ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ୨୦୨୩ ପୁରୁଷ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ହକି ଫେଡେରେସନ (ଏଫ୍‌ଆଇଏଚ୍‌) ଓ ହକି ଇଣ୍ଡିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବୁଧବାର ଦିନ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଏହି ଅବସରରେ ପ୍ରତିନିଧି ଦଳ ଷ୍ଟାଡିୟମ ପରିସରରେ ଥିବା ଅଭ୍ୟାସ ପଡ଼ିଆର ଉଦ୍‌ଘାଟନ କରିଥିଲେ।

ଏହି କେନ୍ଦ୍ରରେ ଏଫ୍‌ଆଇଏଚ୍‌ ମାନ୍ୟତା ଟର୍ଫ ବିଶିଷ୍ଟ ଅଭ୍ୟାସ ପଡିଆରେ ୨୦୦ ଦର୍ଶକଙ୍କ ବସିବା ବ୍ୟବସ୍ଥା ସହ ଫ୍ଲଡ ଲାଇଟ, ରିକଭରି ଏରିଆ ଫିଟନେସ କେନ୍ଦ୍ର ସହ ଅନ୍ୟାନ୍ୟ ସୁବିଧା ରହିଛି।

ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଏଫ୍‌ଆଇଏଚ୍‌ର କାର୍ଯ୍ୟକାରୀ ସଭାପତି ସୈଫ୍‌ ଅହମଦ, ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରୀ ଓ୍ଵିଲ, ହକି ଇଣ୍ଡିଆ କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରେଟର୍ସ (ସିଓଏ) ପ୍ରତିନିଧି ଡକ୍ଟର ଏସ୍‌. ଓ୍ଵାଇ କୁରେସୀ ଓ ଜାଫର ଇକ୍‌ବାଲ ସାମିଲ ଥିଲେ।

ସିଓଏ ପ୍ରତିନିଧି ଡକ୍ଟର ଏସ୍‌. ଓ୍ଵାଇ କୁରେସୀ କହିଲେ ଯେ, “ଆମେ ରାଉରକେଲା ଆସି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଦେଖି ବହୁତ ଖୁସି। ଏହାକୁ ବଢ଼ିଆ ଭାବେ ନିର୍ମାଣ କରାଯାଉଛି ଏବଂ ଆମ ସହ ଆୟୋଜକ ଏଫ୍‌ଆଇଏଚ୍‌ ସନ୍ତୁଷ୍ଟ ଅଛି। ଓଡ଼ିଶାରେ ଯେ କୌଣସି ଇଭେଣ୍ଟ ଅତି ସଫଳତାର ସହ ଆୟୋଜନ ହୋଇଥାଏ। ରାଜନୈତିକ ନେତୃବୃନ୍ଦଙ୍କ ସମ୍ପୃକ୍ତି ଥିବାରୁ ଇତିହାସ ସୃଷ୍ଟି ହେବାକୁ ଯାଉଛି।”

ସେହିପରି ଜାଫର ଇକ୍‌ବାଲଙ୍କ କହିଛନ୍ତି, “ଭାରତ ୪ର୍ଥ ଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି। ଅନ୍ୟ କୌଣସି ଦେଶ ଏତେ ଥର ଆୟୋଜନ କରିପାରି ନାହାନ୍ତି। ଏଥି ମଧ୍ୟରୁ ଓଡ଼ିଶାରେ ଦ୍ଵିତୀୟ ଥର ଆୟୋଜିତ ହେବା ଗୌରବ ବିଷୟ।”

ଆଗାମୀ ପୁରୁଷ ହକି ବିଶ୍ୱକପ୍‌ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ ହେବ। ହକିର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ସମର୍ଥନ ଏବଂ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ଅଗ୍ରଗତି ନେଇ ଏହି ପ୍ରତିନିଧି ଦଳ ସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ପ୍ରତିନିଧି ଦଳଙ୍କ ସହ ଇଡ୍‌କୋ ଅଧ୍ୟକ୍ଷ ହେମନ୍ତ ଶର୍ମା, ରାଜ୍ୟ କ୍ରୀଡ଼ା ଓ ଯୁବ ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା, ଇଡ୍‌କୋ ଏମ୍‌ଡି ଭୂପିନ୍ଦର ପୁନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ଏସପି ମୁକେଶ ଭାମୁ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟେ କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ଷ୍ଟାଡିୟମ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।ପ୍ରତିନିଧି ଦଳ ଷ୍ଟାଡିୟମ ସମେତ ନିର୍ମାଣଧୀନ ଏୟାରପୋର୍ଟ ସଂପ୍ରସାରଣ କାର୍ଯ୍ୟ, ରାସ୍ତା ଆନୁସଙ୍ଗିକ ଭିତ୍ତିଭୂମି ବିକାଶ, ନବୀକରଣ, ସୌନ୍ଦର୍ଯ୍ୟକରଣ ପ୍ରକଳ୍ପଗୁଡ଼ିକର ମଧ୍ୟ ସମୀକ୍ଷା କରିଥିଲେ।

ଏହି ଅବସରରେ ସୈଫ ଅହମଦ କହିଛନ୍ତି, “ଭବ୍ୟ ସ୍ଵାଗତ ପାଇଁ ଓଡ଼ିଶା ସରକାଙ୍କୁ ଧନ୍ୟବାଦ। କାର୍ଯ୍ୟ ଯେପରି ଆଗେଇ ଚାଲିଛି ରାଉରକେଲା ଓ ଭୁବନେଶ୍ୱରରେ ଆଗାମୀ ବିଶ୍ୱକପ୍‌ ସ୍ମରଣୀୟ ହେବ। ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ ପାଇଁ ଓଡ଼ିଶାର ଆଗ୍ରହ ଆମ ଆତ୍ମବିଶ୍ୱାସ ବଢ଼ାଇଛି।”

Tags: #FIH #HockeyIndia #MensHockeyworldcup2023 #BirshaMundaStadium #KalingaStadium #Vinikrishna

Comment