ଓଡ଼ିଶାଲାଇଭ୍ ବ୍ୟୁରୋ

ଗୃହଯୁଦ୍ଧଗ୍ରସ୍ତ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ‘ଅପରେସନ କାବେରୀ’ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ୨୭୮ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ମଙ୍ଗଳବାର ଦିନ ସେମାନଙ୍କୁ ନେଇ ଭାରତୀୟ ନୌସେନାର ଜାହାଜ ଆଇଏନଏସ ‘ସୁମେଧା’ ସାଉଦି ଅରବର ଜେଦ୍ଦା ସହର ଅଭିମୁଖେ ଯାତ୍ରା କରିଛି। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଅଭିଯାନରେ ଭାରତୀୟ ଲୋକଙ୍କ ସହ କିଛି ବିଦେଶୀ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ସାଉଦି ଆରବରେ ପହଞ୍ଚିବା ପରେ ଭାରତୀୟମାନଙ୍କୁ ବାୟୁ ସେନାର ବିମାନ ଜରିଆରେ ଭାରତ ଅଣାଯିବ। ଏଥିଲାଗି ଭାରତୀୟ ବାୟୁ ସେନାର ୨ ଟି ସି-୧୩୦ ଜେ ବିମାନକୁ ସାଉଦି ଆରବ ପଠାଯାଇଛି।

ଗୃହଯୁଦ୍ଧଗ୍ରସ୍ତ ସୁଦାନରେ ୪ ହଜାରରୁ ଅଧିକ ଭାରତୀୟ ଫସି ରହିଛନ୍ତି। ଏମାନଙ୍କୁ ମଧ୍ୟରୁ ୫୦୦ରୁ ଅଧିକ ଲୋକ ପୋର୍ଟ ଅଫ ସୁଦାନରେ ପହଞ୍ଚିଥିଲେ। ସେଠାରୁ ସେମାନଙ୍କୁ ଉଦ୍ଧାର କରାଯିବାର ବ୍ୟବସ୍ଥା କରାଯାଉଛି।

ସୁଦାନରୁ ଭାରତୀୟ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ସେଠାରେ ଥିବା ଭାରତୀୟ ଦୂତାବାସ ସବୁପ୍ରକାର ସହଯୋଗ କରୁଛି। ଏଥିଲାଗି ଦୂତାବାସ ପକ୍ଷରୁ ଭାରତୀୟଙ୍କ ପାଇଁ ଆବଶ୍ୟକୀୟ ଗାଇଡଲାଇନ ଜାରି କରାଯାଇଛି। ଏହି ‘ଅପରେସନ କାବେରୀ’ ପାଇଁ ସାଉଦି ଆରବ, ୟୁଏଇ, ଆମେରିକା ଓ ବ୍ରିଟେନ ଭଳି ଦେଶଙ୍କ ସହାୟତା ନିଆଯାଉଛି।

ଏବେ ସୁଦାନରେ କ୍ଷମତା ଦଖଲକୁ ନେଇ ସେନା ଓ ଅର୍ଦ୍ଧସାମରିକ ବଳ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ  ଗୃହଯୁଦ୍ଧ ଜାରି ରହିଛି। ସୁଦାନରେ ପୂର୍ବରୁ ସେନା ବିଦ୍ରୋହ ଦ୍ଵାରା ଗଠିତ ସରକାରର ପତନ ହୋଇଥିଲା। ଏହାପରେ ନୂଆ ଲୋକତାନ୍ତ୍ରିକ ସରକାର ଗଠନରେ ବିଫଳତା ହେବା ଯୋଗୁଁ ସୁଦାନରେ ହିଂସା ଓ ଗୃହଯୁଦ୍ଧ ଚାଲିଛି।

Tags: #OperationKaveri #EvacuationProcess #Indians #Sudan #CivilWar #MinistryofExternalAffairs

 

Comment