ଓଡ଼ିଶାଲାଇଭ୍ ବ୍ୟୁରୋ

ସତସଙ୍ଗର ଆଧ୍ୟାତ୍ମିକ ମୁଖ୍ୟ ଶ୍ରୀଶ୍ରୀ ଆଚାର୍ଯ୍ୟ ଦେବଙ୍କ ଜନ୍ମତିଥି ଗୁରୁବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ଏହି ଅବସରରେ ସତସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଫଳ ଏବଂ ବିସ୍କୁଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗ ଦେଇ ରୋଗୀମାନଙ୍କୁ ଫଳ ବାଣ୍ଟିଥିଲେ।

ସାମ୍ବାଦିକମାନଙ୍କର ଏହିଭଳି ଉଦ୍ୟମ ଲାଗି ଶ୍ରୀମୟୀ ମିଶ୍ର ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାମ୍ମୁଖ୍ୟର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଲକ୍ଷ୍ମୀଧର ସାହୁ ଓ ଉପଅଧୀକ୍ଷକ ଡାକ୍ତର ଧନଞ୍ଜୟ ଦାସ ପ୍ରମୁଖ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ଗୁରୁବାର ସକାଳ ୧୦ଟା ୩୦ରେ କ୍ୟାପିଟାଲ୍ ହସ୍ପିଟାଲର ଭେଷଜ ବିଭାଗ, ଦୃଦରୋଗ ବିଭାଗ, ଅସ୍ଥିଶଲ୍ୟ ବିଭାଗ, ଜରାରୋଗ ବିଭାଗ, ପ୍ରସୂତୀ ଓ ସ୍ତ୍ରୀରୋଗ ବିଭାଗର ୱାର୍ଡରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଫଳ ଓ ବିସ୍କୁଟ ବିତରଣ କରାଯାଇଥିଲା।

ସତସଙ୍ଗର ସହପ୍ରତିଋତ୍ଵିକ ତଥା ବରିଷ୍ଠ ସାମ୍ବାଦିକ ଧୃତିକାମ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାଗବତ ତ୍ରିପାଠୀ, ଦୋଳଗୋବିନ୍ଦ ପଣ୍ଡା, ଶ୍ରୀକାନ୍ତ ସାହୁ, ବୀରଭଦ୍ର ବିଶ୍ଵାଳ, ପ୍ରକାଶ ଚନ୍ଦ୍ର ସେଠୀ, ରୁଦ୍ରନାରାୟଣ ଜେନା, ସୁଧୀର କୁମାର ଜେନା, ଧନେଶ୍ଵର ମହାରଣା, ନୀଳକଣ୍ଠ ସାହୁ, ପ୍ରଦୀପ କୁମାର ଦେହୁରୀ, ଶତ୍ରୁଜିତ ମହାନ୍ତି, ଭୃଗୁନାରାୟଣ ମହାରଣା, ଦୀପକ କୁମାର ପରିଡ଼ା ଓ ସୁଧାରାଣୀ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଆଚାର୍ଯ୍ୟଦେବଙ୍କ ଜନ୍ମତିଥି ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ରୋଗୀ ଓ ସେମାନଙ୍କ ସର୍ମ୍ପର୍କୀୟ ଏବଂ କ୍ୟାପିଟାଲ ହସ୍ପିଟାଲର କର୍ମଚାରୀଙ୍କୁ ସତସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

Tags: #Satsang #BirthdayAnniversaryofSriSriAcharyaDev #FruitsAndBiscuitsDistributestoPatients

Comment