ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ଦେବା ପାଇଁ ପ୍ରେସକ୍ରିପସନରେ କାରଣ ସ୍ପଷ୍ଟ କରିବେ ଡାକ୍ତର। ସେମାନେ ରୋଗୀଙ୍କୁ ମନଇଚ୍ଛା ଆଣ୍ଟିବାୟୋଟିକ୍ ଦେଇପାରିବେ ନାହିଁ। ଏନେଇ ମେଡିକାଲ କଲେଜ ଓ ସବୁ ଡାକ୍ତରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି ହୋଇପାରିବ ନାହିଁ।

ଆଣ୍ଟିବାୟୋଟିକ୍ସର ବହୁଳ ବ୍ୟବହାର ଯୋଗୁଁ ମଣିଷ ଶରୀରରେ ଖରାପ ପ୍ରଭାବ ପଡ଼ୁଛି। ଏହି ଔଷଧର ଅପବ୍ୟବହାର ରୋକିବା ପାଇଁ ଏହା ଉପରେ କଟକଣା ଲାଗୁ କରିଛନ୍ତି କେନ୍ଦ୍ର ସରକାର। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

“ଆଣ୍ଟିବାୟୋଟିକର ଯୁକ୍ତି ସଂଗତ ବ୍ୟବହାର ହେଉନଥିବାରୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଡାକ୍ତରଙ୍କ ପ୍ରେସକିପସନ ବିନା ଦୋକାନୀ ଔଷଧ ଦେବା କଥା ନୁହେଁ। ଦୀର୍ଘଦିନ ଧରି ଚାଲିଆସୁଥିବା ଏପରି ଅବ୍ୟବସ୍ଥା ଉପରେ ନିୟନ୍ତ୍ରଣ ଆସିବା ଦରକାର। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ”, କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର।

ସେହିପରି ବିନା ପ୍ରେସକ୍ରିପସନରେ କେହି ବି ଆଣ୍ଟିବାୟୋଟିକ୍‌ ବିକ୍ରି କରି ପାରିବେ ନାହିଁ। ଯଦି କୌଣସି ଔଷଧ ବିକ୍ରେତା ଏହାର ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆଇନ ଅନୁସାରେ କାର୍ଯାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।   

Tags: #Antibiotic #Doctors #DrugControl #Medicines #H&FWMinistry #India

Comment