୋ ଇଣ୍ଡିଆ’ରେ ଉପସ୍ଥାପିତ ହେଉଥିଲା ଚାରିଟି ଭିନ୍ନ ଭିନ୍ନ ସେଗମେଣ୍ଟ। ୧. ସିଟି ଲାଇଟସ, ୨. ଗ୍ଲୋବ୍ ଟ୍ରଟି୍ଂଗ, ୩. କାଲେଇଡୋସ୍କୋପ୍ ଏବଂ ୪. ସ୍ପଟ୍ ଲାଇଟ୍। କାର୍ଯ୍ୟକ୍ରମର ପ୍ରଥମ ବିଭାଗ- ସିଟି ଲାଇଟସ ମାଧ୍ୟମରେ ଦେଶର ବିଭିନ୍ନ ସହରର ବିଶେଷତ୍ୱ, ସେଠାକାର ଚଳଣୀ, ସମ୍ପୃକ୍ତ ସହରର ଉତ୍ସବ ମହୋତ୍ସବ, ଦର୍ଶନୀୟ ସ୍ଥାନ ଇତ୍ୟାଦିକୁ ଉପସ୍ଥାପନ କରାଯାଉଥିଲା ଏଥିରେ। ସେହିଭଳି ଦ୍ୱିତୀୟ ବିଭାଗ ଗ୍ଲୋବ୍ ଟ୍ରଟିଂଗ। ଏହି ଶବ୍ଦଟି ହିଁ ସ୍ୱୟଂପ୍ରକାଶୀ। ଏଥିରେ ମୁଖ୍ୟତଃ ବିଶ୍ୱର କୋଣ ଅନୁକୋଣରେ ଘଟୁଥିବା ଘଟଣା, ପର୍ଯ୍ୟଟନସ୍ଥଳୀ, ଦର୍ଶନୀୟ ସ୍ଥାନ, ସଂପୃକ୍ତ ଦେଶର ଆତିଥେୟତା, ଖାଦ୍ୟପେୟ ସମ୍ପର୍କିତ ବିଭିନ୍ନ ତଥ୍ୟ ଅତି ସୁନ୍ଦର ଭାବେ ଉପସ୍ଥାପିତ ହେଉଥିଲା। ଏଥିପାଇଁ ମୁଖ୍ୟତଃ କୌଣସି ରିପୋର୍ଟର ନଥିଲେ, ବରଂ ‘ହେଲୋ ଇଣ୍ଡିଆ’ ଡେସ୍କ ଏହାକୁ ପ୍ରସ୍ତୁତ କରୁଥିଲା। ତେବେ ଏଥିପାଇଁ ପ୍ରଧାନତଃ ବିଭିନ୍ନ ନ୍ୟୁଜ୍ ଏଜେନ୍ସି ଉପରେ ନିର୍ଭର କରାଯାଉଥିଲା। ବିଶେଷ କରି ରଏଟର୍ସ, ସିଏନଏନ୍ ଏବଂ ଏପିଟିଏନ୍ ଭଳି ନ୍ୟୁଜ୍ ଏଜେନ୍ସିଠାରୁ ଆସୁଥିବା ନିୟମିତ ଷ୍ଟୋରିକୁ ସଂଗ୍ରହ କରି, ସେଥିରୁ ଏହି ସେଗମେଣ୍ଟକୁ ପ୍ରସ୍ତୁତ କରାଯାଉଥିଲା।

ଅନୁରୂପ ଭାବେ ତୃତୀୟ ବିଭାଗ କାଲେଇଡୋସ୍କୋପରେ ଉପସ୍ଥାପିତ ହେଉଥିଲା ଦେଶର କୋଣ ଅନୁକୋଣର କଳା, ଭାସ୍କର୍ଯ୍ୟ, ପରମ୍ପରା, ଲୋକକଳା, ଲୋକନୃତ୍ୟ ଆଦି ସମ୍ପର୍କରେ ପ୍ରସ୍ତୁତ ବୃତ୍ତଚିତ୍ର ବା ଛୋଟ ଛୋଟ ଡକ୍ୟୁମେଣ୍ଟାରୀ। ଯାହା ଫଳରେ ଘରେ ବସିଥିବା ଦର୍ଶକ ଜଣକ ଆମ ଦେଶର ସାଂସ୍କୃତିକ ଓ ସାମାଜିକ ଜୀବନ ସାଙ୍ଗକୁ ଏଇଠି ଭରି ରହିଥିବା ବିବିଧତାକୁ ବି ଆତ୍ମସ୍ଥ କରିପାରୁଥିଲା। ଆଉ ଏହାକୁ ଅତି ଚମତ୍କାର ଶୈଳୀରେ ପରଷି ଦେଉଥିଲା ‘ହେଲୋ ଇଣ୍ଡିଆ’। ସେହିଭଳି ଚତୁର୍ଥ ବିଭାଗ – ସ୍ପଟଲାଇଟରେ ଉପସ୍ଥାପନ କରାଯାଉଥିଲା ଜଣେ ଜଣେ ପ୍ରତିଷ୍ଠିତ ତଥା ପ୍ରତିଭାଧର ବ୍ୟକ୍ତିତ୍ୱଙ୍କୁ। ଯେଉଁମାନେ ସେମାନଙ୍କ ସ୍ୱତନ୍ତ୍ର ଅବଦାନ ବା ସଫଳତା ପାଇଁ ସମଗ୍ର ସମାଜରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛନ୍ତି। କହିବାକୁ ଗଲେ, ଏହି ବିଭାଗରେ ଭାରତୀୟ ପୂଜ୍ୟପୂଜାର ପରମ୍ପରାକୁ ଉଜ୍ଜୀବିତ ରଖାଯାଉଥିଲା। ଏହାସହ ପ୍ରତି ଅଧ୍ୟାୟରେ ଜଣେ ଜଣେ ପ୍ରଖ୍ୟାତ ବ୍ୟକ୍ତିତ୍ୱଙ୍କୁ ପରିଚିତ କରାଯାଉଥିଲା ଈଟିଭିର ବିଶାଳ ଦର୍ଶକମଣ୍ଡଳୀଙ୍କ ସହିତ।

କେବଳ ଏହି କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଭାବେ ରିପୋର୍ଟିଂ କରୁଥିଲା ଏକ ଟିମ୍। ଦେଶର ବିଭିନ୍ନ ସ୍ଥାନରେ ଥିବା ବ୍ୟୁରୋରେ ଅବସ୍ଥାପିତ ରିପୋର୍ଟରମାନେ ‘ହେଲୋ ଇଣ୍ଡିଆ’ ପାଇଁ ବି ରିପୋର୍ଟିଂ କରୁଥିଲେ। ପ୍ରତ୍ୟେକ ଭାଷା ପାଇଁ ଜଣେ ଜଣେ ସମ୍ପୂର୍ଣ୍ଣ ସମର୍ପିତ ଭାବେ କାମ କରୁଥିଲା ବେଳେ ସମସ୍ତ ଭାଷାର ଚାନେଲ ପାଇଁ ଏକ ସ୍ୱତନ୍ତ୍ର ଡେସ୍କ ଏହି ‘ହେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ପରିଚାଳନା କରୁଥିଲା। ଜଣେ ଧୂରୀଣ ତଥା ପ୍ରତିଭାସମ୍ପନ୍ନ ପ୍ରଯୋଜକ ଜୁଏଲ ସାମୁଏଲଙ୍କ ସହିତ ଏହି ଟିମରେ କାମ କରୁଥିଲେ ଓଡ଼ିଶାରୁ ତୁଳସୀଦାସ ମିଶ୍ର, ଦେବକମଲ ଗାଙ୍ଗୁଲୀ, ଇନ୍ଦ୍ରାଣୀ ରାୟ, ଷ୍ଟେଲା ପଲ୍, ଏ.ଆର୍. ରେଶମୀ, ସୁନନ୍ଦ ଶଙ୍କର ସିହ୍ନା ଏବଂ କୃଷ୍ଣ ପ୍ରସାଦ। ଏଇମାନଙ୍କ ବ୍ୟତୀତ ପ୍ରତିଟି ଆଞ୍ଚଳିକ ଡେସ୍କ ତରଫରୁ ଜଣେ ଜଣେ ଏହି କାର୍ଯ୍ୟକ୍ରମ ପାଇଁ କାମ କରୁଥିଲେ। ଈଟିଭି ଓଡ଼ିଆ ଆରମ୍ଭ ପୂର୍ବରୁ ଈଟିଭି ନେଟୱର୍କରେ କାମ କରୁଥିବା ଦିଲ୍ଲୀପ ସିଂ ସମ୍ପୂର୍ଣ୍ଣ ରୂପେ ଈଟିଭି ଓଡ଼ିଆ ଲାଗି କାର୍ଯ୍ୟକ୍ରମ ପ୍ରସ୍ତୁତିର ବୈଷୟିକ ଦାୟିତ୍ୱ ତୁଲାଉଥିଲେ। ସେହିଭଳି ଏହି କାର୍ଯ୍ୟକ୍ରମ ଲାଗି କୋଲକାତାରୁ ମୁକୁଲିକା ଘୋଷ, ବେଙ୍ଗାଲୁରୁରୁ ସଂହତି ରାୟ, ଗୁଆହାଟୀରୁ ନିଳୟ ଭଟ୍ଟାଚାର୍ଯ୍ୟ, ମୁମ୍ୱାଇରୁ ଗୋପାଳ ସେଟ୍ଟୀ ଏବଂ ଭୁବନେଶ୍ୱରରୁ ଶରତ ପାଇକରାୟ ରିପୋର୍ଟିଂ କରୁଥିଲେ।

ଚାନେଲର ଗ୍ରାଫିକ୍ସ ଡିଜାଇନର ରମେଶ କୁଅଁର ‘ହେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମ ଉପସ୍ଥାପନ କରୁଥିଲା ସମୟରେ

ଈଟିଭି ଓଡ଼ିଆରେ କାମ କରୁଥିବା ନ୍ୟୁଜ୍ ଆଙ୍କରମାନେ କାଁ ଭାଁ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନ କରୁଥିଲା ବେଳେ ଅଧିକାଂଶ ସମୟରେ ଚାନେଲର ଗ୍ରାଫିକ୍ସ ଡିଜାଇନର ରମେଶ କୁଅଁର ଏହାକୁ ଉପସ୍ଥାପନ କରୁଥିଲେ। ବୋଧହୁଏ ଟେଲିଭିଜନରେ କାମ କରୁଥିବା ବିଭିନ୍ନ ବୈଷୟିକ ଦକ୍ଷତାସମ୍ପନ୍ନ ବ୍ୟକ୍ତିତ୍ୱଙ୍କ ଭିତରେ ଏହା ଥିଲା ଏକ ବିରଳ ବ୍ୟତିକ୍ରମ। ପ୍ରତିଦିନ ସକାଳ ୮ଟାରେ ପ୍ରସାରିତ ହେଉଥିଲା ‘ହେଲୋ ଇଣ୍ଡିଆ’। ପ୍ରତି ଅଧ୍ୟାୟରେ ଦର୍ଶକଙ୍କ ପାଇଁ ରଖାଯାଇଥିଲା ଏକ ଛୋଟ ପ୍ରତିଯୋଗିତା। ଏଥିରେ ମୁଖ୍ୟତଃ ଜଣେ ବ୍ୟକ୍ତିଙ୍କ ପ୍ରତ୍ୟୁତ୍ପନ୍ନମତିତା ପରୀକ୍ଷା କରାଯାଉଥିଲା। ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କଲେ ବେଳେ ବେଳେ ଦର୍ଶକଙ୍କୁ ମିଳୁଥିଲା ଉପହାର। ତେବେ ଈଟିଭିରେ ଆରମ୍ଭ ହୋଇଥିବା ଏଭଳି ଏକ ସୃଜନଶୀଳ ପରୀକ୍ଷଣ ଉଦ୍ୟମ, ଆଜି ଦେଶର ବିଭିନ୍ନ ଭାଗରେ କାମ କରୁଥିବା ଟେଲିଭିଜନ ଚାନେଲ ପାଇଁ ପାଲିଟିଯାଇଥିଲା ପ୍ରେରଣା। ‘ହେଲୋ ଇଣ୍ଡିଆ’ର ଅନୁରୂପ ଶୈଳୀରେ ଆଜିକାଲି ଅଧିକାଂଶ ଟିଭି ଚାନେଲର ସକାଳର କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି। ମୋଟାମୋଟି ଭାବେ ମଣିଷ ମନକୁ ଛୁଇଁଗଲା ଭଳି କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ସବୁ ମହଲରେ ଦର୍ଶକୀୟ ଆଦୃତି ପାଇଥିଲା ‘ହେଲୋ ଇଣ୍ଡିଆ’।

 Tags: #TheJourneyOfTelevision #DrFakirMohanNahak #HelloIndia #Television #ETvOdia

Comment