ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାରଠାରୁ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବିମାନଘାଟିରୁ ଆରମ୍ଭ ହେବ ବିମାନ ଉଡ଼ାଣ। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତରାଜ ଦିବସ ଅବସରରେ ଏଠାରୁ ଭୁବନେଶ୍ଵରକୁ ବିମାନ ଉଡ଼ିବ। ଏନେଇ ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ଶୁକ୍ରବାର ରଙ୍ଗେଇଲୁଣ୍ଡା ବିମାନଘାଟିର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ରଙ୍ଗେଇଲୁଣ୍ଡାରୁ ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ବିମାନ ଚଳାଚଳ ହେବେ। ରବିବାର ଏହି ଏୟାରଲାଇନ୍ସର ଏକ ୯ ସିଟ ବିଶିଷ୍ଟ ବିମାନ ଭୁବନେଶ୍ଵରକୁ ଯାତ୍ରା ଆରମ୍ଭ କରିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

“କେନ୍ଦ୍ର ସରକାରଙ୍କ ‘ଉଡାନ’ ଯୋଜନାରେ ରଙ୍ଗେଇଲୁଣ୍ଡା ବିମାନ ଘାଟିକୁ ସାମିଲ କରାଯାଇଛି। ରବିବାର ଏଠାରୁ ପ୍ରଥମ ପର୍ଯ୍ୟାୟରେ ବିମାନ ଚଳାଚଳ ଆରମ୍ଭ କରାଯିବ। ଆଗାମୀ ଦିନରେ ଏହି ବିମାନଘାଟିର ସମ୍ପ୍ରସାରଣ ସାଙ୍ଗକୁ ଅଧିକ ବିମାନ ଚଳାଚଳ କରିବାକୁ ଗୁରୁତ୍ଵ ଦିଆଯିବ”, କହିଛନ୍ତି ଉଷା ପାଢ଼ୀ।

ଏବେ ରଙ୍ଗେଇଲୁଣ୍ଡା ବିମାନଘାଟିର ରନୱେ ଛୋଟୋ ଥିବା ବେଳେ ଏଠାରେ କୌଣସି ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାୱାର ନାହିଁ। ପ୍ରାରମ୍ଭିକ ଭାବେ ମାର୍ଚ୍ଚ ୫ ତାରିଖରୁ ବିମାନ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଏଠାରୁ ନିୟମିତ ଭାବେ କେବେଠାରୁ ବାଣିଜ୍ୟିକ ଉଡ଼ାଣ ଆରମ୍ଭ ହେବେ ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ।

Tags: #RangeilundaAirstrip #Airservices #IndiaOneAir #UDANScheme #Odisha #India

 

LEAVE A REPLY

Please enter your comment!
Please enter your name here