ଓଡ଼ିଶାଲାଇଭ୍ ବ୍ୟୁରୋ

ସମଗ୍ର ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲା ସଦର ହସ୍ପିଟାଲରେ ଆବଶ୍ୟକୀୟ ସୁବିଧା ମିଳୁନଥିବାରୁ ଅନେକ କୋଭିଡ ରୋଗୀଙ୍କୁ ନେଇ ଭୁବନେଶ୍ୱର ଆସୁଛନ୍ତି। ତେବେ ଭୁବନେଶ୍ୱରରେ ପହଞ୍ଚିବା ପରେବି ସେମାନଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏପରିକି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଅଞ୍ଚଳରୁ ଯଦି କେହି ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବାପାଇଁ ଆସୁଛନ୍ତି, ସେମାନଙ୍କୁ ମଧ୍ୟ ହଇରାଣ ହେବାକୁ ପଡୁଛି। ସବୁଠାରୁ ବଡ଼ ସମସ୍ୟା ହେଉଛି, ରୋଗୀଙ୍କୁ ଆଡମିଶନ ପାଇଁ ଘରୋଇ ହସ୍ପିଟାଲଗୁଡ଼ିକ ମନା କରି ଦେଉଛନ୍ତି। ଭୁବନେଶ୍ୱର ମହାନଗର ନିଗମଠାରୁ ଅନୁମତି ନମିଳିଲେ ରୋଗୀଙ୍କୁ ଭର୍ତ୍ତି କରାଯାଉନଥିବା ଅଭିଯୋଗ ହେଉଛି।

ନିକଟରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବାପାଇଁ ଶୈଳଶ୍ରୀ ବିହାରରୁ ଜଣେ ଷାଠିଏ ବର୍ଷୀୟ ବୟସ୍କ ଆସିଥିଲେ। ବିଏମସିରୁ ଅନୁମତି ପାଇବା ପାଇଁ ତାଙ୍କୁ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ଯେତେବେଳେ ଅନୁମତି ମିଳିଲା, ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ବେଡ୍ ଖାଲି ନାହିଁ କୁହାଗଲା।

ଅର୍ବାନ ହେଲଥ ଅଫିସର ଅନ୍ତର୍ଯ୍ୟାମୀ ମିଶ୍ରଙ୍କ କହିବା ଅନୁଯାୟୀ, ଘରୋଇ ହସ୍ପିଟାଲରେ ରୋଗୀମାନେ ନିଜେ ଟଙ୍କା ଖର୍ଚ୍ଚ କରିଥାନ୍ତି। ତେଣୁ ଏଠାରେ ଆଡମିଶନ ପାଇଁ ବିଏମସି ପକ୍ଷରୁ କୌଣସି ଅନୁମତି ଆଣିବା ଦରକାର ନଥାଏ। ଯଦି କୌଣସି ହସ୍ପିଟାଲ ଚାହୁଁଛନ୍ତି ତେବେ ତାହା ଠିକ୍ ନୁହେଁ। ରଜଧାନୀର ଘରୋଇ ହସ୍ପିଟାଲଗୁଡ଼ିକ ନିଜ ମନ ମୁତାବକ କରୋନା ରୋଗୀଙ୍କୁ ବେଡ୍ ଦେଉଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ଥିବା ରୋଗୀଙ୍କ ପ୍ରତି ଅବହେଳା କରାଯାଉନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଗଲେ ମଧ୍ୟ ଏହାର ବାସ୍ତବ ଚିତ୍ର ଅଲଗା ବୋଲି ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି।

Comment