ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ସ୍ଥିର, କିନ୍ତୁ ରାଜନୀତି ନୁହେଁ। ଗତ ସପ୍ତାହରେ ଆରମ୍ଭ ହୋଇଥିବାପାଓ୍ଵାର ପ୍ଲେରେ ଆଗକୁ ଆହୁରି ବହୁତ ଖେଳ ବାକି ଅଛି

ମହାରାଷ୍ଟ୍ର ରାଜନୀତିରେ ଯାହା ଘଟୁଛି ତାହା ଅପ୍ରତ୍ୟାଶିତ ନୁହେଁ, ଅତି ଚତୁରତାର ସହ ଲେଖାଯାଇଥିବା ରାଜନୈତିକ ସ୍କ୍ରିପ୍ଟରେ ଆଗକୁ କ’ଣ ସବୁ ସିନ୍ ଅଛି ତାହା ଏବେଠାରୁ କହିବା ମୁସ୍କିଲ। ଏଥିରେ ଆଉ କିଏ ବଳି ପଡ଼ିବ? କାହାର ଚୌକି ଗଡ଼ିବ? କିଏ ଉପରକୁ ଯିବ ଆଉ କିଏ ତଳକୁ ଖସିବ? ଏସବୁ ପ୍ରଶ୍ନ ଜନତାଙ୍କ ମନ ଭିତରେ ଉଙ୍କି ମାରୁଛି। ମହାରାଷ୍ଟ୍ରର ଏ ରାଜନୀତି ମଡେଲ ପୂରା ଦେଶ ଉପରେ କେମିତି ପ୍ରଭାବ ପକାଉଛି ତା’ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

ଏନ୍‌ସିପି ନେତା ଅଜିତ ପାଓ୍ଵାର ଉପମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ସଂଖ୍ୟା ଦୃଷ୍ଟିରୁ ଏବେ ଆପାତତଃ ସରକାର ସ୍ଥିର ବୋଲି କୁହାଯାଉଛି। କିନ୍ତୁ ଅସଲ ପ୍ରଶ୍ନ ହେଲା ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେତେ ସ୍ଥିର? ଯାହା ଘଟିଲା କେହି କଳ୍ପନା କରିନଥିଲେ। ଆଗକୁ ଯାହା ଘଟିବ ତାହା ମଧ୍ୟ କଳ୍ପନା କରିବା କଷ୍ଟକର। କାରଣ ସବୁକିଛି ସ୍କ୍ରିପ୍ଟ ହିସାବରେ ଘଟିବ ତାହା ନୁହେଁ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି। ଉପରେ ଟ୍ରିପଲ ଇଞ୍ଜିନର ସରକାର ଚାଲିଥିଲେ ମଧ୍ୟ ଇଞ୍ଜିନର ଡ୍ରାଇଭର କିଏ ତା’ର ଉତ୍ତର କାହା ପାଖରେ ନାହିଁ। ଫଡନାଭିସ ନିଜକୁ ନେଇ ଚିନ୍ତାରେ ଥିବାବେଳେ ନିଜ ସ୍ଥିତି କ’ଣ ହେବ ସେ ନେଇ ସିନ୍ଦେ ମଧ୍ୟ ସନ୍ଦିହାନ ଅବସ୍ଥାରେ।

ଏବେ ମହାରାଷ୍ଟ୍ରରେ ଚର୍ଚ୍ଚା ହେଉଛି, ଅଜିତଙ୍କୁ ଆଣି ବିଜେପି କାହାର ଚେର କାଟିବାକୁ ଚାହୁଁଛି। ଏନ୍‌ସିପିର, ନା ସିନ୍ଦେଙ୍କର? ନା ଫଡନାଭିସ ଏବେ ଦଳ ପାଇଁ ଅପ୍ରାସଙ୍ଗିକ ହୋଇଯାଇଛନ୍ତି। କାରଣ କ୍ଷମତା ସଙ୍କୁଚିତ ହୋଇଥିବାରୁ ଫଡନାଭିସ ମଧ୍ୟ ଚିନ୍ତାରେ ଅଛନ୍ତି। ଆଗକୁ ସିନ୍ଦେ ଯଦି ହଟିବେ ତେବେ ଫଡନାଭିସ ଯେ ମୁଖ୍ୟମନ୍ତ୍ରୀ ହେବେ ତା’ର ଗ୍ୟାରେଣ୍ଟି ବି ନାହିଁ। ମୁଖ୍ୟମନ୍ତ୍ରୀ ହେବେ ବୋଲି ଅଜିତ ମଧ୍ୟ ଖୋଲାଖୋଲି କହିଥିବାରୁ ଦୁଇ ଉପମୁଖ୍ୟମନ୍ତ୍ରୀ ଭାରି ଚିନ୍ତାରେ ପଡ଼ିଛନ୍ତି। ବିଜେପିର ଶୀର୍ଷ ନେତୃତ୍ଵଙ୍କ ଯୋଜନା କ’ଣ? ଏମାନଙ୍କ ପାଖରେ ବି ଖବର ନାହିଁ।

ଅନ୍ୟପଟେ ସିନ୍ଦେ ଗୋଷ୍ଠୀରୁ ଅନେକ ମନ୍ତ୍ରୀ ପଦ ପାଇନଥିବାରୁ ସିନ୍ଦେଙ୍କ ଉପରେ ପ୍ରବଳ ଚାପ। ସିନ୍ଦେଙ୍କ ସ୍ଥିତି ଟଳମଳ ବୋଲି ଚର୍ଚ୍ଚା ହେଉଥିବାରୁ ଶିବସେନା (ସିନ୍ଦେ ଗୋଷ୍ଠୀ)ର ବିଧାୟକମାନେ ମଧ୍ୟ ନିଜର ସ୍ଥିତି ନେଇ ଭୟରେ ଅଛନ୍ତି। ତେଣୁ ନିକଟ ଭବିଷ୍ୟତରେ ସେମାନେ ସମସ୍ତେ ଦଳ ଛାଡ଼ି ବିଜେପିରେ ମିଶିଯାଇ ପାରନ୍ତି ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ସିନ୍ଦେଙ୍କୁ ଭେଟିବା ପରେ ରାଜନୀତି ଆଉ ଟିକେ ଗୋଳମାଳିଆ ହୋଇଛି।

କିଛି ରାଜନୀତି ସମୀକ୍ଷକଙ୍କ ମତ ବିଜେପିର ଏ ଖେଳ ଆଦୌ ରାଜ୍ୟ ସରକାରଙ୍କୁ ବଞ୍ଚାଇବା ପାଇଁ ନୁହେଁ। ବରଂ ଏଇଟା ୨୦୨୪ ପୂର୍ବରୁ ବିଜେପିର ଶକ୍ତି ବୃଦ୍ଧି। କାରଣ ଯେଉଁ କିଛି ଭୋଟ କମିବାର ଆଶଙ୍କା ଅଛି ଯଦି ତାହା ସିଟରେ ପରିଣତ ହୋଇଯାଏ, ତେବେ ୨୦୧୯ରେ ମିଳିଥିବା ଆସନରୁ ବହୁତ ହରାଇବ ବିଜେପି। ଏପରିକି ୩୦୦ ତଳକୁ ଖସି ଯିବାର ସମ୍ଭାବନା ରହିଛି। ଏହି ଆକଳନ ବିଜେପି ପାଇଁ ଭାରି ବିପଜ୍ଜନକ ସାବ୍ୟସ୍ତ ହେବ ବୋଲି ରାଜନୀତି ପଣ୍ଡିତମାନେ ମତ ଦେଇଛନ୍ତି।

ବଳ ବୃଦ୍ଧି ପାଇଁ ବିଜେପି ଦୁଇ ପ୍ରକାର ରଣନୀତି ସ୍ଥିର କରିଛି। ଗୋଟେ ହେଲା ହୋଲ୍‌ସେଲ୍ ବା ପାଇକାରୀ ଶକ୍ତି ସଂଗ୍ରହ ଓ ଅନ୍ୟଟି ରିଟେଲ ବା ଖୁଚୁରା ଶକ୍ତି ସଂଗ୍ରହ। ମହାରାଷ୍ଟ୍ରରେ ପାଇକାରୀ ଭାବେ ଶକ୍ତି ସଂଗ୍ରହ କରିଛି ବିଜେପି। ଏନ୍‌ସିପି, ଶିବସେନାର ଶକ୍ତି ରହିଛି ବିଜେପି ପାଖରେ। ଆସନ୍ତା ୨୦୨୪ ପାଇଁ ଯଦି ଏହି ମେଣ୍ଟ ଏକାଠି ଲଢ଼େ, ତେବେ ଏନ୍‌ଡିଏ ୪୮ ଆସନ ଜିତି ପାରିବ ବୋଲି ଆକଳନ କରିଛି। ମହାରାଷ୍ଟ୍ର ପାଇଁ ଏହି ହୋଲ୍‌ସେଲ୍ ଷ୍ଟ୍ରାଟେଜି କରିଥିଲା ବିଜେପି। ସେଥିରେ ବିଜେପି ସଫଳ ହୋଇଥିବା ଆକଳନ କରିଛି। କିନ୍ତୁ ଭୋଟରଙ୍କୁ ଏ ଷ୍ଟାଇଲ୍ କେମିତି ଲାଗୁଛି ତାହା ନିର୍ବାଚନରେ ଜଣାପଡ଼ିବ। ଯଦି ଏମିତି ଦଳବଦଳ ଭୋଟରଙ୍କୁ ପସନ୍ଦ ନଆସିବ ତେବେ ଏନ୍‌ଡିଏ ମେଣ୍ଟକୁ ବହୁତ କ୍ଷତି ହେବାର ଆଶଙ୍କା ରହିଛି ବୋଲି ରାଜନୀତି ପଣ୍ଡିତମାନେ ଆକଳନ କରୁଛନ୍ତି।

କିଛି ରାଜ୍ୟ ପାଇଁ ରିଟେଲର ଷ୍ଟ୍ରାଟେଜି ଗ୍ରହଣ କରିବାକୁ ଯୋଜନା କରିଛି ବିଜେପି। କିଛି ଲୋକସଭା ଆସନ ପାଇଁ ବିଭିନ୍ନ ଦଳରୁ ଶକ୍ତି ଥିବା ପ୍ରାର୍ଥୀଙ୍କୁ ନିଜ ଦଳକୁ ଆଣିବା ପାଇଁ ଚେଷ୍ଟା କରିବ ବିଜେପି। ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ବିଜେପିର ଜାତୀୟସ୍ତରର ଶୀର୍ଷ ନେତା କଥା ହୋଇଥିବା ସୂଚନା ମିଳିଛି। ହୋଲ୍‌ସେଲ୍‌ ଓ ରିଟେଲିଂ ମୋଡ୍ ବିଜେପି ପାଇଁ ଫାଇଦା ଦେବା ସହ କ୍ଷତି ବି କରିପାରେ ବୋଲି ରାଜନୈତିକ ମହିଲରେ ଚର୍ଚ୍ଚା ହେଉଛି। ଏଥିପାଇଁ ମଧ୍ୟ କେତେକ ରାଜ୍ୟକୁ ନେଇ ବିଜେପି ଚିନ୍ତାରେ ଅଛି। ବିଶେଷ କରି ମଧ୍ୟପ୍ରଦେଶ, ବିହାର ଓ ରାଜସ୍ଥାନକୁ ନେଇ ବିଜେପି ଚିନ୍ତାରେ ରହିଛି। ସେଥିପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ସହ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପି ଉଦ୍ୟମ କରିବ ବୋଲି ଚର୍ଚ୍ଚା ହେଉଛି।

ମହାରାଷ୍ଟ୍ର, ଏହା ପୂର୍ବରୁ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ବିଜେପିର ନୂଆ ମଡେଲ ରାଜନୀତିକୁ ନୂଆ ରୂପ ଦେଇଛି। ବହୁମତ ନମିଳିଲେ ଯେ ସରକାର ଗଠନ କରିହେବ ନାହିଁ, ସେ ଥିଓରି ଏବେ ଆଉ ପ୍ରାସଂଗିକ ହୋଇ ରହିନାହିଁ।

Tags: #Politics #IndianPolitics #MaharshtraPolitics #BJP #PowerPlay

Comment