ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁଆଖାଇ ନଦୀରେ ବହୁଛି ନୂଆ ନୂଆ ବଢ଼ି ପାଣି। ଏହି ବଢ଼ି ପାଣି ଦେଖିବା ପାଇଁ ବ୍ରିଜ ଉପରେ ସକାଳେ ଓ ସନ୍ଧ୍ୟାରେ ଲାଗୁଛି ଲୋକଙ୍କ ଭିଡ଼। ବଢ଼ି ପାଣି ଦେଖି ଲୋକେ ମଜା ନେଉଛନ୍ତି। ହେଲେ ୟୁନିଟ୍-୯ ବୟେଜ ହାଇସ୍କୁଲର ୬ ଜଣ ଛାତ୍ରଙ୍କ ପାଇଁ କାଳ ପାଲଟିଗଲା କୁଆଖାଇର ବଢ଼ି ପାଣି। ସ୍କୁଲ ନଯାଇ ବଢ଼ି ପାଣିରେ ମଉଜ କରିବାକୁ ଯିବା ମହଙ୍ଗା ପଡ଼ିଲା। ୨ ଜଣ ଛାତ୍ରଙ୍କର କୁଆଖାଇ ନଦୀରେ ଜୀବନ ଯାଇଥିବା ବେଳେ ଆଉ ୪ ଜଣ ମରଣ ମୁହଁରୁ ଫେରି ଆସିଛନ୍ତି।

ଭାସିଗଲେ ୪, କୂଳରେ ଥିଲେ ୨

ସମୟ ପ୍ରାୟ ସକାଳ ୯ଟା। ସ୍କୁଲ ୟୁନିଫର୍ମ ପିନ୍ଧି ଘରୁ ବାହାରି ଆସିଥିଲେ ଭୁବନେଶ୍ୱର ବାଣୀବିହାର ଏବଂ ଜୟଦେବ ବିହାର ଅଞ୍ଚଳର ଦେବାଶିଷ ରାଉତ, ତ୍ରିଲୋଚନ ନାୟକ, ରାକେଶ ନାୟକ, ଅମନ ସାହୁ, ଜଗମୋହନ ସାହୁ ଏବଂ ସଫିକ୍ ଦିଗାଲ୍। ହେଲେ ସେମାନେ ସ୍କୁଲକୁ ଯାଇ ନଥିଲେ। ସ୍କୁଲ ଯିବା ବଦଳରେ କୁଆଖାଇରେ ବନ୍ୟା ଦେଖିବାକୁ ଆସିଥିଲେ। ହେଲେ କୂଳରେ ଛିଡ଼ା ହୋଇ ପାଣି ଦେଖିବା ବଦଳରେ ପାଣି ଭିତରକୁ ପଶିଥିଲେ ୬ ଜଣ ଯାକ। ବନ୍ୟା ପାଣିରେ ଗାଧୋଉଥିଲେ। ୪ ଜଣ ଛାତ୍ର ପାଣି ଭିତରକୁ ପଶିଥିବା ବେଳେ ୨ ଜଣ କୂଳରେ ଗାଧୋଉଥିଲେ।

ବନ୍ୟା ପାଣିରେ ଗାଧୋଇବାର ମଜା ନେଉ ନେଉ ୪ ଜଣ ଛାତ୍ର କୁଆଖାଇର ଗଭୀର ପାଣି ଭିତରୁ ପଶି ଯାଇଥିଲେ। ଫଳରେ ୪ ଜଣ ଯାକ ଉବୁଟୁବୁ ହେଉଥିଲେ। କୂଳରେ ଥିବା ଦୁଇ ଜଣ ଛାତ୍ର ପାଟି କରିବାରୁ ଆରପଟେ ଗାଧୋଉଥିବା ଦୁଇ ଜଣ ଟ୍ରକ ଡ୍ରାଇଭର ଦୌଡ଼ି ଆସିଥିଲେ। ବୁଡ଼ି ଯାଉଥିବା ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ପାଣିକୁ ଲମ୍ଫ ମାରିଥିଲେ।

ଟ୍ରକ ଡ୍ରାଇଭର ଆଲୋକ ଏବଂ ବାବୁଲା ୨ ଜଣ ଛାତ୍ରଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ। ଆଉ ୨ ଜଣ ଗଭୀର ପାଣିକୁ ପଶି ଯାଇଥିବାରୁ ତାଙ୍କୁ ଉଦ୍ଧାର କରିବା ସମ୍ଭବ ନଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଏବଂ ମଞ୍ଚେଶ୍ୱର ଥାନାକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ଏବଂ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳକୁ ଆସିଥିଲେ। ପ୍ରାୟ ଦୁଇ ଘଣ୍ଟା ପରେ ବୁଡ଼ି ଯାଇଥିବା ଦୁଇ ଜଣ ଛାତ୍ର ଜଗମୋହନ ସାହୁ ଏବଂ ସଫିକ୍ ଦିଗାଲଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଅଳ୍ପକେ ବର୍ତ୍ତିଥିବା ୪ ଜଣ ଛାତ୍ର ମଞ୍ଚେଶ୍ୱର ଥାନାକୁ ଅଣାଯାଇଥିଲା। ସେମାନଙ୍କ ଅଭିଭାବକଙ୍କୁ ଫୋନ୍‌ ଯୋଗେ ପୋଲିସ ଜଣାଇବା ପରେ କ୍ୟାପିଟାଲ ହସ୍ପିଟାଲରେ ଲୋକଙ୍କ ଭିଡ଼ ଲାଗିଥିଲା।

କାନ୍ଦ ବୋବାଳିରେ ଫାଟି ପଡ଼ିଲା ହସ୍ପିଟାଲ ପରିସର

ଛାତ୍ର ଜଗମୋହନ ସାହୁ ଏବଂ ସଫିକ ଦିଗାଲ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିବା ପରେ ପରିବାର ଏବଂ ସମ୍ପର୍କୀୟଙ୍କ ଭିଡ଼ ଜମିଥିଲା। ଉଭୟ ଛାତ୍ରଙ୍କ ବାପା, ମା’ କାନ୍ଦି କାନ୍ଦି ଭୂଇଁରେ ଗଡ଼ି ଯାଉଥିଲେ। କାନ୍ଦରେ ପାଟି ଶୁଖି ଯାଉଥିଲା। ସମ୍ପର୍କୀୟମାନେ ବୁଝାଇଥିଲେ ମଧ୍ୟ ସେମାନଙ୍କ ଆଖିରୁ ଲୁହ ଶୁଖୁ ନଥିଲା।

କ’ଣ କହୁଛନ୍ତି ପ୍ରଧାନ ଶିକ୍ଷକ?

ୟୁନିଟ୍-୯ ବୟେଜ ହାଇସ୍କୁଲର ପ୍ରଧାନ ଶିକ୍ଷକ କୁହନ୍ତି ଯେ ୬ ଜଣ ଯାକ ଆଜି ସ୍କୁଲ ଆସି ନାହାନ୍ତି। ଉପସ୍ଥାନ ଖାତାରେ ସେମାନେ ଅନୁପସ୍ଥିତ ଅଛନ୍ତି। ଆମ ସ୍କୁଲ ସକାଳ ୧୦ଟାରେ ଖୋଲିଥାଏ। ୧୦ଟା୨୦ରେ ପ୍ରାର୍ଥନା ହେବା ସହ ୧୦ଟା୩୦ରେ ପ୍ରେଜଣ୍ଟ ପଡ଼ିଥାଏ। ସେମାନେ ଆଜି ସ୍କୁଲ ଆସି ନାହାନ୍ତି। ସେମାନଙ୍କ ମୃତ୍ୟୁ ଖବର ଆମେ ମଞ୍ଚେଶ୍ବର ଥାନାରୁ ଜାଣିବାକୁ ପାଇଛୁ।

Comment