ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ସରିଛି। ବିଭିନ୍ନ ସ୍ଥାନରୁ ଭକ୍ତ ପୁରୀରେ ଏକାଠି ହୋଇ ଫେରିଛନ୍ତି। ତେଣୁ ଗୋଷ୍ଠୀ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଜିଲ୍ଲା ପ୍ରଶାସନକୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି ବୋଲି ବୁଧବାର ଦିନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଗୋଷ୍ଠୀ ସଂକ୍ରମଣ ମାମଲା ସାମ୍ନାକୁ ଆସୁଥିବାରୁ ବିଭିନ୍ନ ଜିଲ୍ଲାରେ କ’ଣ ପରିସ୍ଥିତି ରହୁଛି ତା’ର ତର୍ଜମା କରାଯାଉଛି।

ସେ କହିଛନ୍ତି ପୂର୍ବ ଲହରଗୁଡ଼ିକ ଭଳି ଚଳିତ ଥର କୋଭିଡ ସଂକ୍ରମଣ ବୃଦ୍ଧି ପାଉନାହିଁ। ଧୀରେ ଧୀରେ ସଂକ୍ରମଣ ବଢ଼ୁଛି। କୋଭିଡ ନିୟମ ପାଳନ କରିବା ସହ ଯେଉଁମାନେ ଟିକା ନେଇ ନାହାନ୍ତି ତୁରନ୍ତ ଟିକା ନେବାକୁ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ଚଳିତ ଲହରରେ ପ୍ରଥମ କୋଭିଡ ଜନିତ ମୃତ୍ୟୁ ହୋଇଛି। ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ କୋଭିଡ ପ୍ରଭାବ ପକାଉଛି। ତେଣୁ ସମସ୍ତେ ସତର୍କ ଏବଂ ସଚେତନ କରିବାକୁ ସେ କହିଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକରେ ଯେଉଁଭଳି ଭାବେ କୋଭିଡ ସଂକ୍ରମଣ ହାର ହ୍ରାସ ପାଉଛି, ସେହିଭଳି ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରେ କୋଭିଡ ସଂକ୍ରମଣ କମିବା ସହ ରାଜ୍ୟ ଭଲ ସ୍ଥିତିକୁ ଆସିବ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

Tags: #Covid19 #Corona #Vaccination #Odisha

LEAVE A REPLY

Please enter your comment!
Please enter your name here