ଓଡ଼ିଶାଲାଇଭ୍ ବ୍ୟୁରୋ

ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଦଳୀୟ ନେତା ଏବଂ ବିଧାୟକଙ୍କ ମଧ୍ୟରେ କନ୍ଦଳ ଥିଲେ ମଧ୍ୟ ତାହା ପଦାକୁ ଆସୁନଥିଲା। ଏବେ କିନ୍ତୁ ଖୁଲମ ଖୁଲା ଚାଲିଛି ରାଜନୈତିକ ବୟାନବାଜି।

  • ଅରୁଣଙ୍କ ଆକ୍ଷେପ ଅସ୍ଥିର ସୌମ୍ୟରଞ୍ଜନ
  • “ମନ୍ତ୍ରୀପଦ ନମିଳିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ସୌମ୍ୟ ବାବୁ”
  • ଆତ୍ମ ସମୀକ୍ଷା କରନ୍ତୁ ଅରୁଣ ବାବୁ – ସୌମ୍ୟରଞ୍ଜନ ପଟ୍ଟନାୟକ

(ନୟାଗଡ଼ରୁ ନିଶିକାନ୍ତ ରଥ): ବର୍ତ୍ତମାନ ବିଜେଡିର ଅନ୍ତଃକନ୍ଦଳ ପଦାରେ ପଡ଼ି ହାଟରେ ଗଡ଼ୁଛି। ବିଜେଡି ବିଧାୟକମାନେ ଦଳର ଅନ୍ୟ ବିଧାୟକଙ୍କୁ ସିଧାସଳଖ ସମାଲୋଚନା କରୁଛନ୍ତି, ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

ନୟାଗଡ଼ ବିଧାୟକ ଅରୁଣ କୁମର ସାହୁ ସିଧାସଳଖ ଖଣ୍ଡପଡ଼ାର ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଅରୁଣ କୁମାର ସାହୁଙ୍କୁ ମଧ୍ୟ ପାଲଟା ଜବାବ ଦେଇଛନ୍ତି ସୌମ୍ୟରଞ୍ଜନ।

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଧାୟକ ଅରୁଣ କୁମାର ସାହୁ ଅସ୍ଥିର ଓ ହତାଶ ବ୍ୟକ୍ତି ରୂପେ ଉପସ୍ଥାପନ କରିବା ପ୍ରସଙ୍ଗ ରାଜ୍ୟ ରାଜନୈତିକ ମହଲରେ କମ୍ପନ ସୃଷ୍ଟି କରିଛି।

“ମାନନୀୟ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ କିଛି ଦିନ ହେଲା ବଡ଼ ବିଚଳିତ ଅଛନ୍ତି ଏବଂ ଉଦ୍ଭଟ କଥା ସବୁ କହୁଛନ୍ତି। ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ କରିବା ଏବଂ ନିଜକୁ ଜଣେ ବିରାଟ ସମାଜସେବୀ ଭାବେ ଉପସ୍ଥାପିତ କରିବା, ଏସବୁ ହେଉଛି ତାଙ୍କର ଅସ୍ଥିରତାର ଲକ୍ଷଣ। ମନ୍ତ୍ରୀ ଆଶା କରିଥିଲେ, ମନ୍ତ୍ରୀ ହେବା ତାଙ୍କ ସୌଭାଗ୍ୟରେ ଜୁଟିଲାନି। ତେଣୁ ସେ ହତାଶ ହୋଇ ଅନେକ କଥା କହୁଛନ୍ତି”, କହିଛନ୍ତି ବିଧାୟକ ଅରୁଣ କୁମାର ସାହୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “୪ ବର୍ଷ ୪ ମାସ ଭିତରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ନା ମାଟିର କଥା ବୁଝିଛନ୍ତି, ନା ପାଟିର କଥା ବୁଝିଛନ୍ତି। ସେ କେବଳ ନିଜ କଥା ହିଁ ବୁଝିଛନ୍ତି। ନିଜ ଇଚ୍ଛା ଚରିତାର୍ଥ ନହେଲେ ସେ ବ୍ଲାକ ମେଲ୍ ପନ୍ଥା ଆପଣେଇଥାନ୍ତି।”

ଅରୁଣଙ୍କ ମତ ଓ ମନ୍ତବ୍ୟ ଉପରେ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ, “ଅରୁଣ ବାବୁଙ୍କ ମନ୍ତ୍ରୀ ପଦ ଚାଲିଯିବା ପରେ ସେ ନିଜର ଗୁରୁତ୍ୱ ହରାଇଛନ୍ତି। ତାଙ୍କ ମନ୍ତବ୍ୟ ସମ୍ବାଦ ସମ୍ପାଦକୀୟ ସ୍ତମ୍ଭ ‘ଆତ୍ମ ବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକକୁ ସଠିକ୍ ପ୍ରମାଣିତ କରୁଛି। ସେ ଆତ୍ମସମୀକ୍ଷା କରନ୍ତୁ, ବୁଝିପାରିବେ।”

କେବଳ ଅରୁଣ କୁମାର ସାହୁ ନୁହଁନ୍ତି ବିଜେଡିର ଜଣକ ପରେ ଜଣେ ନେତାଙ୍କ ଟାର୍ଗେଟକୁ ଆସିଛନ୍ତି ସୌମ୍ୟରଞ୍ଜନ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଦଳରେ ରହି ସୌମ୍ୟ ବାବୁ ଦଳକୁ ବ୍ଲାକମେଲ କରୁଛନ୍ତି, ପୂର୍ବରୁ ସେ ଏମିତି ଅନେକ ଥର କରିଛନ୍ତି। ଏହାର ତାଙ୍କର ପୁରୁଣା ଅଭ୍ୟାସ। ତାଙ୍କ ଲେଖାର ପ୍ରଭାବ ଲୋକଙ୍କ ଉପରେ ପଡ଼ିବ ନାହିଁ।”

ଏପଟେ ଶନିବାର ଦିନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପୁଣି ଟାର୍ଗଟେ କରିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ। ସେ କହିଛନ୍ତି, “ଦଳର ଜଣେ ବିଧାୟକ ହୋଇ ଦଳ ଏବଂ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ, ଯାହାକୁ ବ୍ଲାକମେଲ କୁହାଯାଏ। ଉଦ୍ଦେଶ୍ୟମୂଳକ ଭାବେ ଦଳ ବିରୋଧରେ ଲେଖୁଛନ୍ତି। ଦଳ ଛାଡ଼ି, ସମ୍ପାଦକୀୟ ଲେଖନ୍ତୁ।”

ଏବେ ଜଣକ ପରେ ଜଣେ ନେତା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖୋଲାଖୋଲି ସମାଲୋଚନା କରୁଥିବାବେଳେ ସୌମ୍ୟରଞ୍ଜନ ପଟ୍ଟନାୟକ ବି ଚୁପ୍ ରହିନାହାନ୍ତି। ଖୁଲମ ଖୁଲା ଚାଲିଥିବା ସୌମ୍ୟ ବନାମ ବିଜେଡିର ରାଜନୈତିକ ଲଢ଼େଇର ଗତି କେଉଁ ଦିଗକୁ ଯିବ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ।

Tags: #Politics #OdishaPolitics #BJD #PoliticalWar #Odisha

Comment