ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ଚିହ୍ନଟ କରିବା ଏବେ ବଡ଼ ସମସ୍ୟା ପାଲଟିଛି। ଅନେକ ମୃତଦେହ ଚିହ୍ନଟ ହୋଇନଥିବାବେଳେ ଗୋଟିଏ ମୃତଦେହ ପାଇଁ ଏକାଧିକ ଦାବିଦାର ସାମ୍ନାକୁ ଆସିଛନ୍ତି। ଏହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ଭୁବନେଶ୍ଵର ଅଣାଯାଇଥିଲା। ଏମ୍ସ, କ୍ୟାପିଟାଲ ହସ୍ପିଟାଲ ସହ ବିଭିନ୍ନ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ମୃତଦେହ ରଖାଯାଇଥିଲା।

ଏମ୍ସ ହସ୍ପିଟାଲରେ ରଖାଯାଇଥିବା ମୃତଦେହ ମଧ୍ୟରୁ ୬୪ଟି ଚିହ୍ନଟ କରି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ୫୯ଟି ମୃତଦେହ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଚାଲିଛି। ଏହାରି ମଧ୍ୟରେ ଏମ୍ସ ହସ୍ପିଟାଲ ପରିସରରେ ଟିଭି ସ୍କ୍ରିନରେ ଜାରି କରାଯାଥିବା ଫଟୋଗୁଡ଼ିକ ମଧ୍ୟରୁ ଜଣେ ମୃତକଙ୍କ ଭାଇ ବୋଲି ଦାବି କରିଥିଲେ। ସମାନ ଫଟୋ ପାଇଁ ଆଉ ଏକ ପରିବାର ଆଗକୁ ଆସିଥିଲେ। ଗୋଟିଏ ମୃତଦେହ ପାଇଁ ଏକାଧିକ ଦାବିଦାର ଥିବାରୁ ଡିଏନଏ ପରୀକ୍ଷା ପାଇଁ ଉଭୟ ପକ୍ଷଙ୍କୁ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା।

ବର୍ତ୍ତମାନ ସୁଦ୍ଧା ଡିଏନଏ ଟେଷ୍ଟ ପାଇଁ ୧୦ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ଆସିବା ପରେ ପ୍ରକୃତ ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି।

ଏହା ପୂର୍ବରୁ ମଧ୍ୟ ଜଣେ ମହିଳା ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କୁ ମିଛରେ ନିଜ ସ୍ଵାମୀ ବୋଲି ଦାବି କରି ଧରାପଡ଼ିଥିଲେ। ବର୍ତ୍ତମାନ ମୃତଦେହଗୁଡ଼ିକ ଚିହ୍ନିବା ଅବସ୍ଥାରେ ନଥିବାରୁ ଟଙ୍କା ପାଇବା ଲୋଭରେ ମୃତଦେହ ନେବାକୁ ଅନେକ ଦାବି କରିବାର ସମ୍ଭାବନା ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଯେଉଁ ସମ୍ପର୍କୀୟମାନେ ସେମାନଙ୍କ ଆତ୍ମୀୟଙ୍କ ମୃତଦେହ ଚିହ୍ନି ପାରୁନାହାନ୍ତି, ସେମାନେ ଡିଏନଏ ଟେଷ୍ଟ ପାଇଁ ନମୁନା ଦେବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ବିଏମସି ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବର ହେଲା ୮୨୮୦୩୪୬୬୨୯।

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣ ପ୍ରାଣ ହରାଇଥିଲେ। ଏମାନଙ୍କ ମଧ୍ୟରୁ ୧୭୬ ଜଣଙ୍କ ପରିଚୟ ମିଳିବା ସହ ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏବେ ଆହୁରି ୯୯ଟି ମୃତଦେହ ଚିହ୍ନଟ ହୋଇପାରି ନାହିଁ।

Tags: #BahanagaTrainTragedy #DeadBodyIdentification #DNATest #TrainAccidentinOdisha #TrainMishap #IndianRailway

Comment