ଓଡ଼ିଶାଲାଇଭ୍ ବ୍ୟୁରୋ 

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପେସାରେ ଜଣେ ଇଂଜିନିୟର, ହେଲେ ନିଶା ତାଙ୍କର ଚାଷ। ଏକ ପ୍ରତିଷ୍ଠିତ କମ୍ପାନିର ଚାକିରି ଛାଡ଼ି ଚାଷ କାର୍ଯ୍ୟ କରି ସ୍ୱାବଲମ୍ବୀ ହେବା ସହ ଆଉ ୪୦ଜଣଙ୍କୁ ରୋଜଗାର ଯୋଗାଇଛନ୍ତି ରାୟଗଡ଼ାର ଯୁବ ଇଂଜିନିୟର ସତ୍ୟ ପ୍ରବୀଣ।

ସତ୍ୟ ପ୍ରବୀଣଙ୍କ ଘର ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଅମ୍ଳାଭଟା ଗ୍ରାମରେ। ପିଲାଟି ବେଳୁ ଚାଷ ପ୍ରତି ସତ୍ୟ ପ୍ରବୀଣଙ୍କର ଆଗ୍ରହ ରହିଥିଲା। ଇଲେକ୍ଟ୍ରୋନସିକ୍ସରେ ବିଟେକ ଡିଗ୍ରୀ ହାସଲ କରିବା ପରେ ଏକ ପ୍ରତିଷ୍ଠିତ କମ୍ପାନିରେ ଉଚ୍ଚ ବେତନରେ ଚାକିରି କରିଥିଲେ ସତ୍ୟ। କିନ୍ତୁ ଚାକିରିରେ ସେ ସନ୍ତୁଷ୍ଟ ହୋଇନଥିଲେ। ଅଳ୍ପ କିଛି ମାସ ଚାକିରି କରି ଫେରି ଆସିଥିଲେ ଗାଁକୁ। ଆଉ ଚାକିରି ନକରି ଚାଷ କାମ କରିବାକୁ ପରିବାର ଲୋକଙ୍କ କହିଥିଲେ ସେ। କିନ୍ତୁ ପରିବାର ଲୋକେ ପୁଅର ଏଭଳି ନିଷ୍ପତ୍ତିକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ। ପରେ ପୁଅର ଜିଦ ଆଗରେ ସମସ୍ତେ ହାର ମାନିଥିଲେ।

ପରିବାର ଲୋକଙ୍କ ସହଯୋଗରେ ଫୁଲକୋବି, ଟମାଟୋ, ଲେମନ ଗ୍ରାସ ଆଦି ଚାଷ ଆରମ୍ଭ କରିଥିଲେସତ୍ୟ ପ୍ରବୀଣ। ନୂତନ ପଦ୍ଧତିରେ ଡ୍ରିପିଙ୍ଗ ମାଧ୍ୟମରେ ଚାଷ କରୁଥିବାରୁ ତାଙ୍କୁ ବର୍ଷା ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ସିଧାସଳଖ ପାଇପ ଦ୍ୱାରା ପାଣି କ୍ଷେତରେ ସିଞ୍ଚନ ହେଉଛି। ପ୍ରାୟ ୧୦ ଏକର ଜାଗାରେ ଫୁଲ କୋବି, ୬ ଏକର ଜାଗାରେ ଲେମାନ ଗ୍ରାସ, ସାଢ଼େ ୩ ଏକର ଜାଗାରେ ଟମାଟୋ ଗାଷ କରିଛନ୍ତି ପ୍ରବୀଣ। ଏ ସବୁ ଚାଷ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ସତ୍ୟ ପ୍ରବୀଣ।

ତାଙ୍କ ଜମିରେ ଉତ୍ପାଦିତ ହେଉଥିବା ଫସଲ ବ୍ରହ୍ମପୁର, ହିଞ୍ଜିଳିକାଟୁ, ରାୟଗଡ଼ା, ଜେକେପୁର, ଥେରୁବାଲି ବଜାର ସମେତ ବିଭିନ୍ନ ଅଞ୍ଚଳକୁ ରପ୍ତାନୀ କରାଯାଉଛି। ପନିପରିବା ଚାଷ କରି କେବେଳ ସେ ରୋଜଗାର କରୁନାହାନ୍ତି, ବରଂ ୪୦ରୁ ଅଧିକ ଲୋକଙ୍କୁ ରୋଜଗାରକ୍ଷମ କରିଛନ୍ତି।

ନୂତନ ଜ୍ଞାନକୌଶଳ ପଦ୍ଧତିରେ ଚାଷ କାର୍ଯ୍ୟ କଲେ ନିଶ୍ଚିତ ଲାଭ ମିଳିପାରି ବୋଲି କହିଛନ୍ତି ସତ୍ୟପ୍ରବୀଣ।

Tags: #YoungEngineer #SatyaPraveen #Rayagada #QuitJob #SuccessfulFarmer #Kolnara

Comment