ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାଠାରେ ଥିବା ଶିଶୁ ଉଦ୍ୟାନ ଏବେ ଅବହେଳିତ ହୋଇପଡ଼ିଛି। ଉଦ୍ୟାନରେ ଲକ୍ଷାଧିକ ଟଙ୍କାର ଉପକରଣ ଖତ ଖାଇଲାଣି। କିନ୍ତୁ ଏ ଦିଗରେ ପ୍ରଶାସନର ନିଘା ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ନବରଙ୍ଗପୁରରେ ଡକ୍ଟର ଅରବିନ୍ଦ ପାଢ଼ୀ ଜିଲ୍ଲାପାଳ ଥିବା ସମୟରେ ପାପଡ଼ାହାଣ୍ଡିରେ ବ୍ଲକରେ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଥିଲା।  ଉଦ୍ୟାନ ଭିତରେ ନାମୀ ଦାମୀ ଗଛ ଲଗାଇବା ସହ ଶିଶୁ ମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଉପକରଣ ରଖାଯାଇଥିଲା। ଉଦ୍ୟାନ ହେବା ପରେ ସନ୍ଧ୍ୟାରେ ସେଠାରେ ଲୋକଙ୍କ ଭିଡ଼ ରହିବା ସହ ମନୋରଞ୍ଜନ କରୁଥିଲେ। କିନ୍ତୁ ଏହାର ତଦାରଖ ଏବଂ ରକ୍ଷଣା ବେକ୍ଷଣା ଦାୟିତ୍ୱ ସ୍ଥାନୀୟ ବ୍ଲକ ପ୍ରଶାସନକୁ ଦିଆଯାଇଥିଲା।

କିନ୍ତୁ ରକ୍ଷଣା ବେକ୍ଷଣା ଦାୟିତ୍ୱ ବ୍ଲକ ପ୍ରଶାସନ ନବୁଝିବାରୁ ସେଠାରେ ତାଲା ପକାଇ ଦିଆଯାଇଥିଲା। ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ତାଲା ପଡ଼ିଥିବା ବେଳେ ଉଦ୍ୟାନ ଭିତରେ ଏକ ପ୍ରକାର ଜଙ୍ଗଲରେ ପରିଣତ ହୋଇଛି। ଫଳରେ ଏହି ସ୍ଥାନ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଦୁର୍ବୃତ୍ତମାନେ ଉଦ୍ୟାନର ଉପକରଣ ଚୋରି କରି ନେଇଯାଉଛନ୍ତି।

ସ୍ଥାନୀୟ ଲୋକଙ୍କ ମନୋରଞ୍ଜନ ପାଇଁ ନିର୍ମାଣ ହୋଇଥିବା ଏହି ଶିଶୁ ଉଦ୍ୟାନର ପୁନଃ ଉଦ୍ଧାର କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Comment