ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକ ପରେ ଆରମ୍ଭ ହେବାକୁ ଯାଉଛି ହକି ପୁରୁଷ ବିଶ୍ଵକପ ୨୦୨୩। ରାଜଧାନୀ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମ ସହ ଇସ୍ପାତ ନଗରୀ ରାଉରକେଲା ସହରର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ହକି ମ୍ୟାଚ। ହକି ବିଶ୍ଵକପ ଆରମ୍ଭ ହେବା ପୂର୍ବରୁ ସାରା ଓଡ଼ିଶା ପରିକ୍ରମା କରୁଥିବା ବିଶ୍ଵକପ ହକି ଟ୍ରଫି ଗୁରୁବାର ଦିନ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିଛି।

ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ବେଦବ୍ୟାସ ପୀଠରେ ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ କରିଥିଲେ। ବେଦବ୍ୟାସ ପୀଠରେ ପୂଜାର୍ଚ୍ଚନା ଏବଂ ବେଦପାଠ ପରେ ରାଉରକେଲାରେ ଟ୍ରଫି ଟୁର୍ ଆରମ୍ଭ ହୋଇଛି।

ରାଉରକେଲାର ବେଦବ୍ୟାସ ପୀଠରୁ ହକି ଟ୍ରଫିକୁ ଏକ ବିଶାଳ ଶୋଭାଯାତ୍ରାରେ ରାଉରକେଲା ସହର ପରିକ୍ରମା କରାଯାଉଛି। ଟ୍ରଫିକୁ ସ୍ୱାଗତ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ପାରମ୍ପରିକ ନାଚ ଗୀତରେ ଟ୍ରଫିକୁ ସ୍ଵାଗତ କରାଯାଉଛି।

ରାଉରକେଲା ସହରର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ବିଶ୍ଵକପ ହକି ଟ୍ରଫିକୁ ସ୍ଵାଗତ କରିବା ଲାଗି ଏକାଠି ହୋଇଛନ୍ତି। ସହରର ବିଭିନ୍ନ ସ୍ଥାନରେ ଶହ ଶହ ସଂଖ୍ୟାରେ ପୁରୁଷ, ମହିଳା ଏବଂ ଛାତ୍ରଛାତ୍ରୀ ଟ୍ରଫି ସ୍ଵାଗତ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛନ୍ତି। ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ହେଉଛି ସହର। ପ୍ରାୟ ୨୫୦ ଓଡ଼ିଶୀ ନୃତ୍ୟ ଶିଳ୍ପୀ ସହରର ମୁଖ୍ୟ ରାସ୍ତାରେ ମନୋରମ ନୃତ୍ୟ ପରିବେଷଣ କରିବା ସହ ଭବ୍ୟ ସ୍ଵାଗତ କରିଛନ୍ତି ବିଶ୍ଵକପ ହକି ଟ୍ରଫିକୁ।

ହକି ଟ୍ରଫି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଛି ମାସ୍କଟ ‘ଅଲି’। ସହରର ପ୍ରମୁଖ ଛକଗୁଡ଼ିକରେ ‘ଅଲି’ ସହ ସେଲଫି ନେବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

Tags: #HockeyWorldCup2023 #HockeyTrophy #HockeyTrophyTour #Rourkela

Comment