ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଆସନ୍ତା ନଭେମ୍ବର ମାସ ୨ ତାରିଖ ସୁଦ୍ଧା ଶାଶୂଘରର ଚାବି ଫେରାଇ ଦେବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସଡିଜେଏମ କୋର୍ଟ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଅନୁଭବ ମହାନ୍ତି ଦାଖଲ କରିଥିବା ଦୁଇଟି ପିଟିସନକୁ କୋର୍ଟ ଖାରଜ କରିଦେଇଛନ୍ତି।

ବର୍ଷା ରହୁଥିବା ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଦୀର୍ଘ ଦିନର ବିବାଦ ପରେ ଗତ ଅଗଷ୍ଟ ୩୦ ତାରିଖରେ ଶାଶୂଘର ଛାଡ଼ିବେ ବୋଲି କୋର୍ଟଙ୍କୁ ଜଣାଇଥିଲେ ବର୍ଷା ପ୍ରିୟଦର୍ଶିନୀ। ନିର୍ଦ୍ଧାରିତ ସମୟରେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ିଥିଲେ ମଧ୍ୟ ଘରେ ତାଲା ପକାଇ ସାଙ୍ଗରେ ଚାବି ନେଇଯାଇଥିଲେ। ଏହାକୁ ବିରୋଧ କରି କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଅନୁଭବ। ଅନୁଭବଙ୍କ ପିଟିସନର ଉତ୍ତରରେ ବର୍ଷା କହିଥିଲେ ଘରର ସୁରକ୍ଷା ଲାଗି ସେ ତାଲା ପକାଇ ଚାବି ନିଜ ସାଙ୍ଗରେ ନେଇଯାଇଥିଲେ। ସେ ଏହି ଚାବିକୁ କୋର୍ଟରେ ହସ୍ତାନ୍ତର କରିବେ।

ବର୍ଷା ଏବଂ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ପରେ ଅନୁଭବ ନିଜ ପୈତୃକ ଘର ଛାଡ଼ି ଅନ୍ୟତ୍ର ଭଡ଼ା ଘରେ ରହୁଥିଲେ। ବର୍ଷା ତାଙ୍କ ପୈତୃକ ଘର ଛାଡ଼ନ୍ତୁ ବୋଲି କଟକ ଏସଡିଜେଏମ କୋର୍ଟରେ ଆବେଦନ କରିଥିଲେ ଅନୁଭବ ମହାନ୍ତି। ଏହି ମାମଲାର ଶୁଣାଣି କରି ଗତ ଜୁନ ମାସ ୨ ତାରିଖରେ କୋର୍ଟ ଅନୁଭବଙ୍କ ସପକ୍ଷରେ ରାୟ ଦେଇଥିଲେ ଏବଂ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହା ସହିତ ବର୍ଷାଙ୍କ ରହିବା ପାଇଁ ଅନୁଭବ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ମାସର ୧୦ ତାରିଖ ସୁଦ୍ଧା ୩୦ ହଜାର ଟଙ୍କା ରହଣି ବାବଦକୁ ବର୍ଷାଙ୍କୁ ଦେବା ଲାଗି ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

କିନ୍ତୁ ପରେ ବର୍ଷା ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଗତ ଜୁନ ୨୧ ତାରିଖରେ ଜିଲ୍ଲା କୋର୍ଟଙ୍କ ରାୟ ଆସିବା ପରେ ଝଟକା ଲାଗିଥିଲା ଅନୁଭବଙ୍କୁ। ଏସଡିଜେଏମ୍ କୋର୍ଟଙ୍କ ରାୟ ଉପରେ ଅନ୍ତରିଣ ରୋକ ଲଗାଇ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ପୈତୃକ ଘରେ ରହିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା କୋର୍ଟ। ବର୍ଷା ଜିଲ୍ଲା କୋର୍ଟରେ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡ଼ିବେ ବୋଲି କହିବା ପରେ ଏହି ମାମଲାର ଅନ୍ତ ଘଟିଥିଲା।

Tags: #OdiaCelebrity #Court #SDJMCourt #CelebrityCouple #BarshaPriyadarshini #AnubhabMohanty

LEAVE A REPLY

Please enter your comment!
Please enter your name here