ଓଡ଼ିଶାଲାଇଭ୍ ବ୍ୟୁରୋ

“ଆଜିଠାରୁ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ। ନୟାପଲ୍ଲୀରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ନେଇ ଡ୍ରାଏ ରନ୍ ମଧ୍ୟ କରାଯାଇଛି। ସୋମବାର ଠାରୁ ଏହାକୁ ବ୍ୟାପକ କରାଯିବ। ଟିକା ନେବା ପାଇଁ ଆଜିଠୁ କୋୱିନ୍ ପୋର୍ଟାଲରେ ସ୍ଲଟ୍ ବୁକ୍ କରନ୍ତୁ। ବିନା ପଞ୍ଜିକରଣରେ କାହାକୁ ମିଳିବନି ଟିକା। ଭୁବନେଶ୍ୱରରେ ଟିକାର ଅଭାବ ନାହିଁ”, କହିଛନ୍ତି ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧାରୀ।

ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀର ମୁକାବିଲା କିଭଳି ସାହସର ସହ କରାଯାଇପାରିବ ସେନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୋଭିଡ୍ ସଚେତନତା ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଥିରେ ଅଂଶଗ୍ରହଣ କରିଥିଲେ ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧାରୀ। ଏଥିରେ ଅଂଶଗ୍ରହଣ କରି ସେ ଭୁବନେଶ୍ୱରର କୋଭିଡ୍ ସ୍ଥିତି ଓ କୋଭିଡ୍ ପରିଚାଳନା ସମ୍ପର୍କରେ ଜଣାଇଥିଲେ।“ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୭୫୮୮ ଆକ୍ଟିଭ କେସ୍ ରହିଛି। ୨ରୁ ୩ ଦିନ ହେଲା ଦୈନିକ ସଂକ୍ରମଣ ହଜାରେ ଟପୁଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବେଡର ଅଭାବ ନାହିଁ। ବର୍ତ୍ତମାନ ସୁଦ୍ଧା ୩୫୫୩ଟି ବେଡ୍ ଉପଲବ୍ଧ ହେଉଛି। ସେଥରୁ ୫୩୧ଟି ଆଇସିୟୁ, ୮୩୬ଟି ଏଚ୍ଡିୟୁ ବେଡ୍ ଉପଲବ୍ଧ ରହିଛି। ଆଇସିୟୁ ବେଡର ୯୫ ପ୍ରତିଶତରେ ରୋଗୀଙ୍କ ଚିକିତ୍ସା ଚାଲିଛି। ୫୩୬ଟି ଏଚ୍ଡିୟୁ ବେଡରେ ୫୦ ପ୍ରତିଶତ ରୋଗୀ ଚିକିତ୍ସାଧୀନ ଅଛନ୍ତି। ସେହିପରି ୨୧୮୬ ସାଧାରଣ ବେଡ ରହିଛି। ୯୫ ପ୍ରତିଶତ ସାଧାରଣ ବେଡରେ ଅକ୍ସିଜେନ ଉପଲବ୍ଧ ଅଛି। ସାଧାରଣର ବେଡରେ ୫୦ ପ୍ରତିଶତ ଖାଲି ରହିଛି। ଜର, କାଶ, ଥଣ୍ଡା ଭଳି କୋଭିଡ୍‌ର ଲକ୍ଷଣ ଦେଖାଗଲେ, ଡେରି ନକରି ଡାକ୍ତରଙ୍କ ପରାମର୍ଶ କ୍ରମେ ଟେଷ୍ଟ କରନ୍ତୁ”, କହିଛନ୍ତି ବିଏମ୍‌ସି କମିସନର।Quarantineସେ ଆଉ ମଧ୍ୟ କହିଛନ୍ତି, “ଭୁବନେଶ୍ୱରରେ ୮୫ ପ୍ରତିଶତ ଆକ୍ରାନ୍ତ ଘରେ ଆଇସୋଲେସନରେ ଅଛନ୍ତି। ପ୍ରତି ଓ୍ୱାର୍ଡରେ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ଉପରେ ନଜର ରଖିଛନ୍ତି ରାପିଡ୍ ରେସପନ୍ସ ଟିମ୍। ଏହାସହିତ ଭିଡିଓ କନଫରେନ୍ସରେ ଆକ୍ରାନ୍ତଙ୍କ ସହ ଯୋଗାଯୋଗରେ ରହୁଛନ୍ତି ଏହି ଟିମ୍। ଅଯଥାରେ ଦୋକାନରେ ଭିଡ଼ ଜମାଇ ଖାଆନ୍ତୁ ନାହିଁ। ସାଙ୍ଗରେ ପାର୍ସଲ ନେଇ ଘରେ ଖାଆନ୍ତୁ। ଦୟାକରି ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରନ୍ତୁ। ସଟ୍‌ଡାଉନ ଓ ଲକଡାଉନ ସମୟରେ ଜରୁରୀ ନଥିଲେ ବାହାରକୁ ଯାଆନ୍ତୁ ନାହିଁ।”

Comment