ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ସମୟରେ ନିୟମଗିରି ଅଞ୍ଚଳରେ ମାଓବାଦୀ ପୋଷ୍ଟର ଏବଂ ବ୍ୟାନର ଦେଖିବାକୁ ମିଳୁଥିବାବେଳେ ଏବେ ଏହି ଅଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସଲି ପଞ୍ଚାୟତର କିଛି ସ୍ଥାନରେ ମାଓବାଦୀ ବିରଧୀ ପୋଷ୍ଟର ଲଗାଯାଇଛି।

ଏହି ପୋଷ୍ଟର ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଲଗାଯାଇଥିବା ଉଲ୍ଲେଖ ରହିଛି। ପୋଷ୍ଟରରେ ଲେଖାଯାଇଛି ନିୟମଗିରି ଅଞ୍ଚଳର ନିରୀହ ଝିଅମାନଙ୍କୁ ମାଓବାଦୀ ସଙ୍ଗଠନରେ ସାମିଲ କରି ଯୌନ ନିର୍ଯାତନା ଦିଆଯାଉଛି। ନିୟମଗିରିର କିଛି ଆତ୍ମଘୋଷିତ ସୁରକ୍ଷା କର୍ମୀ, ମାନବାଧିକାର କର୍ମୀ ଓ ଜନଜାତି ସୁରକ୍ଷା କର୍ମୀ ନିୟମଗିରି ସୁରକ୍ଷା ନାଁରେ ମାଓବାଦୀଙ୍କୁ ସହଯୋଗ କରୁଛନ୍ତି। ଡଙ୍ଗରିଆଙ୍କ ସରଳତାର ସୁଯୋଗ ନେଇ ନିୟମଗିରିକୁ ମାଓବାଦୀଙ୍କ ହାତକୁ ଟେକି ଦିଆଯାଇଥିବା ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

ନିୟମଗିରି ସୁରକ୍ଷା ସମିତି ଆବାହକ ଲଦ ସିକକା, ଡ୍ରେଞ୍ଜୁ କରସିକ ଓ ସମ୍ବରା ସିକକାଙ୍କ ବିନା ଅନୁମତିରେ ନିରୀହ ଝିଅମାନେ ମାଓବାଦୀ ସଂଗଠନରେ କିପରି ସାମିଲ ହେଉଛନ୍ତି ବୋଲି ପୋଷ୍ଟରେ ପ୍ରଶ୍ନ କରାଯାଇଛି। ମାଓବାଦୀ ସଂଗଠନଠାରୁ ନିୟମଗିରିକୁ ବଞ୍ଚାଇବା ଲାଗି ପୋଷ୍ଟର ମାଧ୍ୟମରେ ଅନୁରୋଧ କରିଛି ନିୟମଗିରି ସୁରକ୍ଷା ସମିତି।

Tags: #MaoistPoster #AntiMaoistPoster #Niyamgiri #Rayagada

Comment