ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରକ୍ ଚାଳକଙ୍କ ପାଇଁ ଖୁସି ଖବର। ଆଗକୁ ଏସି କ୍ୟାବିନରେ ବସି ଟ୍ରକ ଚଲେଇବେ ଡ୍ରାଇଭର। ଆସନ୍ତା ୨୦୨୫ ମସିହାଠାରୁ ସମସ୍ତ ଟ୍ରକର କ୍ୟାବିନ ଶୀତତାପ ନିୟନ୍ତ୍ରିତ ହେବାକୁ ଯାଉଛି।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଟ୍ରକ୍ ଡ୍ରାଇଭରମାନଙ୍କ ଲାଗି ଏସି କ୍ୟାବିନ ପ୍ରସ୍ତାବକୁ ଅନୁମୋଦନ କରିଥିବା ଘୋଷଣା କରିଛନ୍ତି। ସଡ଼କ ପରିବହନ ମନ୍ତ୍ରଣାଳୟରେ ୨୦୧୬ ମସିହାରେ ପ୍ରଥମ ଥର ପାଇଁ ଏହି ପ୍ରସ୍ତାବ ରଖାଯାଇଥିଲା।

ଖରା, ଗରମରେ ପ୍ରାୟ ୧୧ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଝାଳନାଳ ହୋଇ ଟ୍ରକ୍ ଚଲାଉଥିବା ଡ୍ରାଇଭରମାନଙ୍କ ଥକାପଣ ବିଭିନ୍ନ ସମୟରେ ଦୁର୍ଘଟଣାର କାରଣ ବୋଲି ଜଣାପଡ଼ିଥିଲା। ଟ୍ରକ ଡ୍ରାଇଭରଙ୍କ ନିମନ୍ତେ ଏସି କ୍ୟାବିନ କରିବାର ଆବଶ୍ୟକତା ଅନୁଭବ କରିଥିଲା ସଡ଼କ ପରିବହନ ମନ୍ତ୍ରାଳୟ।

ଏଣିକି ୨୦୨୫ରୁ ଟ୍ରକଗୁଡ଼ିକରେ ଏସି କ୍ୟାବିନ ତିଆରି କରିବା ଲାଗି ବାଧ୍ୟତାମୂଳକ କରାଯାଇଛି। ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ଭାରତରେ କିଛି ଡ୍ରାଇଭର ୧୨ରୁ ୧୪ ଘଣ୍ଟା ଟ୍ରକ ଚଲାଉ ଥିବାବେଳେ ଅନ୍ୟ ଦେଶଗୁଡ଼ିକରେ ଟ୍ରକ ଡ୍ରାଇଭରଙ୍କ ଡ୍ୟୁଟି ସମୟ ନିର୍ଦ୍ଧାରଣ କରାଯାଇଛି। ଏଠାକାର ଡ୍ରାଇଭରମାନେ ୪୩ରୁ ୪୭ ଡିଗ୍ରୀ ତାପମାତ୍ରାରେ ଗାଡ଼ି ଚଲାଉଛନ୍ତି। ସେମାନଙ୍କ ଅବସ୍ଥା ବିଷୟରେ ସମସ୍ତେ ଅବଗତ। ଟ୍ରକ୍ ଡ୍ରାଇଭରଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଥିବା ଗଡକାରୀ କହିଛନ୍ତି।

Tags: #TruckCabin #ACCabin #TruckDriver

Comment