ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ଜିଲ୍ଲାରେ ଦିନକୁ ଦିନ କୋଭିଡ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ କୋରାପୁଟ ମେଡିକାଲ କଲେଜ ଓ ନବରଙ୍ଗପୁର କୋଭିଡ୍ ମେଡିକାଲରେ ଭେଣ୍ଟିଲେଟର ଓ ଆଇସିୟୁ ଶଯ୍ୟା ବୃଦ୍ଧି ପାଇଁ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ।

ନବରଙ୍ଗପୁର କୋଭିଡ ମେଡିକାଲରେ ୪ଟି ଭେଣ୍ଟିଲେଟର ବିଶିଷ୍ଟ ୧୨ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ଆସନ୍ତା ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି। ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଭେଣ୍ଟିଲେଟର ଓ ଆଇସିୟୁ ଶଯ୍ୟା ସଂଖ୍ୟାକୁ ଦ୍ୱିଗୁଣିତ କରାଯାଉ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ଜିଲ୍ଲାର ଡାବୁଗାଁ ଓ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଲେଖାଏଁ ଡାକ୍ତର ଥିବାରୁ ଏକାସହ କୋଭିଡ ଓ ଅନ୍ୟାନ୍ୟ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ସମ୍ଭବ ହେଉନାହିଁ। ତେଣୁ ଏହି ଡାକ୍ତରଖାନାଗୁଡ଼ିକରେ ଆଉ ଜଣେ ଲେଖାଏଁ ଡାକ୍ତର ନିୟୋଜିତ କରିବା ପାଇଁ ଚିଠିରେ ଲେଖାଯାଇଛି।

କୋରାପୁଟ ମେଡିକାଲ କଲେଜ ଉପରେ ନବରଙ୍ଗପୁର, କୋରାପୁଟ, ମାଲକାନାଗିରି ଓ ରାୟଗଡା ଆଦି ୪ଟି ଜିଲ୍ଲାର ରୋଗୀ ମାନେ ନିର୍ଭର କରୁଛନ୍ତି। ଏହି ମେଡିକାଲରେ ୬ଟି ଆଇସିୟୁ ଶଯ୍ୟା, ୭୦ଟି ସାଧାରଣ ଶଯ୍ୟାର ବ୍ୟବସ୍ଥା ରହିଛି। କିନ୍ତୁ ଶଯ୍ୟା ସଂଖ୍ୟାରେ ବୃଦ୍ଧି କରାଯାଇ ୧୫ଟି ଆଇସିୟୁ ଶଯ୍ୟା ଓ ୬ଟି ଭେଣ୍ଟିଲେଟରର ବ୍ୟବସ୍ଥା କରାଯାଉ। ଏଥିସହ ଜିଲ୍ଲାବାସୀଙ୍କ ଆବଶ୍ୟକୀୟ ସୁବିଧାସୁଯୋଗ ଯୋଗାଇ ଦେବାକୁ ଚିଠି ମାଧ୍ୟମରେ ଦାବି ଜଣାଇଛନ୍ତି ସାଂସଦ ରମେଶ ଚନ୍ଦ୍ର ମାଝୀ।

Comment