ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ପ୍ରକଳ୍ପର କାମ ଆଉ ପାଦେ ଆଗେଇଛି। ଏଥିରେ ସୋନପୁର ଜିଲ୍ଲାରେ ଗଡ଼ିଛି ଟ୍ରେନ। ଏହି ରେଳଲାଇନରେ ମଙ୍ଗଳବାର ସୋନପୁରରୁ ବଲାଙ୍ଗିରକୁ ସ୍ପିଡ୍ ଟ୍ରାଏଲ୍ କରାଯାଇଛି। ଏଥିରେ ଶୀଘ୍ର ଟ୍ରେନ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର ଭାରତୀୟ ରେଳବାଇର ଦକ୍ଷିଣ ପୂର୍ବ ରେଳ ସୁରକ୍ଷା କମିଶନର (ସିଆରଏସ୍) ବ୍ରିଜେଶ ମିଶ୍ର ସୋନପୁରରେ ରେଳ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଏହାପରେ ନୂଆକରି ହୋଇଥିବା ରେଳଲାଇନରେ ପ୍ରାୟ ଘଣ୍ଟାପ୍ରତି ୧୧୦ କିଲୋମିଟର ବେଗରେ ଟ୍ରେନ ଚଳାଇ ସ୍ପିଡ୍ ଟ୍ରାଏଲ୍ ହୋଇଥିଲା। ଏହି ସମୟରେ ସୋନପୁରରୁ ବଲାଙ୍ଗିର ଯାଏଁ ରେଳ ଲାଇନର ଗୁଣବତ୍ତା ଓ ଅନ୍ୟାନ୍ୟ ସୁରକ୍ଷା ଦିଗଗୁଡ଼ିକ ଉପରେ ନିରୀକ୍ଷଣ କରାଯାଇଥିଲା।
ଏହି ପ୍ରକଳ୍ପରେ ସୋନପୁର ଜିଲ୍ଲାରେ ଷ୍ଟେସନ ଓ ଅନ୍ୟାନ୍ୟ ଛୋଟ ବଡ଼ ବ୍ରିଜ ନିର୍ମାଣ ସରିଛି। ଏବେ ସୋନପୁରରୁ ବଲାଙ୍ଗିରକୁ ଟ୍ରେନ ଚଳାଚଳ କରିବ ବୋଲି କୁହାଯାଇଛି। ଏହା ଦ୍ଵାରା ଜିଲ୍ଲାର ଅନେକ ଲୋକ ଉନ୍ନତ ପରିବହନ ସୁବିଧା ପାଇବେ ବୋଲି ଆଶା କରାଯାଉଛି।
ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ପ୍ରକଳ୍ପ ଅନେକ ବର୍ଷ ହେବ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଏ ଯାଏଁ ପୂରା ହୋଇନାହିଁ। ପ୍ରକଳ୍ପରେ ସୋନପୁର ଜିଲ୍ଲାରେ କାମ ଅନେକ ଦିନଧରି ଅବହେଳିତ ହୋଇ ରହିବାପରେ ୨୦୧୫ରୁ ଏହା ତ୍ୱରାନ୍ୱିତ ହୋଇଥିଲା।
ଅନ୍ୟପଟେ ୩୦୬ କିଲୋମିଟରର ଏହି ରେଳ ପ୍ରକଳ୍ପରେ ଉଭୟ ଖୋର୍ଦ୍ଧାରୋଡ ଓ ବଲାଙ୍ଗିର ପଟରୁ କାମ ଜାରି ରହିଛି। ଏଥିରେ ଖୋର୍ଦ୍ଧାରୋଡରୁ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଯାଏଁ ୧୧୫ କିଲୋମିଟରର ରେଳଲାଇନ ନିର୍ମାଣ ସରିଛି। ଏଥିରେ ଖୋର୍ଦ୍ଧାରୋଡରୁ ନୟାଗଡ଼ ଜିଲ୍ଲାର ନୂଆଗାଁ ଯାଏଁ ଟ୍ରେନ ଚଳାଚଳ କରୁଛି। ଏବେ ବଲାଙ୍ଗିରରୁ ସୋନପୁର ଯାଏଁ ୪୯ କିଲୋମିଟର କାମ ସରିଛି।
Tags: #KhurdaRoad-BalangirRailwayProject #SpeedTrail #TrainServices #Sonepur #Odisha