ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ଵକପରେ ଶେଷ ହୋଇଛି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ। ରବିବାରଠାରୁ ଆରମ୍ଭ ହେଉଛି ନକଆଉଟ୍ ମୁକାବିଲା। ନକଆଉଟ୍ ପର୍ଯ୍ୟାୟରେ ମ୍ୟାଚଗୁଡ଼ିକ ନିର୍ଣ୍ଣାୟକ ହେବ। ଏହି ମୁକାବିଲାରେ ପରାଜିତ ଦଳ ବିଶ୍ଵକପରୁ ବିଦାୟ ନେବେ। ଭାରତ ବିଶ୍ଵକପ ଗ୍ରୁପ ‘ଡି’ରେ ଦ୍ଵିତୀୟ ସ୍ଥାନରେ ରହିବା ଯୋଗୁଁ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରସଓଭର ମ୍ୟାଚ ଖେଳିବ। ଏହି ମୁକାବିଲାରେ ବିଜୟ ହିଁ ଦଳକୁ ବିଶ୍ଵକପ କ୍ଵାର୍ଟରକୁ ନେବ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରବିବାର ଓ ସୋମବାର ୪ଟି କ୍ରସଓଭର ମ୍ୟାଚ ଖେଳାଯିବ। ୮ ଟି ଦଳ ଏହି ମ୍ୟାଚଗୁଡିକରେ ପ୍ରତିଦ୍ଵନ୍ଦ୍ଵିତା କରିବେ। ରବିବାର ପ୍ରଥମ କ୍ରସଓଭର ମୁକାବିଲାରେ ମାଲେସିଆ ଓ ସ୍ପେନ ମଧ୍ୟରେ ମ୍ୟାଚ ଖେଳାଯିବ। ମ୍ୟାଚଟି ଅପରାହ୍ଣ ୫ଟା ବେଳେ ଆରମ୍ଭ ହେବ। ଏହି ମୁକାବିଲା ଶେଷହେବା ପରେ ଦ୍ଵିତୀୟ କ୍ରସଓଭର ମ୍ୟାଚରେ ଭାରତ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ମ୍ୟାଚଟି ସନ୍ଧ୍ୟା ୭ଟା ବେଳେ ଖେଳାଯିବ।

ନ୍ୟୁଜିଲାଣ୍ଡ ସହ ଏହି କ୍ରସଓଭର ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତି ଆଣିଛି। ଏହି ମ୍ୟାଚରେ ବିଜୟ ଭାରତକୁ ବିଶ୍ଵକପରେ ଆଗକୁ ନେବ ମ୍ୟାଚରେ ଅଧିନାୟକ ହରମନପ୍ରିତ ସିଂହ ଓ ଉପ ଅଧିନାୟକ ଅମିତ ରୋହିଦାସ ଦଳର ମଙ୍ଗ ସମ୍ଭାଳିବେ। ଏହାଛଡା ମନପ୍ରୀତ ସିଂହ, ମନଦୀପ ସିଂହ ,ବରୁଣ କୁମାର ଓ ସୁଖଜିତ ସିଂହ ଭଳି ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।

ଚଳିତ ବିଶ୍ଵକପରେ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡସ ଓ ଇଂଲଣ୍ଡ ନିଜ ନିଜ ଗ୍ରୁପରେ ଶୀର୍ଷରେ ରହି ସିଧାସଳଖ କ୍ଵାର୍ଟର ଫାଇନାଲକୁ ଯାଇଛନ୍ତି। ତେବେ ଗ୍ରୁପଗୁଡିକରେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେଥିବା ଦଳ କ୍ରସଓଭର ମ୍ୟାଚ ଖେଳିବେ। କ୍ରସଓଭର ମ୍ୟାଚରେ ବିଜୟୀ ଦଳଗୁଡିକୁ ବିଶ୍ଵକପ କ୍ଵାର୍ଟର ଫାଇନାଲରେ ଖେଳିବେ।

Tags: #HockeyMen’sWorldCup #KnockoutStage #IndiaVSNewZealand #CrossOver #QuarterFinal #India #Odisha

Comment