ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ନେଇ ଦ୍ଵନ୍ଦ୍ଵ ଦେଖାଦେଇଛି। କିଛି ମୃତଦେହ ଚିହ୍ନଟ ହୋଇନପାରି ପଡ଼ି ରହିଥିବାବେଳେ ଗୋଟିଏ ମୃତଦେହର ୬ ଜଣ ଲେଖାଏଁ ଦାବିଦାର ରହିଛନ୍ତି। ଏହାକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛନ୍ତି।

ଜୁନ ୨ ତାରିଖ, ଶୁକ୍ରବାର ରାତିରେ ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରାୟ ୨୦୦ ମୃତଦେହ ଚିହ୍ନଟ ହୋଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ୮୮ଟି ମୃତଦେହ ଏମ୍ସ ହସ୍ପିଟାଲରେ ସଂରକ୍ଷିତ ରଖାଯାଇଛି। ସମସ୍ତ ମୃତଦେହ ୪ଟି କଣ୍ଟେନରରେ ରଖାଯାଇଥିବା କହିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ।

ଜଣେ ପଶ୍ଚିମବଙ୍ଗର ବ୍ୟକ୍ତି ଅଭିଯୋଗ କରିଛନ୍ତି ତାଙ୍କ ପୁଅର ମୃତଦେହ ବିହାରରୁ ଆସିଥିବା ପରିବାର ସାଙ୍ଗରେ ନେଇ ଯାଇଛନ୍ତି। କିଛି ମୃତଦେହ ଚିହ୍ନଟ ହୋଇପାରୁ ନଥିବାବେଳେ ଗୋଟିଏ ଗୋଟିଏ ମୃତଦେହ ପାଇଁ ଏକାଧିକ ଦାବିଦାର ରହିଛନ୍ତି। ଯାହାକୁ ନେଇ ଦ୍ଵନ୍ଦ୍ଵ ବଢ଼ିଛି।

ଏହି ଦ୍ଵନ୍ଦ୍ଵ ଦୂର କରିବା ପାଇଁ ଦାବିଦାରଙ୍କ ଡିଏନଏ ମ୍ୟାଚ୍ ପାଇଁ ନମୁନା ସଂଗ୍ରହ କରାଯାଇଛି। ପ୍ରାୟ ୩୩ ଜଣଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଦିଲ୍ଲୀ ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଭୁବନେଶ୍ଵର ମେୟର କହିଛନ୍ତି।

ବର୍ତ୍ତମାନ ସମସ୍ତ ମୃତଦେହ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲରେ ରଖାଯାଇଛି। ମୃତଦେହ ଚହ୍ନଟ କରିବାକୁ ଚାହୁଁଥିବା ସମ୍ପର୍କୀୟମାନେ ଏଣେତେଣେ ନଦୌଡ଼ି ଏମ୍ସ ଆସିବାକୁ ପରାମର୍ଶ ଦିଆଯାଇଛି।

Tags: #BahanagaTrainTragedy #DeadBody #DeadbodyIdentification

Comment