ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଅଞ୍ଚଳରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲର ସୁରକ୍ଷାକର୍ମୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଏତଲା ନରଖିବାରୁ ଗ୍ରାମବାସୀ ପୋଲିସ ଗାଡ଼ି ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଛନ୍ତି।

ଅଭିଯୁକ୍ତ ସୁରକ୍ଷାକର୍ମୀକୁ ପୋଲିସ ଗିରଫ କରିଥିବାବେଳେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ଦିନ ଅଭିଯୁକ୍ତ ସୁରକ୍ଷାକର୍ମୀ ଶିବପ୍ରସାଦ ମିଶ୍ରଙ୍କ ଡାକ୍ତର ମାଇନା କରାଯିବ।

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ସରକାରୀ ଉଚ୍ଚ ମାଧ୍ୟମିକ ବାଳିକା ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ସ୍କୁଲର ସୁରକ୍ଷା କର୍ମୀ ଶିବପ୍ରସାଦ ମିଶ୍ର ଦୁଷ୍କର୍ମ ଉଦ୍ୟମ କରିଥିଲା। ଖବର ପାଇ ସମ୍ପୃକ୍ତ ସ୍କୁଲର ଶିକ୍ଷକ ଅଭିଯୁକ୍ତକୁ କାବୁ କରିବା ସହ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଗ୍ରାମବାସୀ ସ୍କୁଲ ପରିସରରେ ପହଞ୍ଚି ଏହି ଘଟଣା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ପାଟିତୁଣ୍ଡ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ସ୍କୁଲ ପରିସରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା। ରାୟଗଡ଼ା ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।

ଅନ୍ୟ ପକ୍ଷରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଡଙ୍ଗାସିଲ ପାଣ୍ଡିରେ ଏତଲା ଦିଆଯାଇଥିଲା, କିନ୍ତୁ ପୋଲିସ୍ ଏତଲା ଗ୍ରହଣ କରିନିଥିଲା। ଏହାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଫାଣ୍ଡି ପରିସରରେ ଥିବା ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

Tags: #Rayagada #RapeAllegation #SchoolSecurityGuard #MinorGirlStudent

LEAVE A REPLY

Please enter your comment!
Please enter your name here