ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ୪ଟି ଜିଲ୍ଲାର ୪୪୦ଟି ରୂପାନ୍ତର ସ୍କୁଲକୁ ଲୋକାର୍ପଣ କରିଛନ୍ତି। ଏଥିରେ ରହିଛି କେନ୍ଦୁଝର ଜିଲ୍ଲାର ୧୪୫ଟି ହାଇସ୍କୁଲ, ସୁନ୍ଦରଗଡ଼ ଜିଲ୍ଲାର ୧୮୦ଟି, ରାୟଗଡ଼ାର ୭୦ଟି ଏବଂ ନୂଆପଡ଼ାର ୪୫ଟି  ହାଇସ୍କୁଲ। ଦ୍ଵିତୀୟ ପର୍ଯ୍ୟାୟରେ ମୋଟ ୨,୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି।

ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ଏହା ପିଲାଙ୍କ ମାନସିକତା ଉପରେ ସକରାତ୍ମକ ପ୍ରଭାବ ପକାଇଛି। ସ୍କୁଲ ରୂପାନ୍ତର ପରେ ସ୍କୁଲକୁ ଆସିବା ପାଇଁ ଏବଂ ଶ୍ରେଣୀଗୃହରେ ବସି ପାଠପଢ଼ିବାକୁ ଭଲ ଲାଗୁଥିବା କହିଛନ୍ତି ଛାତ୍ରଛାତ୍ରୀ।

ଆଜି ଦ୍ଵିତୀୟ ପର୍ଯ୍ୟାୟର ତୃତୀୟ ଦିବସରେ ମୁଖ୍ୟମନ୍ତ୍ରୀ ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କରି ପିଲାମାନଙ୍କ ସହିତ ଆଲୋଚନା କରିବା ସମୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା। ଏହି ଅବସରରେ କେନ୍ଦୁଝରରୁ ଲକ୍ଷ୍ମୀ, ରାୟଗଡ଼ାରୁ କସ୍ତୁରୀ, ନୂଆପଡ଼ାରୁ ଶୁଭଶ୍ରୀ ଏବଂ ସୁନ୍ଦରଗଡରୁ ଦେବରାଜ ପ୍ରମୁଖ ଛାତ୍ରଛାତ୍ରୀ ସାମିଲ ହୋଇ ସ୍କୁଲ ରୂପାନ୍ତର ସମ୍ପର୍କରେ ସେମାନଙ୍କୁ ଅନୁଭବ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ପିଲାମାନଙ୍କୁ  ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତ୍ୟେକ ପିଲା ସ୍ଵତନ୍ତ୍ର ଏବଂ ତା’ ଭିତରେ ଭରି ରହିଛି ବିପୁଳ ସମ୍ଭାବନା। ପିଲାଙ୍କ ଆଖିରେ ସୁନ୍ଦର ଭବିଷ୍ୟତର ଏବଂ ବଡ଼ ହେବାର ସ୍ଵପ୍ନ ରହିଥାଏ। ସ୍କୁଲ ରୂପାନ୍ତର ପିଲାଙ୍କ ଏ ସ୍ଵପ୍ନରେ ଡେଣା ଯୋଡ଼ିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି। ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ମୁଖ୍ୟମନ୍ତ୍ରୀ ପିଲାଙ୍କୁ ପରାମର୍ଶ ଦେଇଥିଲେ।

ପିଲାମାନଙ୍କ ସ୍ଵପ୍ନ ସାକାର ହେଲେ ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ। ସ୍କୁଲ ଜୀବନ ଏକ ଗୁରୁତ୍ଵପୂର୍ଣ୍ଣ ସମୟ। ଏହାକୁ ଠିକ୍‌ ଭାବରେ ଉପଯୋଗ କରିଲେ ନିଜ ପାଇଁ, ନିଜ ପରିବାର ପାଇଁ ଓ ଓଡ଼ିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଥିଲେ। 

 

ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି। ସ୍କୁଲ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢ଼ିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଥିଲେ। ପିଲାମାନଙ୍କୁ ୫-ଟି ମହତ୍ଵ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଟେକ୍ନୋଲୋଜି, ଟିମୱାର୍କ, ଟାଇମ ଏବଂ ଟ୍ରାନ୍ସପରେନ୍ସି ପ୍ରୟୋଗରେ ରୂପାନ୍ତର ଆସେ।  ଟେକ୍ନୋଲୋଜି ଦ୍ଵାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରି, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଯାଇଛି। ସେହିପରି ଟିମଓ୍ଵାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି। ସମୟକୁ ଗୁରୁତ୍ଵ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି।

ସ୍ଵଚ୍ଛତା ୫-ଟି କାର୍ଯ୍ୟକ୍ରମର ବଡ଼ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବିଧାୟକ ପ୍ରେମାନନ୍ଦ ନାୟକ, ବିଧାୟକ ଜଗନ୍ନାଥ ସାରକା, ବିଧାୟକ  ରାଜେନ୍ଦ୍ର ଢୋଲକିଆ ଓ ବିଧାୟକ ସାରଦା ପ୍ରସାଦ ନାୟକ ପ୍ରମୁଖ  ଉଦବୋଧନ ଦେଇ ମାନବ ସମ୍ବଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ। ୫-ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ଵାଗତ ଭାଷଣ  ଦେଇଥିଲେ। ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #Politics #School #HighSchoolTransfermation #CMOdisha #Inauguration

Comment