ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ୱକପ୍-୨୦୨୩ ପୂର୍ବରୁ ରାଉରକେଲା ସହରରେ ହକିକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି ରାହଗିରି ‘ପ୍ରେରଣା’। ହନୁମାନ ବାଟିକା ଛକଠାରୁ ସାରନା ଛକ ପର୍ଯ୍ୟନ୍ତ ଆୟୋଜିତ ଏହି ପଥ ଉତ୍ସବରେ ସାଧାରଣ ଲୋକଙ୍କୁ ଯୋଡ଼ି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ପଥ ଉତ୍ସବ ପୁରୁଷ ହକି ବିଶ୍ଵକପ ପର୍ଯ୍ୟନ୍ତ ଚାଲିବ।

ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଏସପି ମୁକେଶ କୁମାର ଭାମୁ, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି ଏବଂ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ଆସନ୍ତା ଜାନୁଆରୀ ୧୩ ତାରିଖରୁ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାଠାରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱ କପ୍-୨୦୨୩। ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ରାହଗିରି ‘ପ୍ରେରଣା’ ଆୟୋଜନ କରାଯାଇଛି। ରାଉରକେଲା ସହରରେ ପ୍ରଥମଥର ଲାଗି ଆୟୋଜନ କରାଯାଇଥିବା ଏହି ପଥ ଉତ୍ସବରେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ସାମିଲ ହୋଇ ଏହାର ଭରପୁର ଆନନ୍ଦ ନେଇଥିଲେ।

ରାହଗିରିରେ ଦେଖିବାକୁ ମିଳିଥିଲା ହକି ଫିଭର। ହକି ବିଶ୍ୱ କପ୍ ଥିମରେ ପଥ ଉତ୍ସବ ବ୍ୟାନରକୁ ସଜା ଯାଇଥିଲା।  ଜନପଥରେ ରଙ୍ଗୋଲିରେ ହକି ବିଶ୍ୱ କପ୍ ଟ୍ରଫିର ଚିତ୍ରାଙ୍କନ କରାଯାଇଥିଲା। ବିଭିନ୍ନ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ କାନଭାସରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।

ଓଡ଼ିଶୀ ନୃତ୍ୟରୁ ଜନପଥରେ ଆରମ୍ଭ ହୋଇଥିଲା ରାହଗିରି ‘ପ୍ରେରଣା’। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯୋଗ, ବ୍ୟାୟାମ, କରାଟେ, ସ୍କିପିଂ, ସ୍କେଟିଂ, ଲୁଡୋ, ଚେସ୍, କ୍ୟାରମ, ମ୍ୟୁଜିକାଲ ଚେୟାର, ଫୁଟବଲ, ଚିତ୍ରାଙ୍କନ, ରଙ୍ଗୋଲି, ବାଇକ ଓ ସାଇକଲ ଷ୍ଟଣ୍ଟ ଆଦି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ସହରର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ମହିଳା, ଯୁବପିଢ଼ି ଏବଂ ବରିଷ୍ଠ ନାଗରିକ। ଏହି ଅବସରରେ ସ୍ଵାସ୍ଥ୍ୟ ପରୀକ୍ଷା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା।

ଜିଲ୍ଲା ପୋଲିସ ପକ୍ଷରୁ ଡଗ୍ ସୋ’ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମର ଭରପୂର ଆନନ୍ଦ ନେଇଥିଲେ ରାଉରକେଲବାସୀ। ଜୋନ୍-୧ରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଜୋନ-୨ ଶିଶୁଙ୍କ ନିମନ୍ତେ, ଜୋନ-୩ ମହିଳାଙ୍କ ପାଇଁ, ଜୋନ-୪ରେ କ୍ରୀଡ଼ା ନିମନ୍ତେ, ଜୋନ-୫ରେ ବ୍ୟାୟାମ ଓ ଯୋଗ ପାଇଁ ବ୍ୟବସ୍ଥା କରାଯାଇଥିଲା। ୬ ନମ୍ବର ଜୋନରେ ସ୍ଵାସ୍ଥ୍ୟ ପରୀକ୍ଷା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା। ୭ ନମ୍ବର ଜୋନ ବାଇକ୍ ଓ ସାଇକେଲ ଷ୍ଟଣ୍ଟ ପାଇଁ ଉଦ୍ଦିଷ୍ଟ ରହିଥିଲା। କାନଭାସ ଏବଂ ଚିତ୍ରାଙ୍କନ ଲାଗି ସ୍ୱତନ୍ତ୍ର ଜୋନର ବ୍ୟବସ୍ଥା କରାଯାଇଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୨ଟି ସ୍ୱତନ୍ତ୍ର ମଞ୍ଚ ପ୍ରସ୍ତୁତ କରାଯାଇଥିଲା।

ରାହଗିରିର ମୁଖ୍ୟ ଷ୍ଟେଜରେ ବିଶେଷ ଆକର୍ଷଣ ପାଲଟିଥିଲା ରାଉରକେଲା ପୋଲିସ ପ୍ରଶାସନର ଉତ୍କଳ ଜନନୀ ସଙ୍ଗୀତରେ ବ୍ୟାଣ୍ଡ ବାଦନ। ଏହା ସହିତ ଜୁମ୍ୱା ମଧ୍ୟ ଆୟୋଜନ କରାଯାଇଥିଲା। ଜନପଥରେ ମ୍ୟୁଜିକର ତାଳେ ତାଳେ ଜୁମ୍ୱା ଡ୍ୟାନ୍ସରେ ନାଚିଥିଲେ ସବୁ ବର୍ଗର ଲୋକେ। ରଙ୍ଗବତୀ ଗୀତ ସାଙ୍ଗକୁ ସମ୍ବଲପୁରୀ ବାଦ୍ୟରେ ଗୁଞ୍ଜରିତ ହୋଇଥିଲା ସମ୍ପୂର୍ଣ୍ଣ ପରିବେଶ। ଏହି ଅବସରରେ କରାଟେ ଏବଂ ଆଖଡ଼ା ମଧ୍ୟ ପ୍ରଦର୍ଶନ କରାଯାଇଥିଲା। କୁନି କୁନି ପିଲାଙ୍କ ମଧ୍ୟରେ ଲେମ୍ୱୁ-ଚାମଚ ପ୍ରତିଯୋଗିତା ହୋଇଥିଲା।

Tags: #SundargarhDistrictAdministration #Rourkela #RaahgiriPrerana #MensHockeyWorldCup2023 #FIH

Comment