ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଗତ ୮ ଦିନରେ ୬ଶହରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ। ସଙ୍ଗୀନ ହେଲାଣି ପରିସ୍ଥିତି। ଘରେ ଘରେ ଚିହ୍ନଟ ହେଲେଣି ଡେଙ୍ଗୁ ଆକ୍ରାନ୍ତ। ଗତ ୮ ଦିନରେ ଭୁବନେଶ୍ୱରରେ ୬ଶହରୁ ଅଧିକ ରୋଗୀ ଚିହ୍ନଟ ହେଲେଣି। ଡେଙ୍ଗୁ ମୁକାବିଲା ପାଇଁ ବିଏମ୍‌ସିର ପ୍ରସ୍ତୁତି ଯେମିତି ଫେଲ୍‌ ମାରିଛି। ପ୍ରଚାର ପ୍ରସାରରେ ଯେମିତି ସୀମିତ ରହିଯାଇଛି ଡେଙ୍ଗୁ ମୁକାବିଲା ଅଭିଯାନ। ଆଉ ଏହାର ପରିଣାମ ଭୋଗୁଛନ୍ତି ରାଜଧାନୀବାସୀ।

ସହରର ଡେଙ୍ଗୁ ସ୍ଥିତିର ସମୀକ୍ଷା କରିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ। ଡେଙ୍ଗୁ ସଚେତନତା ପାଇଁ ପ୍ରତ୍ୟେକ ଦିନ ‘ଘର ଘର ସମ୍ପର୍କ ଅଭିଯାନ’ କରିବାକୁ ପୂର୍ବରୁ ଘୋଷଣା ହୋଇଥିଲା। କିନ୍ତୁ ତାହା ନିୟମିତ ହେଉନଥିବା ସମୀକ୍ଷାରୁ ଜଣାପଡ଼ିଥିଲା। ତେଣୁ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏହି ଅଭିଯାନ ନିୟମିତ କରିବାକୁ ନିର୍ଦେଶ ଦେଇଛନ୍ତି କମିଶନର।ଯେଉଁ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି, ସେଠାରେ ନିୟମିତ ଗୋଷ୍ଠୀ ସଚେତନତା କାର୍ଯ୍ୟ ଜାରି ରଖିବାକୁ କହିଛନ୍ତି ବିଏମସି କମିଶନର। ବର୍ତ୍ତମାନ ସୁଦ୍ଧା ଆଚାର୍ଯ୍ୟବିହାର ଅଞ୍ଚଳରେ ଶହେରୁ ଅଧିକ ଆକ୍ରାନ୍ତ ଥିବାବେଳେ ନୂଆପଲ୍ଲୀ ଅଞ୍ଚଳରେ ପ୍ରାୟ ଦେଢ଼ଶହ ଆକ୍ରାନ୍ତ ରହିଛନ୍ତି। ସେହିଭଳି ସହିଦନଗର, ପଟିଆ ଓ ୟୁନିଟ-୯ ଅଞ୍ଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ତେଣୁ ଏସବୁ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ କୁହାଯାଇଛି।

ଡେଙ୍ଗୁ ଓ ପରିମଳକୁ ନେଇ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ବଢ଼ିବାରେ ଲାଗିଛି। ଅଧିକାଂଶ ସ୍ଥାନରେ ବୁଦା କଟା ଯାଉନାହିଁ, ଦୀର୍ଘ ଦିନ ଧରି ଆବର୍ଜନା ରାସ୍ତା ଉପ‌ରେ ପଡ଼ିରହୁଛି, ଅନେକ ଜାଗାରେ ସ୍ୱେରେଜ ଚାମ୍ବରରୁ ଆବର୍ଜନା ପାଣି ବାହାରି ରାସ୍ତାକଡ଼ରେ ଜମା ହୋଇ ରହୁଛି, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

Tags: #bmcbbsr #Mayorbbsr #stopdengue #VijayKulange

Comment