ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ଉଦିତନଗର ଥାନା ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକ। ଗୁରୁବାର ଦିନ ମୃତ ଆଲିସାଙ୍କ ସ୍ୱାମୀ ପ୍ରେସମିଟ୍ କରି ଏହି ଘଟଣାର ସିବିଆଇ ତଦନ୍ତ ଲାଗି ଦାବି କରିଛନ୍ତି।

ମାଡ଼ ନୁହେଁ, ରୋଗ କାରଣରୁ ଏଏସଆଇ ଆଲିସା ଲୁଗୁନଙ୍କର ହୋଇଥିବା ନେଇ ଅକ୍ଟୋବର ୨୧ ତାରିଖରେ ସୂଚନା ଦେଇଥିଲେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର। ଏସପିଙ୍କର ଏହି ବୟାନକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ମୃତକଙ୍କ ପରିବାର। ପୋଲିସର ତଦନ୍ତ ଉପରେ ଭରସା ନଥିବା କହି ସିବିଆଇ ତଦନ୍ତ ଲାଗି ଦାବି କରିଛନ୍ତି ଆଲିସାଙ୍କ ସ୍ୱାମୀ।

ଆଲିସାଙ୍କର ପୂର୍ବରୁ କୌଣସି ରୋଗ ନଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତ ଆଲିସା ଲୁଗୁନଙ୍କର ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କରୁନାହାନ୍ତି ପରିବାର ଲୋକେ।

ଅକ୍ଟୋବର ୧ ତାରିଖ ସନ୍ଧ୍ୟାରେ ଏକ ଘରୋଇ ବସ୍ କିଛି ଯାତ୍ରୀଙ୍କୁ ଧରି ରାଜଗାଙ୍ଗପୁରରୁ ରାଉରକେଲା ଆସୁଥିଲାବେଳେ ଏସଟିଆଇ ଛକ ନିକଟରେ ଏକ କାରକୁ ଧକ୍କା ଦେଇଥିଲା। ପରେ କାରରେ ବସିଥିବା ଯୁବକଙ୍କର ବସ୍ ଡ୍ରାଇଭର ଓ କଣ୍ଡକ୍ଟର ସହ ପାଟିତୁଣ୍ଡ କରିଥିଲେ। ପରେ କାରରେ ଥିବାର ଯୁବକମାନେ ବସକୁ ଅଟକାଇ ଭଙ୍ଗାରୁଜା କରିଥିଲେ। ଖବର ପାଇ ଉଦିତନଗର ଥାନା ଏଏସଆଇ ଆଲିସା ନରମି ଲୁଗୁନ ଏବଂ କିଛି ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସମୟରେ ହଠାତ ବେହୋସ ହୋଇଯାଇଥିଲେ ଏଏସଆଇ ଆଲିସା।

ଗୁରୁତର ଅବସ୍ଥାରେ ଆଲିସାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଆଲିସା ସୁସ୍ଥ ଥିଲେ ଏବଂ ତାଙ୍କୁ କେହି ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ।

ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଅକ୍ଟୋବର ୩ ତାରିଖରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଉଦିତନଗର ଥାନା ପୋଲିସ।

Tags: #Rourkela #uditnagarasi #AlishaLugundeathcase #CBIInvestigation

Comment