ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଘରୋଇ ହସ୍ପିଟାଲଗୁଡ଼ିକରେ କିଛି ବର୍ଷ ହେବ ସିଜେରିଆନ ପ୍ରସବ ବା ଡେଲିଭରିରେ ବୃଦ୍ଧି ଘଟିଛି। ଏହା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଏନେଇ ଘରୋଇ ହସ୍ପିଟାଲଗୁଡ଼ିକର ସମୀକ୍ଷା ବା ଅଡିଟ କରିବା ପାଇଁ ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ (ସିଡିଏମଓ) ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଏହି ନିର୍ଦେଶ ଅନୁସାରେ ମେ’ ମାସ ୧ ତାରିଖରୁ ଘରୋଇ ହସ୍ପିଟାଲଗୁଡ଼ିକର ଅଡିଟ ଆରମ୍ଭ ହେବ। ଏଥିରେ ସେମାନେ ନିୟମ ମୁତାବିକ ସିଜେରିଆନ ଡେଲିଭରି କରୁଛନ୍ତି, କି ନିୟମ ବାହାରକୁ ଯାଇ ଡେଲିଭରି କରୁଛନ୍ତି ସେ ନେଇ ଯାଞ୍ଚ କରାଯିବ। ଏହାପରେ ସିଡିଏମଓମାନେ ଏକ ରିପୋର୍ଟ ପ୍ରସ୍ତୁତ କରି ସ୍ୱାସ୍ଥ୍ୟ ବିଭାଗକୁ ଦେବେ।

“ଘରୋଇ ହସ୍ପିଟାଲଗୁଡ଼ିକର ଅଡିଟ ପାଇଁ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତ କରାଯିବ। ସେମାନେ ଏହି ଅଡିଟ ପ୍ରକ୍ରିୟାରେ ସିଡିଏମଓମାନଙ୍କୁ ସହଯୋଗ କରିବେ। ଯେଉଁ ହସ୍ପିଟାଲଗୁଡ଼ିକ ନିୟମ ବାହାରକୁ ଯାଇ ସିଜେରିଆନ ଡେଲିଭରି କରୁଥିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”, କହିଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଓଡ଼ିଶାର ଘରୋଇ ଡାକ୍ତରଖାନାଗୁଡ଼ିକରେ ସିଜରିଆନ ଡେଲିଭରିର ହାର ୭୦.୭ ପ୍ରତିଶତ ରହିଛି। ଯାହା ସିଜରିଆନ ଡେଲିଭରିର ଜାତୀୟ ହାର ୪୭.୪ ପ୍ରତିଶତରୁ ବହୁତ ଅଧିକ। ୨୦୧୫-୧୬ରେ ଓଡ଼ିଶାର ଘରୋଇ ଡାକ୍ତରଖାନାରେ ସିଜରିଆନ ଡେଲିଭରି ୫୩.୭ ପ୍ରତିଶତ ଥିଲା। ଗତ କିଛି ବର୍ଷ ହେବ ଘରୋଇ ଡାକ୍ତରଖାନାରେ ସିଜରିଆନ ଡେଲିଭରି ସଂଖ୍ୟା ବଢ଼ୁଛି।

ଅନ୍ୟପଟେ ଏବେ ରାଜ୍ୟର ସରକାରୀ ଡାକ୍ତରଖାନାରେ ସିଜରିଆନ ଡେଲିଭରି ୧୫.୬ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟ ବିଭାଗର ନିୟମ ଅନୁଯାୟୀ ପ୍ରତି ଡାକ୍ତରଖାନରେ ୮୫ ରୁ ୯୦ ପ୍ରତିଶତ ଯାଏଁ ନର୍ମାଲ ଡେଲିଭରି ହେବା କଥା।

Tags: #PrivetHospitals #caesareandelivery #Audit #H&FWDept #Odisha

 

LEAVE A REPLY

Please enter your comment!
Please enter your name here