(ନବରଙ୍ଗପୁରରୁ କୁନା ପାତ୍ର): ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ପାପଡାହାଣ୍ଡିଠାରେ ସହିଦ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଯୋଗଦେଇ ଇତିହାସକୁ ପରିବର୍ତ୍ତନ କରିବାର ସମୟ ଆସିଥିବା କହିଛନ୍ତି। ପାପଡାହାଣ୍ଡି ସହିଦ ସ୍ତମ୍ଭ ସହିଦଙ୍କ ତ୍ୟାଗର ମୂକ ସାକ୍ଷୀ ବୋଲି ସେ କହିଛନ୍ତି।

ନବରଙ୍ଗପୁରରୁ ଆସିଥିବା ସହିଦ ମଶାଲକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାପଡାହାଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ବସଷ୍ଟାଣ୍ଡ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମଶାଲକୁ ଏକ ଶୋଭାଯାତ୍ରାରେ ସହିଦ ମିନାରକୁ ନିଆଯାଇ ଅବତରଣ କରାଯାଇଥିଲା। ପରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ଅମର ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଟୁରୀ ନଦୀକୂଳରେ ତିଳ ତର୍ପଣ କରିଥିଲେ। ପରେ ପୋଲିସ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଥିଲା।

ପାପଡାହାଣ୍ଡି ବ୍ଲକ ବିଡ଼ିଓ ରଞ୍ଜିତା ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ। ଅନୁଷ୍ଠିତ ସଭାରେ ସହିଦ ମାନଙ୍କ ବିରାଟ ତ୍ୟାଗ ଯୋଗୁଁ ଆମେ ସ୍ୱାଧୀନତା ପାଇଛୁ ବୋଲି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ମତ ରଖିଥିଲେ। ତେବେ ସହିଦ ମିନାରର କିପରି ଉନ୍ନତିକରଣ ହୋଇପାରିବ ସେଥିପାଇଁ ଚେଷ୍ଟା କରିବେ ବୋଲି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପ୍ରତିଶ୍ରୁତି ଦେଇଛନ୍ତି।

ରାଜ୍ୟ ସହିଦ ସ୍ମୃତି କମିଟିର ସଭାପତି ମନୋରଞ୍ଜନ ତ୍ରିପାଠୀ ଏହା ଏକ ରକ୍ତ ରଞ୍ଜିତ ମାଟି ବୋଲି ଅଭିହିତ କହିଥିଲେ। ଇତିହାସ ଓ ଦାୟାଦ ଯେତେଦିନ ପର୍ଯ୍ୟନ୍ତ ଥିବେ ଏ ସହିଦ ଦିବସ ପାଳନ ହୋଇ ଆସୁଥିବ। ପଞ୍ଜାବର ଅମୃତସରକୁ ଛାଡି ଦେଲେ ଏଠାରେ ହିଁ ଅଧିକ ସଂଗ୍ରାମୀ ମୃତ୍ୟୁ ବରଣ କରଥିବା କହିଛନ୍ତି।ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଉପସ୍ଥିତ ରହି ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଏହି ମାଟି  ଗୌରବ ବୋଲି କହିଥିଲେ।

ଏ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଝରୀଗାଁ ବିଧାୟକ ପ୍ରକାଶ ମାଝି, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଉପାଧ୍ୟକ୍ଷା ଲିପିକା ବରାଇ, ବ୍ଲକ ଅଧ୍ୟକ୍ଷା ହେମଲତା ମାଝି, ଉପାଧ୍ୟକ୍ଷା ସୁଶାନ୍ତ କୁମାର ବେହେରା, ମାଆଘର ଅଧ୍ୟକ୍ଷା କାଦମ୍ବିନି ତ୍ରିପାଠୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପିଡି ରତ୍ନାକର ସାହୁ, ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର ରାଉତ, ନବରଙ୍ଗପୁର ବିଡ଼ିଓ ସୁଶାନ୍ତ ପଟ୍ଟନାୟକ ପ୍ରମୁଖ  ଉପସ୍ଥିତ ରହିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ ମଞ୍ଚ ପରିଚାଳନା କରିଥିବା ବେଳେ ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ।

Tags: #Nawarangpur #papadahandisaheedsthambha #MLAnawarangapur #MPnawarangpur #freedomfighter

Comment