ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ମହାଠକ କୁହାଯାଉଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅନ୍ତରୀଣ ଜାମିନ ମିଳିଛି। ୨୦୦ କୋଟି ଅର୍ଥ ହଡପ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରୁ ସମ୍ମନ କରାଯାଇଥିଲା। ଏହା ପରେ ଜ୍ୟାକଲିନଙ୍କ ପକ୍ଷରୁ ଏହି ମାମଲାରେ ଜାମିନ ପାଇଁ ଆବେଦନ କରାଯାଇଥିଲା। ଆଜି ଜ୍ୟାକଲିନ କୋର୍ଟରେ ହାଜର ହୋଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଅକ୍ଟୋବର ମାସ ୨୨ ତାରିଖରେ ହେବ।

କ’ଣ ରହିଛି ପୁରା କାହାଣୀ?

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କର ମହାଠକ ସୁକେଶ ଚନ୍ଦ୍ରଶେଖର ସହ ସମ୍ପର୍କ ବିଷୟରେ ଜଣାପଡ଼ିବା ପରେ ବିବାଦକୁ ଆସିଥିଲେ କ୍ୟାକଲିନ। ଅର୍ଥନୈତିକ ଅପରାଧ ଶାଖା(ଇଡି) ପକ୍ଷରୁ ୨୧୫ କୋଟି ଠକେଇ ମାମଲାରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ଏଥିରେ ଜ୍ୟାକଲିନଙ୍କ ସମ୍ପୃକ୍ତି ରହିଥିବା ଇଡି ଜାଣିବା ପରେ ବାରମ୍ବାର ଏହି ମାମଲାରେ ଜ୍ୟାକଲିନଙ୍କୁ ଜେରା ପାଇଁ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଜେରା ସମୟରେ ସୁକେଶ ଚନ୍ଦ୍ରଶଖରଙ୍କଠାରୁ ଜ୍ୟାକଲିନ ପ୍ରାୟ ୭ କୋଟି ଟଙ୍କାର ଅଳଙ୍କାର, ୯ ଲକ୍ଷ ଟଙ୍କା ଲେଖାଏଁର ୩ଟି ପାର୍ଶିଆନ ବିଲେଇ, ପ୍ରାୟ ୫୨ ଲକ୍ଷ ଟଙ୍କା ମୂଲ୍ୟର ଘୋଡ଼ା, ୧୫ ହଜାର କାନଫୁଲ, ହୀରା ଗହଣା, ଦାମୀ ହ୍ୟାଣ୍ଡବ୍ୟାଗ, ପୋଷାକ, ଜୋତା, କାର ଏବଂ ମହଙ୍ଗା ଘଡ଼ି ଆଦି ଉପହାର ଆକାରରେ ନେଇଥିବା ଜଣାପଡ଼ିଥିଲା। ଏ ନେଇ ଇଡ଼ି ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା।

Tags: #MoneyLaundering #BollywoodActress #JacquelineFernandez #SukeshChandrashekhar #Court #InterimBail

Comment