ଓଡ଼ିଶାଲାଇଭ୍ ବ୍ୟୁରୋ

 କିଶୋର ମହାପାତ୍ର,(ନୟାଗଡ ରୁରାଲ): ନୟାଗଡ ବଜାର ଦିନକୁ ଦିନ ବିସ୍ତାର ହେଉଥିବାବେଳେ ଜନଗହଳି ବଢ଼ିବାରେ ଲାଗିଛି। ବଜାରରେ ନିର୍ଦ୍ଦିଷ୍ଟ ପାର୍କିଂସ୍ଥଳ ନଥିବାରୁ ଲୋକମାନେ ରାସ୍ତା ଉପରେ ଯାନବାହାନ ରଖୁଛନ୍ତି। ସହରର ଏହି ପ୍ରମୁଖ ସ୍ଥାନରେ ଉପୁଜୁଥିବା ଟ୍ରାଫିକ ସମସ୍ୟା ସମ୍ପର୍କରେ ନୟାଗଡ ବିଧାୟକ ଡକ୍ଟର ଅରୁଣ କୁମାର ସାହୁଙ୍କୁ ଚିଠି ଲେଖି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଞ୍ଜିତ ଦାସ ଅବଗତ କରାଇଛନ୍ତି।

ନୟାଗଡ ସହରର କେନ୍ଦ୍ର ସ୍ଥଳରେ ପୁରୁଣା ଜେଲ ଜମିରେ ପୌର ପରିଷଦ ପ୍ରସ୍ତାବିତ ବହୁତଳ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ନିଷ୍ପତ୍ତି ପ୍ରତ୍ୟାହାର କରାଯାଇ ଏବଂ ଏହି ଜାଗାକୁ ସର୍ବସାଧାରଣ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରିବା ପାଇଁ ରଞ୍ଜିତ ଦାସ ଚିଠିରେ ଉଲ୍ଲେଖ କରିଛନ୍ତି।

ପୂର୍ବରୁ ଜେଲ ଜମିରେ କୋର୍ଟ କମ୍ପ୍ଲେକ୍ସ ହେବା ପାଇଁ ବିଚାର ବିଭାଗର ପ୍ରସ୍ତାବ ଥିଲା ରହିଥିଲା। ତେବେ ସେହି ସ୍ଥାନରେ କୋର୍ଟ କରାନଯାଇ ତାହାକୁ ପାର୍କିଂ ସ୍ଥଳ କରିବା ପାଇଁ ନୟାଗଡ ବିକାଶ ପରିଷଦ, ବଣିକ ସଂଘ ତତ୍କାଳୀନ ଏନଏସି ପରିଷଦ ଏବଂ ବିଭିନ୍ନ ଗଣ ସଂଗଠନ ମାନେ ମିଳିତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ।

ଏହି କ୍ରମରେ ନୟାଗଡ ବିକାଶ ପରିଷଦ ସହ ସମସ୍ତ ଗଣ ସଂଗଠନ ପୁରୁଣା ଜେଲ ଜମିରେ ଖୋଲା ପାର୍କିଂ ନିର୍ଣ୍ଣୟ ହୋଇଥିଲା। ବର୍ତ୍ତମାନ ପୁଣିଥରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଯୋଜନା ହେଉଥିବାବେଳେ ଏହାର ଆବଶ୍ୟକତା ନଥିବା ରଞ୍ଜିତ ଦାସ କହିଛନ୍ତି।

ନୟାଗଡ ବଜାରରେ ବିଜୁ ମାର୍କେଟ, ରାଜୀବ ମାର୍କେଟ, ଜୁବୁଲି ମାର୍କେଟ, ଅମରେନ୍ଦ୍ର ମାର୍କେଟ ଏବଂ ପାର୍କ ସାମ୍ନା ପ୍ରିୟଦର୍ଶିନୀ ମାର୍କେଟ ପାଇଁ ନିର୍ଦ୍ଦିଷ୍ଟ ପାର୍କିଂ ପ୍ଳାନ ନଥାଇ ମାର୍କେଟ କମ୍ପ୍ଲେକ୍ସ ଯୋଜନା ମଞ୍ଜୁର କରାଯାଇ ବଡ ଭୁଲ କରାଯାଇଛି ବୋଲି ରଞ୍ଜିତ ଦାସ କହିଛନ୍ତି।

ନୟାଗଡ ବାସୀଙ୍କ ସମୂହ ସ୍ଵାର୍ଥ ଏବଂ ଟ୍ରାଫିକ ମୁକ୍ତ ସୁନ୍ଦର ସହର ଗଠନ ପାଇଁ ପୁରୁଣା ଜେଲ ଜମିରେ ପ୍ରସ୍ତାବିତ ବହୁତଳ ମାର୍କେଟ କମ୍ପ୍ଲେକ୍ସ ନିଷ୍ପତ୍ତି ପ୍ରତ୍ୟାହାର କରାଯାଇ ସେଠାରେ ପୌରପରିଷଦ ପରିଚାଳିତ ସର୍ବସାଧାରଣ ବ୍ୟବହାର ପାଇଁ ପାର୍କିଂ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି।

Tags: #Nayagarh #MLAArunsahoo #Ranjitdash #nayagarhbazar

Comment