ଶୁଭଶ୍ରୀ ନାୟକ

କବିତା ଦ୍ୱିବେଦୀ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ। ଓଡ଼ିଶୀ ପାଇଁ ତାଙ୍କର ସାଧନା ଆଜି ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ। ଦେଶ ବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସେ ଆଣିଛନ୍ତି ଓଡ଼ିଶା ପାଇଁ ଗୌରବ। ଓଡ଼ିଶାଲାଇଭର ବିଶେଷ ସାକ୍ଷାତକାରରେ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ କବିତା ଦ୍ୱିବେଦୀଙ୍କ କାହାଣୀ।

‘‘ମୁଁ ଥରେ ଗୋଟିଏ ଓଡ଼ିଶୀ ପରିବେଷଣ କରୁଥିଲି। ସେଥିରେ ମୋର ରାଧା ଚରିତ୍ର ଥିଲା। ରାଧା କୃଷ୍ଣଙ୍କୁ ମନେ ପକାଇ କାନ୍ଦିବାର ଦୃଶ୍ୟ ଥିଲା। ମୁଁ ରାଧାଙ୍କ ଚରିତ୍ରରେ ଥାଇ ବି କାନ୍ଦି ପାରୁନଥିଲି। ସେତିକିବେଳେ ମୋ ବାପା ହଠାତ୍‌ ମୋ ଗାଲରେ ଗୋଟିଏ ଚାପୁଡ଼ା ପକାଇଥିଲେ। ମୁଁ ଭୀଷଣ ରାଗି ଯାଇଥିଲି। ବାପା କାହିଁକି ମୋ ଉପରେ ହାତ ଉଠାଇଲେ ବୋଲି ଅଭିମାନ କଲି। କିନ୍ତୁ ଯେତେବେଳେ ସେହି ନୃତ୍ୟ ପାଇଁ ମୁଁ ବେଶ୍‌ ପ୍ରଶଂସା ସାଉଣ୍ଟିଲି ସେ ଦିନ ବୁଝିଲି କ’ଣ ପାଇଁ ବାପା ମାରିଥିଲେ’’, ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେବା ସମୟରେ ଏଭଳି ଏକ ମୁହୁର୍ତ୍ତକୁ ମନେ ପକାଇଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ କବିତା ଦ୍ୱିବେଦୀ।

କବିତା ହେଉଛନ୍ତି ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ହରେକୃଷ୍ଣ ବେହେରାଙ୍କର ଝିଅ। କବିତା ଛୋଟବେଳୁ ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ କରିବା ଆରମ୍ଭ କରିଥିଲେ। ସେ ତାଙ୍କ ବାପାଙ୍କଠାରୁ ହିଁ ନୃତ୍ୟ ଶିକ୍ଷା କରୁଥିଲେ। ତାଙ୍କ ବାପା ଦିଲ୍ଲୀରେ ଏକ ଡ୍ୟାନ୍ସ ଏକାଡେମୀ କରି ପିଲାଙ୍କୁ ଓଡ଼ିଶୀ ଶିଖାଉଥିଲେ। ସେଇଠାରୁ ଆରମ୍ଭ ହୋଇଥିଲା କବିତାଙ୍କ ନୃତ୍ୟ ଯାତ୍ରା।

କବିତା ଦିଲ୍ଲୀରେ ପଢ଼ୁଥିଲେ। କଲେଜ ପଢ଼ିବା ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ନୃତ୍ୟ ପରିବେଷଣ କରୁଥିଲେ। ଦର୍ଶକଙ୍କ ପ୍ରଶଂସା ଓ ବିଭିନ୍ନ ପୁରସ୍କାର ତାଙ୍କୁ ନୃତ୍ୟ ଜାରି ରଖିବା ପାଇଁ ପ୍ରେରଣା ଯୋଗାଇଥିଲା। ଏ ରାସ୍ତା ତାଙ୍କ ପାଇଁ ସହଜ ନଥିଲା। କିନ୍ତୁ ନିଜକୁ ଦୃଢ଼ କରି ସେ ପ୍ରତ୍ୟେକ ପରିସ୍ଥିତିକୁ ମୁକାବିଲା କରିଛନ୍ତି।

‘‘ମୁଁ ଯେତେବେଳେ ନୃତ୍ୟ କରିବା ଆରମ୍ଭ କରିଥିଲି, ସେତେବେଳେ ଓଡ଼ିଶୀ ନୃତ୍ୟ ଏତେ ଲୋକପ୍ରିୟ ନଥିଲା। ତେଣୁ ସେଥିରେ ନିଜର କ୍ୟାରିୟର କରିବା କଷ୍ଟକର ଥିଲା। ଅନେକ ଥର ଅନୁଭବ ହୋଇଛି ନୃତ୍ୟ ଛାଡ଼ି ଅଲଗା କିଛି କରିବି। କିନ୍ତୁ ମୋ ଅଜାଣତରେ କେତେବେଳେ ଘୁଙ୍ଗୁର ମୋ ଜୀବନ ହୋଇଯାଇଥିଲା, ମୁଁ ଆଉ ଡ୍ୟାନ୍ସ ଛାଡ଼ିପାରିଲିନି’’, କହିଛନ୍ତି କବିତା ଦ୍ୱିବେଦୀ।

କବିତା ଦ୍ୱିବେଦୀ ଓଡ଼ିଶା ସମେତ, ଦେଶ ବିଦେଶରେ ବିଭିନ୍ନ ସ୍ଥାନରେ ନୃତ୍ୟ କରିଛନ୍ତି। କନ୍ୟାରତ୍ନ ସୁରକ୍ଷା, ଗଛ ବଞ୍ଚାଓ, ଜଳବାୟୁ ପରିବର୍ତ୍ତନ ଭଳି ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ସେ ନୃତ୍ୟ ପରିବେଷଣ କରିଛନ୍ତି। କଲେଜ ସମୟରୁ ଆଜି ଯାଏଁ ସେ ଏଭଳି ବିଭିନ୍ନ ପ୍ରସଙ୍ଗ ଉପରେ କାମ କରିଛନ୍ତି।

‘‘ମତେ ଲାଗେ, ଲୋକଙ୍କ ମନରେ ନୃତ୍ୟର ଅଧିକ ପ୍ରଭାବ ପଡ଼ିଥାଏ। ତେଣୁ ଯେଉଁକଥା ଆମେ କହିବାକୁ ଚାହୁଁ ତାକୁ ଯଦି ଡ୍ୟାନ୍ସ ମାଧ୍ୟମରେ ଉପସ୍ଥାପନ କରାଯାଏ ତାହେଲେ ତା’ର ଏକ ଦୀର୍ଘକାଳୀନ ପ୍ରଭାବ ଦେଖିବାକୁ ମିଳେ। ସମାଜକୁ କିଛି ବାର୍ତ୍ତା ଦେବା ପାଇଁ ଏଭଳି ନୃତ୍ୟ ପରିବେଷଣ ମତେ ଆତ୍ମସନ୍ତୋଷ ଦେଇଥାଏ’’, କହନ୍ତି କବିତା।

ଯେତେବେଳେ ମଞ୍ଚ ଉପରେ ଜଣେ ବା ଗୋଟିଏ ଗ୍ରୁପ୍‌ ଡ୍ୟାନ୍ସ ଉପସ୍ଥାପନ ହୋଇଥାଏ, ସେତେବେଳେ ଲୋକ ତାଳି ମାରନ୍ତି। କିନ୍ତୁ ସେ ଡ୍ୟାନ୍ସ ପାଇଁ କେତେ ସଂଘର୍ଷ କରିବାକୁ ପଡ଼ିଛି ସେ ଧାରଣା କାହାର ନଥାଏ। ତେଣୁ ଏ ବିଷୟରେ କବିତା କହନ୍ତି, ‘‘ପ୍ରଥମେ ଆମେ ଗୋଟିଏ ବିଷୟ ବାଛୁ। ତା’ପରେ ସ୍କ୍ରିପ୍ଟ କରାଯାଏ, ଏହାପରେ ମ୍ୟୁଜିକ କମ୍ପୋଜ ହୁଏ। ଏ ସବୁ ପରେ ନୃତ୍ୟ ପରିବେଷଣ କଥା ଭାବୁ। ଏ ସବୁ ସରିଲା ପରେ ମଞ୍ଚସ୍ଥ ହୁଏ’’।Kabita Diwedi

ଦେଶର କୋଣ ଅନୁକୋଣରେ ଏବେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁମାନେ ଅଛନ୍ତି। ସମୟ ଅନୁସାରେ ଏବେ ଓଡ଼ିଶୀରେ କିଛିଟା ଭିନ୍ନତା ପରିଲକ୍ଷିତ ହେଉଛି। ସେ ବେଶ ପୋଷାକରେ ହେଉ ଅବା ଥିମ୍‌। ଏ କଥାକୁ ବେଶ୍‌ ସକରାତ୍ମକ ଭାବେ ଗ୍ରହଣ କରଛନ୍ତି କବିତା। ତାଙ୍କ ମତରେ ପରିବର୍ତ୍ତନ ଗୋଟିଏ ନୂଆ ଜିନିଷକୁ ଜନ୍ମ ଦେଇଥାଏ। ତେଣୁ ପରିବର୍ତ୍ତନ ଆସିବା ଦରକାର। ଆମକୁ ଖାଲି ଏତିକି ଧ୍ୟାନ ରଖିବାକୁ ପଡ଼ିବ ଯେ, ଯେମିତି ଓଡ଼ିଶୀର ଯେଉଁ ଗ୍ରାମାର ରହିଛି ତା’ ବଦଳି ନଯାଉ।

‘‘ଓଡ଼ିଶାରେ ବାର ମାସରେ ତେର ପର୍ବ। ବର୍ଷ ସାରା ଏଠାରେ କାର୍ଯ୍ୟକ୍ରମ ଚାଲିଥିାଏ। ବେଳେ ବେଳେ ଲାଗେ ମୁଁ ଦିଲ୍ଲୀରେ ନରହି ଯଦି ଓଡ଼ିଶାରେ ରହିଥାନ୍ତି ତାହେଲେ ମତେ ଆହୁରି ଅଧିକ ସୁଯୋଗ ମିଳିଥାନ୍ତା। ତେଣୁ ଯେତେବେଳେ ବି ମୋ ମାଟି ଓଡ଼ିଶାରୁ ଡକରା ଯାଏ, ମୁଁ ଦୌଡ଼ି ପଳିଆସେ’’, କହନ୍ତି କବିତା ଦ୍ୱିବେଦୀ।

ଜୀବନରେ କେତେ ଝଡ଼ ଆସେ। ସେମିତି କବିତାଙ୍କ ଜୀବନରେ ବି ଆସିଥିଲା। କିନ୍ତୁ ସେ କେବେ ହାରିଯାଇନାହାନ୍ତି। ଭଗବାନ କିଛି ଉଦ୍ଦେଶ୍ୟ ରଖି ତାଙ୍କୁ ଜନ୍ମ ଦେଇଛନ୍ତି। ତେଣୁ ତାଙ୍କ ପାଖରେ ଥିବା ପ୍ରତିଭାକୁ ହିଁ ଜୀବନର ବଡ଼ ଖୁସି ବୋଲି ଭାବି ସେ ତାକୁ ଆପଣେଇଛନ୍ତି।

“ଜଣେ ନାରୀ ପାଖରେ ଅନେକ ଶକ୍ତି ରହିଛି। ତେଣୁ ମନରେ ଦୃଢ଼ ବିଶ୍ଵାସ ଏବଂ କର୍ମରେ ନିଷ୍ଠା ରହିଲେ ଯେକୌଣସି କ୍ଷେତ୍ରରେ ସେ ଆଗେଇ ପାରିବ। ମନେରଖନ୍ତୁ, ଜୀବନ ଥରେ ହିଁ ମିଳେ” କହିଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ କବିତା ଦ୍ଵିବେଦୀ।

Comment