ଡକ୍ଟର ଫକୀର ମୋହନ ନାହାକ

Television Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି

ଆମ ଅଜାଣତରେ ଉଠାଯାଇଥିବା ଫଟୋଗ୍ରାଫଟିଏ ସବୁବେଳେ ଆମ ପାଇଁ କୌତୁହଳର କାରଣ ପାଲଟିଯାଏ। ତାହା ଲୋକଲୋଚନକୁ ଆସିବା ପୂର୍ବରୁ ଆମେ ତାକୁ ଦେଖିବା ପାଇଁ ଚେଷ୍ଟା କରନ୍ତି। ମନରେ ଗୋଟିଏ ଭୟ ଥାଏ, କାଳେ ଆମେ କୌଣସି ଅଖାଡୁଆ ସ୍ଥିତିରେ ଥିଲା ବେଳେ ଯଦି କେହି ଆମ ଅଜାଣତରେ ଫଟୋଗ୍ରାଫଟିଏ ଉଠାଇ ନେଇଛି, ତା’ହେଲେ ହୁଏତ ସେହି ଫଟୋଗ୍ରାଫ୍ ଆମକୁ ଅନ୍ୟମାନଙ୍କ ସାମ୍ନାରେ ନିନ୍ଦିତ ବା ଲଜ୍ଜିତ କରିପାରେ। କିନ୍ତୁ ଯଦି ତାହା କୌଣସି ପ୍ରଶଂସାଯୋଗ୍ୟ ପଦକ୍ଷେପ ହୋଇଥାଏ, ତା’ହେଲେ ଆମକୁ ପ୍ରଶଂସା ମିଳିବା ତ ସ୍ୱାଭାବିକ ପ୍ରକ୍ରିୟା ହେବ। ତେବେ ଅଜାଣତରେ ନିଆଯାଇଥିବା ଏମିତି ଫଟୋଗ୍ରାଫ୍ ବା ଭିଡିଓକୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇପାରେ, ତାହା ନିଶ୍ଚିତ ଭାବେ ବିଚାରଯୋଗ୍ୟ ବିଷୟ। କିନ୍ତୁ ଏ ବିଚାରଣାର ଢେର ପୂର୍ବରୁ ଓଟିଭି ଆରମ୍ଭ କରିଥିଲା ଏକ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍।

ସେତେବେଳେ ଓଟିଭିର କରେଣ୍ଟ ଆଫାଏର୍ସଡେସ୍କ କଥା ବୁଝୁଥାନ୍ତି ଅର୍ଦ୍ଧେନ୍ଦୁ ଦାସ। ଏମିତି ହିଁ କିଛି ନିଆରା କାର୍ଯ୍ୟକ୍ରମ କରିବାର ଚାପ ଏବଂ ନିଶା ତାଙ୍କୁ ବାଧ୍ୟ କରିଥିଲା କିଛି ଭିନ୍ନ କଥା ଭାବିବା ପାଇଁ। ସେ ସମୟର ସେହି ମାନସିକ ମନ୍ଥନରୁ ସୃଷ୍ଟି ହୋଇଥିଲା ନ୍ୟୁଜ୍ ଫ୍ୟୁଜ୍। ପ୍ରଥମ ପାଇଲଟ୍ ଏପିସୋଡକୁ ଉପସ୍ଥାପନ କରିଥିଲେ ନ୍ୟୁଜ୍ ଆଙ୍କର ମୃଣାଳକାନ୍ତି ନନ୍ଦ। କିନ୍ତୁ ସେ ନିଜେ ହିଁ ଅନୁଭବ କରିପାରିଥିଲେ ଯେ, କାର୍ଯ୍ୟକ୍ରମଟି ତାଙ୍କ ବ୍ୟକ୍ତିତ୍ୱ ଓ ଉପସ୍ଥାପନ ଶୈଳୀକୁ ଆଦୌ ଖାପ ଖାଉନାହିଁ। ତେଣୁ ସେହି ପାଇଲଟ୍ ଏପିସୋଡ୍ ବ୍ୟତୀତ ସେ ଆଉ କେବେ ଏହି କାର୍ଯ୍ୟକ୍ରମ ଉପସ୍ଥାପନ କରିନାହାନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଉପସ୍ଥାପନ କଲେ ବରିଷ୍ଠ ଟେଲିଭିଜନ ଓ ସିନେ ଅଭିନେତା କୁନା ତ୍ରିପାଠୀ। ଏହି କାର୍ଯ୍ୟକ୍ରମରେ ବ୍ୟବହୃତ କ୍ୟାଣ୍ଡିଡ୍ କ୍ୟାମେରାର ବିଭିନ୍ନ ସଟ୍ ସାଙ୍ଗକୁ, ବ୍ୟବହାର କରାଯାଉଥିବା ମ୍ୟୁଜିକ୍ ଏବଂ ଏହାର ଭିନ୍ନ ଧରଣର ଲେଖନ ଶୈଳୀ କାର୍ଯ୍ୟକ୍ରମକୁ ଅଧିକ ଲୋକପ୍ରିୟ କରାଇବାରେ ସହାୟକ ହୋଇପାରିଛି।

ନ୍ୟୁଜ୍ ଫ୍ୟୁଜ୍ କାର୍ଯ୍ୟକ୍ରମର ପ୍ରଥମ ଉପସ୍ଥାପକ ବରିଷ୍ଠ ଟେଲିଭିଜନ ଓ ସିନେ ଅଭିନେତା କୁନା ତ୍ରିପାଠୀ

ଏଥିରେ ଯେ କେବଳ ସରକାରୀ ବାବୁ କିମ୍ବା ନେତାମାନେ କେଉଁଠି କିଛି ଗଫଲତି କରିବା ଚିତ୍ର ଦେଖା ଯାଉଥିଲା ତା’ ନୁହେଁ, ବରଂ ସାଧାରଣ ଲୋକଙ୍କ ଜୀବନରେ ଆସୁଥିବା ସତ୍ୟଘଟଣା ଏବଂ ସାଧାରଣଠାରୁ ଭିନ୍ନ ଘଟଣାକୁ ନେଇ ଉପସ୍ଥାପନ କରାଯାଉଛି। କେଉଁଠି କିଏ ନିୟମ ଉଲ୍ଲଂଘନ କଲା ତ, ଆଉ କେଉଁଠି ନିଜେ ନେତା ନିୟମ ଉଲ୍ଲଂଘନ କଲେ, ସେହିଭଳି କେଉଁଠି ଅପ୍ରତ୍ୟାଶିତ ଭାବେ କେହି ଜଣେ ସଫଳତାର ଶୀର୍ଷରେ ପହଞ୍ଚିଛି ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଯାଇଛି, ଏମିତି ହିଁ କିଛି ତଥ୍ୟକୁ ନେଇ ନିୟମିତ ଭାବେ ଉପସ୍ଥାପିତ ଏବଂ ପ୍ରସ୍ତୁତ ହେଉଛି କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍। ଇଏ ପୁରୁଣା ଦିନର ନିଆଁଖୁଣ୍ଟା କି ଦୁର୍ମୁଖ ନହେଲେ ବି ଟେଲିଭିଜନରେ ଶ୍ଳେଷ ଏବଂ ବ୍ୟଙ୍ଗାତ୍ମକ ଢଙ୍ଗରେ ଉପସ୍ଥାପିତ ହେଉଥିବା ଏକ ନିଆରା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଜରିଆରେ ଢେର୍ ସଫଳତା ମିଳିଛି ଓଟିଭିକୁ। ବର୍ତ୍ତମାନ ସୁଦ୍ଧା ନ୍ୟୁଜ୍ ଫ୍ୟୁଜ୍ ର ଦୁଇ ହଜାରରୁ ଅଧିକ ଅଧ୍ୟାୟ ପ୍ରସାରିତ ହୋଇ ସାରିଲାଣି।

କେବଳ ବ୍ୟଙ୍ଗ ନୁହେଁ, ସାଧାରଣ ଲୋକମାନଙ୍କ ବିଭିନ୍ନ ସମସ୍ୟା ଏବଂ ସେଥିପ୍ରତି ସରକାର ଓ ପ୍ରଶାସନର ଉଦାସୀନତାକୁ ବି ଏଥିରେ ସ୍ଥାନୀତ କରାଯାଇଛି। କେବଳ ସେତିକି ନୁହେଁ, ଯଦି କୌଣସି ଲୋକପ୍ରତିନିଧି ବା ଅଧିକାରୀ ଏମିତି କିଛି ଉଦାହରଣ ଯୋଗ୍ୟ କାର୍ଯ୍ୟ କରିପାରିଛନ୍ତି, ଯାହା ଫଳରେ ସେ ଅନ୍ୟମାନଙ୍କ ପାଖରେ ଏବଂ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଯାଇଛନ୍ତି, ତାକୁ ବି ଅତି ନମ୍ର ଭାବରେ ଉପସ୍ଥାପନ କରାଯାଇଛି କାର୍ଯ୍ୟକ୍ରମରେ। ତେଣୁ କେବଳ ନେଗେଟିଭ୍ ନୁହେଁ ପରସ୍ପରକୁ ପ୍ରୋତ୍ସାହିତ କଲାଭଳି କିଛି ଘଟଣାକୁ ଏହି କାର୍ଯ୍ୟକ୍ରମରେ ସ୍ଥାନୀତ କରାଯାଇଛି।

କେଉଁଠି ନଦୀ ଉପରେ ପୋଲ ନାହିଁ ତ, ଆଉ କେଉଁଠି ରାସ୍ତାରେ ଲୋକମାନେ ଧାନ ରୋଇଲେଣି, କେଉଁଠି ଶିକ୍ଷକ ମଦ ପିଇ ସ୍କୁଲକୁ ଆସିଛନ୍ତି ତ ଆଉ କେଉଁଠି ଝରକା ଡେଇଁ ଚାରି ମହଲା ଉପରେ ବସିଥିବା ସ୍କୁଲ ପିଲାଙ୍କୁ କପି ଯୋଗାଇବା ଲାଗି ବନ୍ଧୁ, ବାନ୍ଧବ ଏବଂ ଈଷ୍ଟ ମିତ୍ର ସମସ୍ତେ ଡେରା ପକାଇଛନ୍ତି। ଏମିତି ଅନେକ ଘଟଣାକୁ ଅତି ଗୁରୁତ୍ୱର ସହ ଦେଖାଇଛି ଓଟିଭି । ଆଉ ଏହି କାର୍ଯ୍ୟକ୍ରମ ଓଟିଭିକୁ ଲୋକପ୍ରିୟତା ଦେବା ସହ ଏକ ପରିଚୟ ବି ପ୍ରଦାନ କରିଛି କହିଲେ ଭୁଲ୍ ହେବନି।

ନ୍ୟୁଜ୍ ଫ୍ୟୁଜ୍ କାର୍ଯ୍ୟକ୍ରମର ଉପସ୍ଥାପକ ହୃଷୀକେଶ

କାର୍ଯ୍ୟକ୍ରମ ଆରମ୍ଭରୁ ଅନେକ ଦିନ ଯାଏଁ ନ୍ୟୁଜ୍ ଫ୍ୟୁଜ୍ କୁ ପ୍ରସ୍ତୁତ କରୁଥିଲେ ପ୍ରସନ୍ନ ସୁବୁଦ୍ଧି ଏବଂ ସମରେନ୍ଦ୍ର ବଳୀୟାରସିଂହ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବ ଯାଏଁ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନ କରୁଥିଲେ କୁନା ତ୍ରିପାଠୀ। କିନ୍ତୁ ପରବର୍ତ୍ତୀ ସମୟରେ କିଛି ବ୍ୟକ୍ତିଗତ ତଥା ରାଜନୈତିକ କାରଣରୁ ଏହି ଉପସ୍ଥାପନରୁ ନିଜକୁ ଦୂରେଇ ନେଲେ କୁନା ତ୍ରିପାଠୀ। ତା’ ପରଠାରୁ ନ୍ୟୁଜ୍ ଫ୍ୟୁଜ୍ କାର୍ଯ୍ୟକ୍ରମକୁ ଉପସ୍ଥାପନ କରୁଛନ୍ତି ହୃଷୀକେଶ। ଉଭୟଙ୍କ ଉପସ୍ଥାପନ ଶୈଳୀ ନିଆରା ଓ ଭିନ୍ନ। ତଥାପି କାର୍ଯ୍ୟକ୍ରମ ଜାରି ରହିଛି। ସପ୍ତାହାନ୍ତ ଛୁଟିରେ ଦର୍ଶକ ଏହାର ମଜା ନେଉଛନ୍ତି। ଏବେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି ଅପର୍ଣ୍ଣା ମହାନ୍ତି ଏବଂ ସୁବ୍ରତ ଦାସ। ମୋଟାମୋଟି କହିବାକୁ ଗଲେ ଓଟିଭି ପାଇଁ ଏକ ପରିଚୟପତ୍ର ପାଲଟି ପାରିଛି ନ୍ୟୁଜ୍ ଫ୍ୟୁଜ୍।

ଏମିତି ହିଁ ଆଉ ଏକ କାର୍ଯ୍ୟକ୍ରମ ୨୦୧୨ ମସିହାରେ ଆରମ୍ଭ କରିଥିଲା ଓଟିଭି। ଏହା ପାଖାପାଖି ବର୍ଷେ ଯାଏଁ ଚାଲିଲା ଏବଂ ଏହାକୁ ନେଇ ସେ ସମୟରେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଗଣମାଧ୍ୟମ ଯାଏଁ ସମସ୍ତେ ମୁଖରିତ ହୋଇଥିଲେ। ଏହି ଚର୍ଚ୍ଚିତ କାର୍ଯ୍ୟକ୍ରମର ନାଁ ଥିଲା ଟେଷ୍ଟି ଟେଷ୍ଟି। ଓଡ଼ିଶାର ପାରମ୍ପରିକ ଖାଦ୍ୟ, ବିଲୁପ୍ତ ପ୍ରାୟ ଖାଦ୍ୟ, ମେଳା ମହୋତ୍ସବର ସ୍ୱତନ୍ତ୍ର ଖାଦ୍ୟ, ଆଦିବାସୀ ପରମ୍ପରାର ଖାଦ୍ୟ ଏବଂ ମଠ ମନ୍ଦିରର ସ୍ୱତନ୍ତ୍ର ଖାଦ୍ୟ ସମ୍ପର୍କରେ ଆଲୋଚନା ପାଇଁ ପ୍ରସ୍ତୁତ ହେଉଥିଲା ଏହି କାର୍ଯ୍ୟକ୍ରମ। ଏହାର ଉପସ୍ଥାପକ ଥିଲେ ଭକ୍ତ ତ୍ରିପାଠୀ। ପୂର୍ବରୁ ବହୁ ଦିନ ଧରି ଖବର କାଗଜରେ କାମ କରିଥିବା ଭକ୍ତ, ଓଟିଭିରେ ଅନୁସନ୍ଧାନ ସମ୍ପାଦକ ଭାବେ ଯୋଗ ଦେଇଥାନ୍ତି।

ଟେଷ୍ଟି ଟେଷ୍ଟି କାର୍ଯ୍ୟକ୍ରମର ଉପସ୍ଥାପକ ଭକ୍ତ ତ୍ରିପାଠୀ

ସେତେବେଳେ କରେଣ୍ଟ ଆଫାଏର୍ସ କାର୍ଯ୍ୟକ୍ରମର ଏକ ଅଂଶଭାବରେ ଏହାକୁ ପ୍ରସ୍ତୁତ କରିବା ପାଇଁ ସ୍ଥିର କରାଗଲା ଏବଂ ଭ୍ରମଣକାହାଣୀ ବୃତାନ୍ତ ଲେଖିଲା ଭଳି, ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ, ଗାଁରୁ ଗାଁକୁ ବୁଲୁଥିଲେ ଭକ୍ତ ତ୍ରିପାଠୀ, ଏହି କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ। ସେତେବେଳେ ରାଷ୍ଟ୍ରୀୟ ଗଣମାଧ୍ୟମ ଏନଡିଟିଭି ଇଣ୍ଡିଆରେ ପ୍ରସାରିତ ହେଉଥାଏ ଗୋଟିଏ କାର୍ଯ୍ୟକ୍ରମ- ଜାୟକା ଇଣ୍ଡିଆ କା। ଏହାକୁ ଉପସ୍ଥାପନ କରୁଥିଲେ ଦିବଙ୍ଗତ ସାମ୍ବାଦିକ ବିନୋଦ ଦୁଆ। ଅବିକଳ ସେହି କାର୍ଯ୍ୟକ୍ରମର ଢାଞ୍ଚାରେ ପ୍ରସ୍ତୁତ ହେଉଥିଲା ଓଟିଭିର ଟେଷ୍ଟି ଟେଷ୍ଟି। ସେହି ସମୟରେ ଦେଶ ବିଦେଶରେ ରହୁଥିବା ଓଡ଼ିଆମାନେ ଏହି କାର୍ଯ୍ୟକ୍ରମକୁ ବେଶ୍ ପସନ୍ଦ କରୁଥିଲେ। ଏପରିକି ବିଦେଶରେ ରହି ଓଡ଼ିଆର ମୌଳିକ ଖାଦ୍ୟକୁ ଭୁଲି ଯାଇଥିବା ଲୋକେ, ଟେଷ୍ଟି ଟେଷ୍ଟି ଦ୍ୱାରା ପ୍ରୋତ୍ସାହିତ ହୋଇ ବିଦେଶରେ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ପୁଣି ଖାଇବାକୁ ପ୍ରୟାସ କରିଥିଲେ।

କାର୍ଯ୍ୟକ୍ରମର ଉପସ୍ଥାପକ, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଭକ୍ତ ତ୍ରିପାଠୀଙ୍କ ସହିତ ଆଲୋଚନା କଲା ବେଳେ, ସେ ଏହି ଲେଖକଙ୍କୁ କିଛି ପ୍ରବାସୀ ଓଡ଼ିଆଙ୍କ ତତ୍କାଳୀନ ଇମେଲ୍ ବାର୍ତ୍ତା ଦେଇଛନ୍ତି। ଟେଷ୍ଟି ଟେଷ୍ଟି କାର୍ଯ୍ୟକ୍ରମର ଲୋକପ୍ରିୟତା ଦେଖି ସେ ସମୟରେ କିଛି ଓଡ଼ିଆ ଏବଂ ଇଂରାଜୀ ଖବରକାଗଜ ଏହାକୁ ଖବର ଏବଂ ଫିଚର ରୂପରେ ପ୍ରକାଶ ବି କରିଛନ୍ତି। ପ୍ରାୟ ୬୦ଟି ଏପିସୋଡ୍ ପ୍ରସ୍ତୁତ ଏବଂ ପ୍ରସାରଣ ପରେ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା। କିନ୍ତୁ ଏହା ନିଶ୍ଚିତ ଭାବେ କୁହାଯାଇପାରିବ ଯେ, ଓଟିଭିକୁ ଏକ ନମ୍ବର ସ୍ଥାନରେ ପହଞ୍ଚାଇବା ପଛରେ ଏହିଭଳି କାର୍ଯ୍ୟକ୍ରମଗୁଡ଼ିକର ବିଶେଷ ଭୂମିକା ରହିଥିଲା, ତାହା ନିଃସନ୍ଦେହ।

ଟ୍ରାଭେଲ୍ ଓଡ଼ିଶା କାର୍ଯ୍ୟକ୍ରମର ଉପସ୍ଥାପକ ସ୍ୱାଧୀନ ରାଉତ

ନ୍ୟୁଜ୍ ଫ୍ୟୁଜ୍ ଏବଂ ଟେଷ୍ଟି ଟେଷ୍ଟିର ପ୍ରସାରଣ ମଧ୍ୟବର୍ତ୍ତୀ ସମୟରେ ଓଟିଭି ଆରମ୍ଭ କରିଥିଲା ଆଉ ଏକ କାର୍ଯ୍ୟକ୍ରମ- ଟ୍ରାଭେଲ୍ ଓଡ଼ିଶା। ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ଲୋକଲୋଚନକୁ ଆଣିବା ପାଇଁ ଏହାଥିଲା ଏକ ପ୍ରୟାସ। ସେତେବେଳେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏହି କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରିଥାଏ। ପ୍ରଥମେ ହରିହର ପଣ୍ଡା ଏବଂ ପରବର୍ତ୍ତୀ ସମୟରେ ସ୍ୱାଧୀନ ରାଉତ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନ କରୁଥିଲେ। ଏହି ତିନିଟି ଯାକ କାର୍ଯ୍ୟକ୍ରମର ଗୋଟିଏ ବିଶେଷତା ହେଉଛି ଯେ, ଏହା ରାଜ୍ୟର କୋଣ ଅନୁକୋଣର ଲୋକଙ୍କୁ ଯୋଡ଼ିବା ପାଇଁ ପ୍ରୟାସ କରିଛି। ବିଶେଷକରି ରାଜ୍ୟର ବିଭେଦତାକୁ ଗୋଟିଏ ମଞ୍ଚରେ ଉପସ୍ଥାପନ କରିବା ଏବଂ ଏ ବାବଦରେ ଲୋକଙ୍କୁ ସଚେତନ କରାଇବା ଥିଲା ଏହାର ମୂଳ ଉଦ୍ଦେଶ୍ୟ। ମୋଟାମୋଟି କହିବାକୁ ଗଲେ, ଏମିତି ହିଁ କାର୍ଯ୍ୟକ୍ରମ ସବୁଓଟିଭିକୁ ସମୃଦ୍ଧ କରିପାରିଛି।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tags: #DrFakirMohanNahak #Television #Programes #OTV #TastyTasty #NewsFuse #OdishaTVMedia

Comment