ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଚୌଦ୍ୱାର ଜେଲ୍‌ରେ ସାରଥୀ। ହେଲେ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ଭକ୍ତମାନେ କରୁଛନ୍ତି ସତସଙ୍ଗ। ସାରଥୀକୁ ନେଇ ଏତେ କାଣ୍ଡ ଘଟିଗଲା ପରେ ବି ଭକ୍ତମାନଙ୍କର ଜ୍ଞାନ ଉଦୟ ହେଉନି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଗଞ୍ଜା ଗାଁରେ ସାରଥୀ ଭକ୍ତମାନେ ସତସଙ୍ଗ କରୁଥିବା ବେଳେ ଅଭାବନୀୟ ଘଟଣା ଘଟିଛି।

ଶୁକ୍ରବାର ଥିଲା ଗଞ୍ଜା ଗାଁର ଅନାମ ଦାସଙ୍କ ପୁଅର ଜନ୍ମ ଦିନ। ଏହି ଅବସରରେ ଅନାମ ଭୋଜିଭାତର ଆୟୋଜନ କରିବା ସହିତ ବହୁ ଆଡମ୍ବରରେ ସାରଥ ପୂଜା କରିଥିଲେ। ସତସଙ୍ଗ ମଧ୍ୟ ଆୟୋଜନ କରିଥିଲେ। ନିମନ୍ତ୍ରଣ ପାଇ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଜଗସିଂହପୁର ଓ ଯାଜପୁର ଜିଲ୍ଲାରୁ ସାରଥୀ ଭକ୍ତମାନେ ସତସଙ୍ଗରେ ସାମିଲ ହୋଇଥିଲେ। ମାଇକ ଲଗାଇ ଭକ୍ତମାନେ ସାରଥୀ ଭଜନ ଗାଉଥିବା ବେଳେ ସ୍ଥାନୀୟ ଯୁବକମାନେ ପହଞ୍ଚି ଭଣ୍ଡ ସାରଥୀର ପୂଜା କାହିଁକି କରୁଛ ବୋଲି ପ୍ରଶ୍ନ କରିଥିଲେ। ତୁରନ୍ତ ପୂଜା ବନ୍ଦ କରିବାକୁ କହିଥିଲେ। ହେଲେ ଭକ୍ତମାନେ ଯୁବକମାନଙ୍କ କଥାକୁ ନମାନି ପୂଜା ଚାଲୁ ରଖିଥିଲେ।

ପୂଜା ବନ୍ଦ ନହେବାରୁ ଯୁବକମାନେ ଜବରଦସ୍ତ ସାରଥୀ ଫଟୋକୁ ଫିଙ୍ଗି ଦେବା ସହ ସାଜସଜ୍ଜାକୁ ଛିଡ଼ାଇ ଦେଇଥିଲେ। ମାଇକ ବନ୍ଦ କରି ଦେଇଥିଲେ।

ଗଣ୍ଡଗୋଳର ଖବରପାଇ ରାଜକନିକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଏହି ଗଣ୍ଡଗୋଳ ପାଇଁ ରାଜକନିକା ପୋଲିସ  ସତସଙ୍ଗ ଆୟୋଜନ କରିଥିବା ଅନାମ ଦାସଙ୍କୁ ଆଜି ଥାନାକୁ ଡକାଇ ଥିଲେ। ଅନାମ ରାଜକନିକା ଥାନାକୁ ଯିବା ପରେ ପୋଲିସ ନାଲିଆଖି ଦେଖାଇଥିଲା।

ସର୍ବସାଧାରଣ ସ୍ଥାନରେ ସାରଥୀ ପୂଜା ନକରିବାକୁ ଅନାମକୁ ପୋଲିସ ତାଗିଦ କରିଥିଲେ। ଯଦି ଆଉ କେବେ ସାରଥୀ ପୁଜା ସର୍ବସାଧାରଣ ସ୍ଥାନରେ କର ଏବଂ ସେଠାରେ କୌଣସି ଗଣ୍ଡଗୋଳ ହୁଏ ତେବେ ତୁମେ ବନ୍ଧା ହେବ।

୨୦୧୫ ମସିହା ଠାରୁ ସାରଥିଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଥମିବାର ନା ଧରୁନି। ଆତ୍ମଘୋଷିତ ବାବା ସାରଥୀ ନାନା କେଳେଙ୍କାରୀରେ ଫସି ୩ ବର୍ଷ ଧରି ଚୌଦ୍ୱାର ସର୍କଲ ଜେଲର ଅନ୍ଧାର କୋଠରି ମଧ୍ୟରେ କାଳ କାଟୁଛି।

Comment