ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୋର୍ଡର ଏକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରିଜର୍ଭ ବ୍ୟାଙ୍କ ଭାରତ ସରକାରଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ ହୋଇଥିବା ନିଜର ଲାଭରୁ ୮୭ ହଜାର ୪୧୬ କୋଟି ଟଙ୍କାର ଦେବାକୁ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ବୈଠକରେ ରିଜର୍ଭ ବ୍ୟାଙ୍କ ନିଜର କଣ୍ଟିଜେନ୍ସି ରିସ୍କ ବଫର ହାରକୁ ୫.୫ ପ୍ରତିଶତରୁ ୬ ପ୍ରତିଶତ କରିବାକୁ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଦିଆଯାଉଥିବା ଏହି ଲାଭାଂଶ କେନ୍ଦ୍ରୀୟ ବଜେଟରେ ପୂର୍ବରୁ ହୋଇଥିବା ଅକଳନରୁ ଅଧିକ ରହିଛି।

ଆରବିଆଇର ବୈଠକରେ ବର୍ତ୍ତମାନର ଘରୋଇ ଓ ବୈଦେଶିକ ବଜାରର ସ୍ଥିତି ଉପରେ ସମୀକ୍ଷା କରଯାଇଥିଲା। ବର୍ତ୍ତମାନ ବିଶ୍ଵ ରାଜନୈତିକ ଓ ଅର୍ଥନୈତିକ ସ୍ଥିତିର ଭାରତ ଉପରେ କ’ଣ ପ୍ରଭାବ ରହିବ ସେ ଦିଗରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏହାଛଡ଼ା ବୈଠକରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଆରବିଆଇର ବାର୍ଷିକ ରିପୋର୍ଟ ଉପରେ ସମୀକ୍ଷା ହୋଇଥିଲା।

ଆରବିଆଇର ଏହି ଲାଭାଂଶ ଅର୍ଥ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଲାଗିବ। ଏହାଛଡ଼ା ସରକାରଙ୍କ ବାହ୍ୟ ଋଣ କମ୍ କରିବାରେ ଏହି ଅର୍ଥ ସହାୟତା କରିବ।

 

ରିଜର୍ଭ ବ୍ୟାଙ୍କ ପୂର୍ବ ଆର୍ଥିକ ବର୍ଷରେ ବୈଦେଶିକ ମୁଦ୍ରା ବଜାରରେ ଅଧିକ ପରିମାଣରେ ଡଲାର ବିକ୍ରି କରି ଲାଭ ଆକାରରେ ଅନେକ ଟଙ୍କା ହାସଲ କରିଛି। ବ୍ୟାଙ୍କ ଏହି ଟଙ୍କା ଓ ଅନ୍ୟ ଦିଗରୁ ମିଳିଥିବା ଲାଭାଂଶରୁ ହିଁ କେନ୍ଦ୍ର ସରକାରଙ୍କୁ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ୨୦୨୨-୨୨ ଆର୍ଥିକ ବର୍ଷରେ ଆରବିଆଇ କେନ୍ଦ୍ର ସରକାରଙ୍କୁ ୩୦ ହାଜର ୩୦୭ କୋଟି ଟଙ୍କା ଲାଭାଂଶ ଦେଇଥିଲା।

Tags: #ReserveBankofIndia #SurplusTransfer #CentralGovt #EconomicAffairs

Comment