ଓଡ଼ିଶାଲାଇଭ୍ ବ୍ୟୁରୋ

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ସୋମବାର ଦିନ ୪୧ ହଜାର କୋଟି ଟଙ୍କା ମୂଲ୍ୟର ୨ ହଜାରରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ସରକାର।

ଭର୍ଚୁଆଲ ମାଧ୍ୟମରେ ୫୫୪ଟି ରେଳ ଷ୍ଟେସନର ପୁନଃ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ୧୯ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାରେ ଓଡ଼ିଶାକୁ ଗୁରୁତ୍ଵ ଦିଆଯାଇଛି। ଓଡ଼ିଶାର ୨୧ଟି ରେଳ ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ନବୀକରଣ ପ୍ରକଳ୍ପର ଉଦଘାଟନ କରାଯାଇଛି।

ଏହି ଷ୍ଟେସନଗୁଡ଼ିକ ହେଲା ରାୟଗଡ଼ା, ଭଦ୍ରକ, ବାଲେଶ୍ଵର, ଟିଟିଲାଗଡ଼ ଜଙ୍କସନ, କେସିଙ୍ଗା, କୋରାପୁଟ ଜଙ୍କସନ, ସମ୍ବଲପୁର ସିଟି, ଝାରସୁଗୁଡ଼ା ରୋଡ, ଜୟପୁର, ରଘୁନାଥପୁର, ବେଲପାହାଡ଼, ପାରାଦୀପ, ପାନପୋଷ, ବେତନଟି, ତାଳଚେର, ପାରଳାଖେମୁଣ୍ଡି, କେନ୍ଦୁଝରଗଡ଼, ବିମଳାଗଡ଼, ଜରୋଲି, ରାଇରଙ୍ଗପୁର ଓ ବ୍ରଜରାଜ ନଗର।

ଏହା ବ୍ୟତୀତ ୧,୫୦୦ ରୋଡ ଓଭର ବ୍ରିଜ ଓ ଅଣ୍ଡରପାସ୍‌ର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି କେନ୍ଦ୍ର ସରକାର।

ଏହି ଅବସରରେ ଉତ୍ତରପ୍ରଦେଶର ଗୋମତୀନଗର ଷ୍ଟେସନର ମଧ୍ୟ ଉଦଘାଟନ କରାଯାଇଛି। ୩୮୫ କୋଟି ଟଙ୍କା ବ୍ୟୟରେ ଏହାର ପୁନଃବିକାଶ କରାଯାଇଛି।

ଏହି ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିବ। ଏଠାରେ ରୁଫ୍ ପ୍ଲାଜା, ସପିଙ୍ଗ ଜୋନ, ଫୁଡ କୋର୍ଟ, ପିଲାମାନଙ୍କ ଖେଳ ପରିସର ଇତ୍ୟାଦି ରହିବ। ସମ୍ପୃକ୍ତ ଷ୍ଟେସନଗୁଡ଼ିକ ସହରର ଉଭୟ ପାର୍ଶ୍ଵକୁ ମିଶାଇ ସିଟି ସେଣ୍ଟର ଭାବେ କାର୍ଯ୍ୟ କରିବ।

ଏହା ସହିତ ଷ୍ଟେସନଗୁଡ଼ିକରେ ଭିନ୍ନ ଭିନ୍ନ ପ୍ରବେଶ ଓ ପ୍ରସ୍ଥାନ ଦ୍ଵାର, ବହୁସ୍ତରୀୟ ପାର୍କିଙ୍ଗ, ଲିଫ୍ଟ, ଏସ୍କାଲେଟର, ଏକଜିକ୍ୟୁଟିଭ ଲାଉଞ୍ଜ, ପ୍ରତୀକ୍ଷାଳୟ, ଟ୍ରାଭେଲେଟର, ଭିନ୍ନକ୍ଷମମାନଙ୍କ ପାଇଁ ଅନୁକୂଳ ସୁବିଧା ଆଦି ରହିବ।

 Tags: #India #RailIInfrastructureProject #Odisha #RailProjectsInaugurated #PMNarendraModi

Comment