ଓଡ଼ିଶାଲାଇଭ୍ ବ୍ୟୁରୋ
ମାସିକ ପାରିବାରିକ ପତ୍ରିକା ରେବତୀର ମେ’ ୨୦୨୩ ସଂଖ୍ୟା ବଜାରକୁ ଆସିଛି।
ଚଳିତ ସଂଖ୍ୟାର ପ୍ରମୁଖ ପ୍ରସଙ୍ଗ ଭିତରେ ରହିଛି କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଉପରେ ଆଧାରିତ ବିଷୟ ‘ଖିଆଲି ଶାନ୍ତନୁ’। ଲେଖକ ରବି ପଣ୍ଡା ଏହି ଫିଚରରେ ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କର ସଂକ୍ଷିପ୍ତ ଜୀବନୀ, ସାହିତ୍ୟିକ ଜୀବନର ଯାତ୍ରା ଏବଂ ପାରିବାରିକ ଓ ପେସାଦାର ଜୀବନକୁ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି।
‘ସାଧୁ ଉପାୟରେ ପୁରସ୍କାରପ୍ରାପ୍ତ ନହେଲେ ସୃଜନ ଶକ୍ତି ଆପେ ନଷ୍ଟ ହୁଏ’ ଏହି କଥା କହିବାକୁ ଯାଇ ଶାନ୍ତନୁ କୁମାର ଆଚାର୍ଯ୍ୟ ବର୍ଣ୍ଣନା କରିଛନ୍ତି “ମୁଁ ସାମ୍ପ୍ରତିକ ବଜାରର ବା ଯୁଗର ଚାହିଦାକୁ ଚାହିଁ ଲେଖେ ନାହିଁ। ମୋର ଅନ୍ତରର ଆବେଗକୁ ନିଃସଙ୍କୋଚରେ ପ୍ରକାଶ କରିବାକୁ ଲେଖେ ଏବଂ କହେ। ମୁଁ ପୁରସ୍କାର ଆଶା କରେ, ପୁରସ୍କାର ନପାଇଲେ ହାଇଁପାଇଁ ନହୋଇ ଆହୁରି ଅଧିକ ସଂକଳ୍ପବଦ୍ଧ ହୁଏ – କିଛି ଅଭିନବ ସୃଷ୍ଟି କରିବା ଲକ୍ଷ୍ୟରେ।”
ଏହି ଲେଖାରେ ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ବହୁ ପୁରୁଣା ଫଟୋ ସହିତ ତାଙ୍କୁ ମିଳିଥିବା ବିଭିନ୍ନ ପୁରସ୍କାର ସମ୍ମାନର ଲମ୍ବା ତାଲିକା ପ୍ରକାଶ ପାଇଛି।
ରେବତୀର ଚଳିତ ସଂଖ୍ୟାର ଅନ୍ୟ ଆକର୍ଷଣ ଭିତରେ ରହିଛି ପର୍ଯ୍ୟଟକ ନଜରରେ ପ୍ରସ୍ତୁତ ଡାକ୍ତର ଅନନ୍ୟା ପ୍ରିୟଦର୍ଶିନୀଙ୍କ ବାରଣାସୀ ଉପରେ ଲିଖିତ ଫିଚର ‘ଶିବନଗରୀ କାଶୀ’।
ସାହିତ୍ୟ ଓ ସାଂସ୍କୃତିକ ପରମ୍ପରା ଦୃଷ୍ଟିରୁ ସମୃଦ୍ଧ ଓଡ଼ିଶାର ବାଲେଶ୍ଵର। ଜିଲ୍ଲାର ଭୋଗରାଇ ଅଞ୍ଚଳରେ ୧୯୨୨ ମସିହାରେ ଗଢ଼ି ଉଠିଥିଲା ‘ଶ୍ୟାମସୁନ୍ଦର ଥିଏଟର’। ଏହାର ଇତିହାସ ଓ ସାଂସ୍କୃତିକ ଯାତ୍ରା ଉପରେ ଲିଖିତ ଡକ୍ଟର ଦେବାଶିଷ ପାତ୍ରଙ୍କ ଫିଚର ‘ଶତାୟୁ ଶ୍ୟାମସୁନ୍ଦର ଥିଏଟର’, ଓଡ଼ିଶାର ପ୍ରାଚୀନ ନାଟ୍ୟ ପରମ୍ପରା ଉପରେ ଆଧାରିତ ଏକ ସୁନ୍ଦର ବିବରଣୀ।
ରେବତୀ ପତ୍ରିକାରେ ପର୍ଯ୍ୟଟନ ଉପରେ ଏକାଧିକ ବିଷୟ ରହିଛି। ତା’ ଭିତରୁ ଗୋଟିଏ ହେଉଛି କର୍ଣ୍ଣାଟକର ଦର୍ଶନୀୟ ସ୍ଥାନ କୁର୍ଗ ଉପରେ ଲିଖିତ ଫିଚର ‘କୁହୁକିନି କୁର୍ଗ’। ଭ୍ରମଣ କାହାଣୀ ଢାଞ୍ଚାରେ ପ୍ରସ୍ତୁତ ଏହି ଲେଖାଟି କୁର୍ଗ ଉପରେ ଏକ ବିସ୍ତୃତ ଚିତ୍ର ପ୍ରଦାନ କରୁଛି।
ରେବତୀର କବିତା ବିଭାଗରେ ପ୍ରକାଶ ପାଇଛି ପ୍ରବୀଣ ତରୁଣଙ୍କ ସ୍ଵର ଓ ବିବିଧତା।
ସେହିପରି ଗଳ୍ପ ବିଭାଗରେ ଝରଣା ପଟ୍ଟନାୟକ, ନନ୍ଦିତା ମହାନ୍ତିଙ୍କ ଲେଖା ପ୍ରକାଶ ପାଇଛି।
ପରିଚିତ ଯୁବ ସାହିତ୍ୟିକ ପବିତ୍ର ମୋହନ ଦାଶଙ୍କ ‘ଦାସେ ଅପଣେ’ର ୩୧ଶ ଅଧ୍ୟାୟ ଏକ ଆକର୍ଷଣ। ଗୋପବନ୍ଧୁ ଦାସଙ୍କ ସମ୍ପର୍କରେ ଏହା ଏକ ଚରିତ – ଉପନ୍ୟାସ, ଯାହାକି ଜାନୁଆରି ୨୦୨୦ରୁ ରେବତୀ ପୃଷ୍ଠାରେ ନିୟମିତ ପ୍ରକାଶିତ ହେଉଛି।
ବିହଙ୍ଗ ବିଚିତ୍ରାରେ ଦେବଯାନୀ ରାୟଙ୍କ ‘ଜାତୀୟ ପକ୍ଷୀ ମୟୂର’ ଯେପରି ରଙ୍ଗିନ, ଫୁଲ ଉପରେ ଆଧାରିତ ଶ୍ଵେତା ରାଉତଙ୍କ ଫିଚର ‘ମହକେ ମଧୁକମିନୀ’ ସେହିପରି ସୁନ୍ଦର ଓ ସୁଗନ୍ଧ ଯୁକ୍ତ।
ଲେଖିକା ଜୟନ୍ତୀ ରଥଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଲେଖା ‘ପ୍ରଜ୍ଞାପୀଠରେ ତେତିଶ ବର୍ଷ’ ରେବତୀ ପୃଷ୍ଠାରେ ଧାରାବାହିକ ଭାବେ ପ୍ରକାଶ ପାଇ ଆସୁଛି। ଚଳିତ ସଂଖ୍ୟାରେ ରହିଛି ଏହାର ୨୧ଶ ଅଧ୍ୟାୟ।
ରେବତୀର ଅନ୍ୟ ବିଭାଗ ମଧ୍ୟରେ ରହିଛି ଗୃହ ସମସ୍ୟା ଓ ତାହାର ସମାଧାନର ସୂତ୍ର, ଫ୍ୟାସନ ଏବଂ ରୋଷେଇଶାଳ ଭଳି ବିଭିନ୍ନ ଚଟପଟା ଫିଚର।
“ଆଜିକାଲି ଏମିତି କିଛି ଲେଖକଙ୍କୁ ଆମେ ପାଇବା ଯେଉଁମାନେ ଗତକାଲି ହୁଏତ ଲେଖାଲେଖି ଆରମ୍ଭ କରିଥିବେ କିନ୍ତୁ ଆଜି ସେମାନଙ୍କ ଡିମାଣ୍ଡ କାହିଁରେ କେତେ! ହାତରେ ଗଣ୍ଡାଏ ଦିଟା ବହି ଥିବ ତ’ କାନ୍ଧରେ ଥିବ ଥୋକେ ପୁରସ୍କାରର ବୋକଚା। ଏମାନଙ୍କ ଗତି ସତ କୁଆଡ଼େ? ଯେଉଁମାନେ ଦୁଇ ଦଶନ୍ଧି ଧରି ସାଧନାରତ ତାଙ୍କ ହାତରେ ବହି ଗୋଟିଏ ନଥିବ କି ପୁରସ୍କାରଟିଏ ଜୁଟି ନଥିବ। ସେମାନଙ୍କ ସମୟ ଓ ସାଧନାର ମୂଲ୍ୟାୟନ ଆମେ କରୁ ନା ଭାବୁ?” – ଶେଷ ପୃଷ୍ଠାରେ ‘ସର୍ଜନା ଓ ସମୟ’ ବିଷୟରେ ଏହି ଅଭିବ୍ୟକ୍ତି ରଖନ୍ତି ସହଯୋଗୀ ସମ୍ପାଦକ କୃଷ୍ଣ କୁମାର ମହାନ୍ତି।
“ଏକ ଗବେଷଣାରୁ ଜଣାଯାଏ ଯେ ଯେଉଁ ଲୋକମାନେ ନିଜ ପରିବାର ସହିତ ଅଧିକ ସମୟ ଅତିବାହିତ କରନ୍ତି, ସେମାନଙ୍କ ବୈବାହିକ ଜୀବନରେ ଅଧିକ ସଂତୁଳନ ଓ ଖୁସି ଦେଖିବାକୁ ମିଳିଥାଏ। ସେସବୁ ପରିବାରର ପିଲାମାନେ ନିଜ ମାତା ପିତାଙ୍କ ତ୍ୟାଗର ସମ୍ମାନ କରିବା ଶିଖନ୍ତି। ପରସ୍ପର ମଧ୍ୟରେ ସ୍ନେହ ଆଦର ମଧ୍ୟ ଏହାଦ୍ଵାରା ବଜାୟ ରହିଥାଏ। ସୁତରାଂ ପରିବାରକୁ ଅଧିକରୁ ଅଧିକ ସମୟ ଦେବା ସର୍ବାଦୌ ଉଚିତ – ଏକଥା ଆମେ ଯେତେ ବ୍ୟସ୍ତ ରହିଲେ ବି ଭୁଲିଯିବା ଉଚିତ ନୁହେଁ” – ‘ପାରିବାରିକ ସମୟ’ ଉପରେ ସମ୍ପାଦକୀୟ ଲେଖି ଏହି ମଞ୍ଜ କଥା ଉଠାଇଛନ୍ତି ସମ୍ପାଦିକା ସୁବାସିନୀ ଜେନା।
ପତ୍ରିକାର ମୂଲ୍ୟ ୫୦ ଟଙ୍କା।
Tags: #Rebati #MonthlyFamilyMagazine #FeatureStory #Review