କପିଳାସ ଭୂୟାଁ

ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟକୁ ସର୍ବସମକ୍ଷରେ ଯେଉଁ ଗୁରୁତ୍ଵ ଦିଆଯାଏ, ଗୋଟିପୁଅ ନୃତ୍ୟ ଭାଗରେ ତାହା ପଡେ ନାହିଁ। କିନ୍ତୁ ଆମେ ଜାଣିବା କଥା ଯେ ଗୋଟିପୁଅ ହେଉଛି ଓଡ଼ିଶୀ ନୃତ୍ୟର ମୂଳ ପିଣ୍ଡ। ପ୍ରଥମ ପିଢିର ସମସ୍ତ ଓଡିଶୀ ନୃତ୍ୟ ଗୁରୁ ଆଦ୍ୟାବସ୍ଥାରେ ଗୋଟିପୁଅ ନୃତ୍ୟ ଶିକ୍ଷା ଓ ପରିବେଷଣ କରିଛନ୍ତି। ସେହି ଦୃଷ୍ଟିରୁ ଗୋଟିପୁଅ ନୃତ୍ୟର ରହିଛି ଏକ ସ୍ଵତନ୍ତ୍ର ଆବେଦନ।

ଆମ ସମସ୍ତଙ୍କୁ ଜଣା ଯେ ମାହାରୀ ଓ ଗୋଟିପୁଅ ନୃତ୍ୟର ମିଶ୍ରଣରୁ ଓଡ଼ିଶୀ ନୃତ୍ୟର ସୃଷ୍ଟି। ତେବେ ବିଗତ ପଚାଶ ଷାଠିଏ ବର୍ଷ ମଧ୍ୟରେ ଓଡ଼ିଶୀ ନୃତ୍ୟର ଯେଉଁ ପ୍ରସାର ପ୍ରଚାର ହୋଇଛି ଗୋଟିପୁଅ ନୃତ୍ୟ ଭାଗରେ ଗତ କୋଡିଏ ପଚିଶି ବର୍ଷ ତଳ ପର୍ଯ୍ୟନ୍ତ ଗୋଟିପୁଅ ନୃତ୍ୟକୁ ସେଭଳି ଗୁରୁତ୍ଵ ଆଦୌ ଦିଆଯାଇ ନାହିଁ। ଏହା ନିଶ୍ଚୟ ଏକ ବିଡମ୍ବନା!

ଗୋଟିପୁଅ ନୃତ୍ୟ ଯଦି ଆଜି ସର୍ବ ସମକ୍ଷରେ ପରିବେଷିତ ହୋଇ ଯଥେଷ୍ଟ ପ୍ରଶଂସା ଭାଜନ ହୋଇ ପାରିଛି, ତେବେ ତାହାର ସମସ୍ତ ଶ୍ରେୟ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଦିଆଯିବ। ୧୯୯୪ ମସିହାରେ ଗୁରୁ କେଳୁଚରଣଙ୍କ ନିଜସ୍ଵ ନୃତ୍ୟାବାସ ‘ସୃଜନ’ ଆରମ୍ଭ କଲା ପ୍ରଥମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ। ସେହି ଉତ୍ସବ ମାଧ୍ୟମରେ ଗୁରୁ କେଳୁଚରଣ ଓଡ଼ିଶାର ନୃତ୍ୟ, ସଙ୍ଗୀତ, ନାଟକ ଓ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କ ସମସାମୟିକ ଯେଉଁମାନେ ନିଜ ଜୀବନକାଳର ଯୋଗଦାନ ରଖିଛନ୍ତି, କିନ୍ତୁ ଅଜଣା ଅଶୁଣା ହୋଇ ରହିଛନ୍ତି, ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ଆରମ୍ଭ କଲେ। ସେଭଳି ଅଜଣା ଅଶୁଣା ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ରହିଥିଲେ ଗୋଟିପୁଅ ନୃତ୍ୟର ଗୁରୁ ମାଗୁଣି ଦାସ।ଗୁରୁ ମାଗୁଣି ଦାସ ୧୯୭୭ରେ ରଘୁରାଜପୁର ଗାଁରେ ପ୍ରତିଷ୍ଠା କରିଥିଲେ ଦଶଭୂଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ। ଗୋଟିପୁଅ ନୃତ୍ୟ ପ୍ରତି ସେତେବେଳେ ବିଶେଷ ଆଦର ନଥିଲା କହିଲେ ଚଳେ। ଅଭାବ ଅନଟନରେ ଚଳୁଥିବା କେତେକ ପରିବାରର ପିଲାଙ୍କୁ ଆଣି ନିଜ ପାଖରେ ରଖି ସେମାନଙ୍କ ଖାଇବା ପିଇବାଠାରୁ ଆରମ୍ଭ କରି ପାଠ ପଢେଇବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ଵ ତୁଲାଇ ଗୋଟିପୁଅ ନୃତ୍ୟାଭ୍ୟାସ ଜାରି ରଖିବା ଆରମ୍ଭ କରିଥିଲେ ଗୁରୁ ମାଗୁଣି ଦାସ। କିନ୍ତୁ ସେଭଳି କରିବା ଭିତରେ ସେ ଯେ ଏକ ପରମ୍ପରାକୁ ଜୀବିତ ରଖିଥିଲେ ଓ ସେହି କୁନିକୁନି ପିଲାମାନଙ୍କ ପାଇଁ ଏକ ସ୍ଵପ୍ନର ଭବିଷ୍ୟତ ତିଆରି କରି ଚାଲିଥିଲେ ତାହା ତାଙ୍କୁ ଜଣା ନଥିଲା।

୧୯୯୫ରେ ରଘୁରାଜପୁର ଗାଁରେ ଅନୁଷ୍ଠିତ ହେଲା ପ୍ରଥମ ବସନ୍ତ ଉତ୍ସବ। ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମହୋଦୟ। ଗୁରୁ ମାଗୁଣି ଦାସଙ୍କ ଦଶଭୂଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ପରିବେଷଣ କରିଥିଲା ଗୋଟିପୁଅ ନୃତ୍ୟ। ଏହାର ଆବେଦନ ଏତେ ହୃଦୟ ଛୁଆଁ ହେଲା ଯେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପସ୍ଥିତ ଅନ୍ୟ ସମସ୍ତେ ବିମୋହିତ ହେଲେ। ସେତେବେଳକୁ ଯାଇ ଗଣମାଧ୍ୟମର ଦୃଷ୍ଟି ପଡ଼ିଲା ଗୁରୁ ମାଗୁଣି ଦାସ ଓ ତାଙ୍କ ନୃତ୍ୟ ଦଳର ପ୍ରତିଭା ଉପରେ। କ୍ରମେ ଗୋଟିପୁଅ ଲୋକଲୋଚନକୁ ଆସିଲା। ଗୁରୁ ମାଗୁଣି ଦାସଙ୍କ ଗୋଟିପୁଅ ଦଳ ଦେଶ ବିଦେଶରୁ ନିମନ୍ତ୍ରଣ ପାଇ ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କଲେ ଓ ପ୍ରଶଂସାଭାଜନ ହେଲେ।କେବଳ ରଘୁରାଜପୁର ନୁହେଁ, ସେହି ସମକାଳରେ ବ୍ରହ୍ମଗିରି, ଡିମିରିସେଣା ଓ ବାଲିପାଟଣା ଅଞ୍ଚଳରେ ଅନ୍ୟ ଗୁରୁମାନେ ମଧ୍ୟ ଗୋଟିପୁଅ ନୃତ୍ୟ ଧାରାକୁ ଉଦ୍ଭାସିତ କରି ରଖିବା ପାଇଁ ସାଧନା ଜାରି ରଖିଥିଲେ। ଯାହାର ଫଳ ସ୍ୱରୂପ ଗୋଟିପୁଅ ନୃତ୍ୟ ସମସ୍ତଙ୍କର ଆଦର ଲାଭ କରି ପାରିଛି। ତେବେ ବାସ୍ତବ ଦୃଷ୍ଟିରୁ ବିଚାର କଲେ, ଦିନ ଥିଲା ଯେତେବେଳେ ଗୋଟିପୁଅ ନୃତ୍ୟ ପୁରୀ ଜିଲ୍ଲାର କତିପୟ ଗାଁରେ ନିଭୃତରେ ବଞ୍ଚି ରହିଥିଲା। କିନ୍ତୁ ଗୁରୁ ମାଗୁଣି ଦାସ ଓ ତାଙ୍କ ଗୋଟିପୁଅ ଦଳ ଲୋକ ଦୃଷ୍ଟିକୁ ଆସି ପ୍ରଶଂସାଭାଜନ ହେବା ପରେ ଓ ପରବର୍ତ୍ତୀ ସମୟରେ ଗୁରୁ ମାଗୁଣି ଦାସଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ଫଳରେ ତାହା ସମସ୍ତଙ୍କୁ ଉତ୍ସାହିତ କଲା ନିଶ୍ଚୟ। ରାଜ୍ୟର ବଡ଼ ବଡ଼ ଓଡ଼ିଶୀ ଅନୁଷ୍ଠାନ ନିଜ ନିଜର ପରିବେଷଣରେ ମଧ୍ୟ ଗୋଟିପୁଅ ନୃତ୍ୟକୁ ସାମିଲ କରିବା ଦୃଷ୍ଟିକୁ ଆସୁଛି। ଏହା ନିଶ୍ଚୟ ଏକ ଖୁସିର କଥା।

ଉଲ୍ଲେଖନୀୟ କି ଗୋଟିପୁଅ ପରି ଏକ ପ୍ରାଚୀନ ପରମ୍ପରାକୁ ବଞ୍ଚାଇ ରଖିଥିବା ଗୋଟିପୁଅ ଦଳଗୁଡିକର ନିଶ୍ଚିତରେ ଓଡ଼ିଆମାନଙ୍କ ଆତ୍ମ ପରିଚୟକୁ ସାରା ବିଶ୍ଵରେ ସୁଦୃଢ କରିବାରେ ବିଶେଷ ଅବଦାନ ରହିଛି। ସେହି ଦଳଗୁଡ଼ିକୁ ସରକାର ପ୍ରୋତ୍ସାହାନ ଯୋଗାଇ ଦେଲେ ଗୋଟିପୁଅ ନୃତ୍ୟ ଯେ ଅଧିକ ବିକଶିତ ହୋଇ ପାରିବ ସେଥିରେ କୌଣସି ସନ୍ଦେହ ନାହିଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Tags: #GotipuaNrutya #GotipuaDance #OdissiDance #OdishaCulture #Raghurajpur #ଗୋଟିପୁଅ #ଓଡ଼ିଶୀ

LEAVE A REPLY

Please enter your comment!
Please enter your name here