ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାର ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ପ୍ରି-ମାଟ୍ରିକ ଛାତ୍ରବୃତ୍ତିର ରାଶିକୁ ବଢ଼ାଇଛନ୍ତି। ୨୦୨୩-୨୪ ଶିକ୍ଷାବର୍ଷରେ ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ବର୍ଦ୍ଧିତ ଛାତ୍ରବୃତ୍ତି ଦିଆଯିବ। ଏନେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶା ସରକାର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରମାନଙ୍କ ପାଇଁ ମାସିକ ଛାତ୍ରବୃତ୍ତିକୁ ୯୫୦ ଟଙ୍କାରୁ ୧୦୫୦ ଟଙ୍କା କରିଛନ୍ତି। ସେହିପରି ଛାତ୍ରୀମାନଙ୍କ ପାଇଁ ଏହି ରାଶିକୁ ମାସିକ ୧୦୦୦ ଟଙ୍କାରୁ ୧୧୦୦ ଟଙ୍କା ଯାଏଁ ବଢ଼ାଯାଇଛି। ହଷ୍ଟେଲରେ ରହି ପଢ଼ୁଥିବା ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୧୦ ମାସ ପ୍ରି-ମାଟ୍ରିକ ଛାତ୍ରବୃତ୍ତି ମିଳିବ।

ଓଡ଼ିଶା ସରକାର ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ସ୍କୁଲଗୁଡ଼ିକରେ ହଷ୍ଟେଲରେ ରହି ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେଇଥାନ୍ତି। ଏହି ଅର୍ଥରେ ଛାତ୍ରଛାତ୍ରୀମାନେ ମୁଖ୍ୟତଃ ନିଜର ହଷ୍ଟେଲ ଖର୍ଚ୍ଚ ବହନ କରିଥାନ୍ତି। ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ ଅନ୍ତର୍ଗତ ଏହି ପ୍ରି-ମାଟ୍ରିକ ଛାତ୍ରବୃତ୍ତି ଦିଆଯାଇଥାଏ।

ଅନ୍ୟପଟେ ରାଜ୍ୟ ସରକାର ୨୦୨୨ ମସିହାରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ପ୍ରି-ମାଟ୍ରିକ ଛାତ୍ରବୃତ୍ତି ରାଶି ବଢ଼ାଇଥିଲେ। ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଏହି ରାଶି ୫୦୦ ଟଙ୍କା ଯାଏଁ କରାଯାଇଥିଲା।

Tags: #PrematricScholarship #SCSTStudents #Odisha #SCSTDevelopmentdept

 

Comment