ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିବାକୁ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଏକ ହଜାର ଟପିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ୧,୦୪୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୫ ଜଣ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ରୁ କମ୍ ବୟସର ୧୦୦ ଜଣ ରହିଛନ୍ତି।

ସଂଗରୋଧ କେନ୍ଦ୍ରରୁ ୬୦୯ ଜଣ ରହିଥିବାବେଳେ ୪୩୪ଟି ଲୋକାଲ କଣ୍ଟାକ୍ଟ ରହିଛି। ବର୍ତ୍ତମାନ ରାଜ୍ୟରେ ୪,୮୨୫ଟି ସକ୍ରିୟ ମାମଲା ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୪୭୯ ଜଣ।

କଟକରୁ ଆଜି ୨୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୧୦୬ ଜଣ, ଷ୍ଟେଟ ପୁଲରୁ ୭୯ ଜଣ, ସୋନପୁରରୁ ୩୨ ଜଣ, ସମ୍ବଲପୁରରୁ ୩୧ ଜଣ, ମୟୁରଭଞ୍ଜରୁ ୨୮ ଜଣ, ଝାରସୁଗୁଡ଼ାରୁ ୨୨ ଜଣ ଏବଂ କେନ୍ଦ୍ରାପଡ଼ାରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି।

ଜୁଲାଇ ୧୪ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୮୦୪ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁଲାଇ ୧୩ ତାରିଖରେ ୭୪୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୁଲାଇ ୧୨ ତାରିଖରେ ୫୦୯ ଜଣ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବଢ଼ୁଥିବାରୁ କୋଭିଡ ନିୟମ ପାଳନ କରିବା ସହ ସମସ୍ତଙ୍କୁ ମାସ୍କ ପରିଧାନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। 

ବତ୍ତର୍ମାନ ରାଜଧାନୀ ଭୁବନେଶ୍ଵରରେ କୋଭିଡ କଟକଣା କଡ଼ା କରାଯାଇଛି। ସାମାଜିକ ଦୂରତା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ବିନା ମାସ୍କରେ ଧରାପଡ଼ିଲେ ଫାଇନ ଆଦାୟ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ରାଜଧାନୀର ସମସ୍ତ ଦୋକାନ, ବଜାର, ମଲ୍, ସିନେମା ହଲ, ଥିଏଟର ଏବଂ ସମସ୍ତ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ କୋଭିଡ କଟକଣା କଡ଼ା କରାଯିବା ସହ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ଵର ମହାନଗର ନିକମ ପକ୍ଷରୁ ଚେତାବନୀ ଦିଆଯାଇଛି। ସେହିପରି କଟକରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି।

Tags: #Covid19 #CoronaVirus #Vaccine #CovidTesting #CovidinOdisha

Comment