ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରର ୬ ହଜାର ମିଟର ଗଭୀରତାରେ ବୈଜ୍ଞାନିକ ଅନୁସନ୍ଧାନ କରିବ ଭାରତ।

ଚନ୍ଦ୍ର ଓ ସୂର୍ଯ୍ୟ ମିଶନ ପରେ ଏବେ ଗଭୀର ସମୁଦ୍ରର ରହସ୍ୟ ଜାଣିବା ପାଇଁ ଆଉ ପାଦେ ଆଗେଇଛି ଭାରତ। ସମୁଦ୍ରର ଅନେକ ଗଭୀରରେ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ଭାରତ ଆରମ୍ଭ କରିବାକୁ ଯାଉଛି ‘ମିଶନ ସମୁଦ୍ରଯାନ’। ୨୦୨୬ ମସିହାରେ ଏହି ମିଶନ ଆରମ୍ଭ ହେବାକୁଥିବାବେଳେ ଏବେଠୁ ଏହାର ପରୀକ୍ଷଣ ଆରମ୍ଭ ହୋଇଛି।

ଏହି ସମୁଦ୍ରଯାନ ମିଶନରେ ‘ମତ୍ସ୍ୟ ୬୦୦୦’ ନାମକ ଏକ ଛୋଟ ବୁଡ଼ାଜାହାଜକୁ ବଙ୍ଗୋପସାଗରର ୬ ହଜାର ମିଟର ଗଭୀରକୁ ପଠାଯିବ। ୩ ଜଣ ବୈଜ୍ଞାନିକ ଏଥିରେ ବସି ଗଭୀର ସମୁଦ୍ରକୁ ଯିବାର ଯୋଜନା ରହିଛି।

କ’ଣ ହେବ ଏହି ମିଶନରେ ?

ଏହି ମିଶନରେ ବଙ୍ଗୋପସାଗରର ଗଭୀର ସମୁଦ୍ରରେ ବିଭିନ୍ନ ବୈଜ୍ଞାନିକ ଅନୁସନ୍ଧାନ କରାଯିବ। ଏଥିରେ ସମୁଦ୍ର ପୃଷ୍ଠର ମ୍ୟାପିଂ, ସେଠାରେ ଥିବା ଜୈବ ବିବିଧତା ଏବଂ ଅନେକ ମୁଲ୍ୟବାନ ଧାତୁର ସନ୍ଧାନ କରାଯିବ। ଏଥିପାଇଁ ବୁଡ଼ାଜାହାଜରେ ଅନେକ ବୈଜ୍ଞାନିକ ଉପକରଣ ଓ ସେନ୍ସର ଲଗାଯାଇଛି।

ସେହିପରି ଗଭୀର ସମୁଦ୍ରକୁ ଯାଇପାରୁଥିବା ଏକ ବୁଡ଼ାଜାହାଜର ଜ୍ଞାନକୌଶଳକୁ ଭାରତ ଏହି ମିଶନ ମାଧ୍ୟମରେ ହତେଇବା ଲକ୍ଷ୍ୟରେ ରହିଛି। ଏହାଦ୍ଵାରା ଭବିଷ୍ୟତରେ ଗଭୀର ସମୁଦ୍ର ପର୍ଯ୍ୟଟନ କ୍ଷେତ୍ରରେ ଭାରତ ନିଜ ନାମ ଉଲ୍ଲେଖ କରିପାରିବ।

ମିଶନ ପାଇଁ ପରୀକ୍ଷଣ

‘ମିଶନ ସମୁଦ୍ରଯାନ’ ପାଇଁ ଗତ ୨ ବର୍ଷ ପୂର୍ବେ ବୁଡ଼ାଜହାଜ ‘ମତ୍ସ୍ୟ ୬୦୦୦’ର ନିର୍ମାଣ ଆରମ୍ଭ ହୋଇଥିଲା। ଭାରତର ‘ନାସନାଲ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଓସେନ୍‌ ଟେକ୍ନୋଲୋଜି’ (ନିଓଟ)ର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏହାକୁ ନିର୍ମାଣ କରିଛନ୍ତି। ଏହି ମିଶନ ପାଇଁ ଆର୍ଥିକବର୍ଷ ୨୦୨୦-୨୧ରେ ଭାରତ ସରକାର ୪ ହଜାର ୭୭ କୋଟି ଟଙ୍କା ମଞ୍ଜୁର କରିଥିଲେ।

୨୦୨୪ ଆରମ୍ଭରେ ଚେନ୍ନାଇ ଉପକୂଳରେ ଏହି ବୁଡ଼ାଜହାଜର ବ୍ୟବହାରିକ ପରୀକ୍ଷଣ କରାଯିବ। ପ୍ରଥମେ ଏହାକୁ ୫୦୦ ମିଟର ଗଭୀର ସମୁଦ୍ରକୁ ଛଡ଼ାଯିବ। ଏହାପରେ ଧୀରେ ଧୀରେ ଅନ୍ୟ ପର୍ଯ୍ୟାୟରେ ଏହାକୁ ଆଉ କିଛି ଗଭୀରକୁ ନିଆଯିବ।

ଏହି ସବୁ ପରୀକ୍ଷାରେ ବୁଡ଼ାଯାହାଜର ସୁରକ୍ଷାକୁ ନେଇ ବିଭିନ୍ନ ପାରାମିଟରକୁ ଯାଞ୍ଚ କରାଯିବ। କିଛିଦିନ ତଳେ ‘ଟାଇଟାନିକ୍‌’ ଜାହାଜର ଭଗ୍ନାଂଶ ପରିଦର୍ଶନ କରିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଇଥିବା କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ ସଙ୍କୁଚିତ ହୋଇ ଫାଟିବା ଘଟଣା ପରେ ସମୁଦ୍ରଯାନ ମିଶନ ପାଇଁ ସୁରକ୍ଷାକୁ ଅଧିକ ଗୁରୁତ୍ଵ ଦିଆଯାଉଛି।

ମିଶନର ଆରମ୍ଭ କରିବାର ଉଦ୍ଦେଶ୍ୟ

ଆମ ପୃଥିବୀରେ ୭୦ ଭାଗ ସମୁଦ୍ର ଓ ୩୦ ଭାଗ ସ୍ଥଳ ଥିବା ଆମେ ସମସ୍ତ ଜାଣିଛେ। ହେଲେ ମୋଟ ସମୁଦ୍ରପୃଷ୍ଠର ୯୫ ଭାଗ ଅଞ୍ଚଳ ଏଯାଏଁ ଅଛୁଆଁ ରହିଛି ତାହା ଖୁବ କମ୍ ଲୋକ ଜାଣନ୍ତି। ଏହି ଅଞ୍ଚଳରେ କ’ଣ ଅଛି କେହି ବି ଜାଣି ନାହାନ୍ତି।

ଏଥିପାଇଁ ବିଭିନ୍ନ ଦେଶ ଗଭୀର ସମୁଦ୍ରର ରହସ୍ୟ ଜାଣିବାକୁ ଅନେକ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ପୂର୍ବରୁ ଆମେରିକା, ରୁଷ, ଜାପାନ, ଫ୍ରାନ୍ସ ଓ ଚୀନ ସମୁଦ୍ର ମିଶନ ଆରମ୍ଭ କରିସାରିଛନ୍ତି। ଭାରତ ଏବେ ନିଜର ସମୁଦ୍ର ମିଶନ ଆରମ୍ଭ କରି ଏହି ଦେଶମାନଙ୍କ ଏଲିଟ କ୍ଲବରେ ସାମିଲ ହେବାକୁ ଯୋଜନା ରଖିଛି।

ଭାରତର ୭,୫୦୦ କିଲୋମିଟର ଲମ୍ବର ଏକ ଲମ୍ବା ଉପକୂଳ ରହିଛି। ଦେଶର ୩୦ ପ୍ରତିଶତ ଲୋକ ଏହି ଉପକୂଳ ଅଞ୍ଚଳରେ ରହନ୍ତି। ଏହି ସମୁଦ୍ର ମିଶନରୁ ଯଦି ସଫଳତା ମିଳେ, ତେବେ ଏହାଦ୍ଵାରା ଉପକୂଳ ଅଞ୍ଚଳର ଆହୁରି ବିକାଶ ହେବ ବୋଲି ଆଶା କରାଯାଉଛି।

Tags: #SamudrayaanMission #DeepSeaExploration #ScientificResearch #India

Comment