ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଖେଳସୂଚୀ ଘୋଷଣା କରାଯାଇଛି। ମୋଟ୍ ୪ଟି ପୁଲରେ ୧୬ଟିମ୍ ଭାଗ ନେବେ। ତେବେ ପୁଲ୍-ଡିରେ ଭାରତ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଘୋଷଣା କରିଛନ୍ତି। ପୁଲ୍-ଡିରେ ଭାରତ ସହ ଇଂଲଣ୍ଡ, ସ୍ପେନ୍, ୱେଲ୍ସ ବି ସାମିଲ ହୋଇଛନ୍ତି। ଏହାପରେ ଅନ୍ୟ ପୁଲର ଟିମ୍ ନେଇ ଘୋଷଣା କରାଯାଇଛି।

ପୁଲ୍-ଏରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ପୁଲ୍-ବିରେ ବେଲଜିଅମ୍, ଜର୍ମାନୀ, କୋରିଆ, ଜାପାନ ସାମିଲ ହୋଇଛନ୍ତି। ଏବଂ ପୁଲ୍-ସିରେ ନେଦରଲାଣ୍ଡସ୍, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲୀ ରହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,”ଏହିପରି ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ବିଶ୍ୱର ଶ୍ରେଷ୍ଠ ହକି ଦଳ ଏବଂ ଖେଳାଳିଙ୍କୁ ସ୍ୱାଗତ କରି ଆମେ ସର୍ବଦା ଗର୍ବିତ।”

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଠାରେ ଅନେକ ଚମତ୍କାର କ୍ରୀଡା କାହାଣୀ ଲେଖା ହୋଇସାରିଥିବାବେଳେ ବିଶ୍ୱକୁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ  ଆମନ୍ତ୍ରଣ କରୁଛୁ। ଏହି ନୂତନ ଷ୍ଟାଡିୟମ୍ ହକି ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାର ଆଉ ଏକ ପ୍ରମାଣ।”

ଆୟୋଜିତ କାର୍ଯ୍ୟକ୍ରମରେ ହକି ଇଣ୍ଡିଆ ସଦସ୍ୟ ଜାଫର ଇକବାଲଙ୍କ ଉଦବୋଧନ ଦେଇ କହିଛନ୍ତି, “ହକି ପ୍ରେମୀଙ୍କ ପାଇଁ ଆଜି ଏକ ବଡ଼ ଦିନ। ଓଡିଶା ଦ୍ଵିତୀୟ ଥର ପାଇଁ ହକି ବିଶ୍ୱକପ ଆୟୋଜନ କରୁଛି, ଯାହା ଗର୍ବର ବିଷୟ।” ଏଥିପାଇଁ ସେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହିଭଳି ହକି ଇଣ୍ଡିଆ ସିଓଏ ଡକ୍ଟର ଏସ. ୱାଇ କୁରେସୀ କହିଛନ୍ତି ଯେ,”ଭାରତୀୟ ହକିକୁ ନୂଆ ରୂପ ଦେବାରେ ଓଡିଶାର ଉଦ୍ୟମ ପ୍ରଶଂସନୀୟ।” ଏହାସହ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, “ହକି ଆୟୋଜନ କରି ଓଡ଼ିଶା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଓଡିଶାର ୨ଟି ସ୍ଥାନରେ ବିଶ୍ୱକପ ଖେଳାଯିବାକୁ ଥିବାରୁ ଏହା ଗର୍ବର ବିଷୟ।”

ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍ଆଇଏଚ୍) କାର୍ଯ୍ୟକାରୀ ସଭାପତି ସୈଫ୍ ଅହମ୍ମଦ, ହକି ପ୍ରମୋସନ କାଉନସିଲ ଅଫ୍ ଓଡ଼ିଶାର ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କେ ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ସେବା ସଚିବ ଭିନୀଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

 

Tags: #FIH #KalingaStadium #HWC2023 #HockeyInvites #HockeyEquals

Comment