ଓଡ଼ିଶାଲାଇଭ୍ ବ୍ୟୁରୋ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାର ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଉଦ୍ଦେଶ୍ୟରେ ‘ଆର୍ଟଶାଳା’ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଝାରସୁଗୁଡ଼ାର ପୂର୍ଣ୍ଣା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମଜାଳିଆ ତଥା ଆକର୍ଷଣୀୟ ଶିକ୍ଷଣ ସ୍ଥାନ ସୃଷ୍ଟି କରିବାକୁ କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର କାନ୍ଥଗୁଡ଼ିକରେ ବିଭିନ୍ନ ଛବି ଅଙ୍କାଯାଇ ଏହାକୁ ଭିଜୁଆଲ ଲର୍ଣ୍ଣିଂର ଏକ ମାଧ୍ୟମ ରୂପେ ପ୍ରସ୍ତୁତ କରାଯାଇଛି। ‘ଆର୍ଟଶାଳା’ କାର୍ଯ୍ୟକ୍ରମରେ ସାମିଲ ସ୍ଵେଚ୍ଛାସେବୀମାନେ ସ୍କୁଲର କାନ୍ଥରେ ବର୍ଣ୍ଣମାଳାର ଅକ୍ଷର, ଗଛର ଅଂଶ, ନୂତନ ଶବ୍ଦ, ସପ୍ତାହର ଦିନ, ସଂଖ୍ୟା ଏବଂ ଆହୁରି ଅନେକ ଚିତ୍ର ଅଙ୍କିଥିଲେ।

ପୂର୍ଣ୍ଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାନ୍ଥଗୁଡ଼ିକର ଏହି ପରିବର୍ତ୍ତିତ ରୂପ ସେଠାକାର ଛାତ୍ରଛାତ୍ରୀଙ୍କୁ ବିଶେଷ ଭାବେ ଆକର୍ଷିତ କରିଥିଲା। ଛାତ୍ରଛାତ୍ରୀମାନେ କାନ୍ଥରେ ଥିବା ବିଭିନ୍ନ ଚିତ୍ରକୁ ଦେଖି ଖୁସି ହୋଇଥିଲେ।

“ବେଦାନ୍ତ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ତଥା ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ବହୁତ ପଦକ୍ଷେପ ନିଆଯାଉଛି। ‘ଆର୍ଟଶାଳା’ ମାଧ୍ୟମରେ ଆମେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷା ପାଇଁ ପ୍ରେରଣା ଯୋଗାଇବାକୁ ଲକ୍ଷ୍ୟ ରଖିଛୁ। ଏଥିରେ କଳା ଏବଂ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ବଢ଼ିବ ବୋଲି ମୋର ବିଶ୍ଵାସ”, କହିଛନ୍ତି ବେଦାନ୍ତ ଆଲୁମିନିୟମର ସିଓଓ ସୁନିଲ ଗୁପ୍ତା।

ଏହି କାର୍ଯ୍ୟକ୍ରମକୁ ଝାରସୁଗୁଡ଼ାର ଆହୁରି ବିଦ୍ୟାଳୟରେ ବିସ୍ତାର କରାଯିବାର ଯୋଜନା ରହିଛି। ଏହା ଦ୍ୱାରା ଛାତ୍ରଛାତ୍ରୀ ସ୍କୁଲ ଆସିବାକୁ ଆକର୍ଷିତ ହେବା ସହ ଜିଲ୍ଲାର ଶିକ୍ଷାର ବିକାଶ ହେବ ବୋଲି ବେଦାନ୍ତ ପକ୍ଷରୁ କୁହାଯାଇଛି।

Tags: #VedantaAluminium #ArtshalaInitiative #EducationDevelopment #Jharsuguda

 

Comment