ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବାଙ୍କି ବିଧାନସଭା ଆସନ ଲାଗି ଏଥର ଲଢ଼େଇ ହେବ ଜୋରଦାର। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନୀ ମଇଦାନରେ ହେବ କଡ଼ା ଟକ୍କର।

ବାଙ୍କି ବିଧାନସଭା ଆସନ ଲାଗି ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ହେବାକୁଯାଉଛି ରାଜନୈତିକ ଲଢ଼େଇ। ବିଜେଡି ଦେବୀରଞ୍ଜନ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଥିବାବେଳେ ତୁଷାର ଚକ୍ରବର୍ତ୍ତୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେପି ଏବଂ ଡକ୍ଟର ଦେବାଶିଷ ପଟ୍ଟନାୟକଙ୍କୁ ଏହି ଆସନ ଲାଗି ପ୍ରାର୍ଥୀ କରିଛି କଂଗ୍ରେସ। ଏଥର ତିନି ଦଳର ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନୀ ଲଢ଼େଇ ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି।

ଦେବୀରଞ୍ଜନଙ୍କ ପାଇଁ ଚ୍ୟାଲେଞ୍ଜ ରହିବ

ବାଙ୍କୀ ନିର୍ବାଚନ ମଣ୍ଡଳୀର ତିନୋଟି ଭାଗରେ ତିନି ପ୍ରାର୍ଥୀଙ୍କର ପୃଥକ୍ ପୃଥକ୍ ଦବଦବା ରହିଛି। ତେଣୁ ୨୦୧୯ ତୁଳନାରେ ଦେବୀରଞ୍ଜନ ତ୍ରିପାଠୀଙ୍କ ପାଇଁ ଏଥର ବିଜୟ ଏତେ ସହଜ ହେବ ନାହିଁ ବୋଲି କୁହାଯାଉଛି।
୨୦୧୯ର ଚିତ୍ରପଟ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏବେ ପରିସ୍ଥିତି ପୂରା ବଦଳିଯାଇଛି। ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ‘ବ୍ୟାକଫୁଟ’ ବାଙ୍କୀ ନିର୍ବାଚନକୁ ରୋମାଞ୍ଚକର କରିଥିଲା। ତାଙ୍କ ବଦଳରେ ପୁଅ ଦେବୀରଞ୍ଜନ ତ୍ରିପାଠୀ ପ୍ରଥମଥର ପାଇଁ ବିଜେଡିରୁ ଟିକଟ ପାଇ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଥିଲେ। ବାଙ୍କୀରୁ ଦୂରେଇ ଯାଇଥିବା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିଲା। ବିଜେପିରୁ ଶୁଭ୍ରାଂଶୁ ମୋହନ ପାଢ଼ୀ ମଇଦାନକୁ ଓହ୍ଲାଇବା, ରାଜନୀତିକୁ ରୋଚକ କରିଥିଲା। କିନ୍ତୁ ଭୋଟରଙ୍କ ମୁଡ୍ ବିଜେଡି ସପକ୍ଷରେ ରହିଥିଲା। ୨୪ ହଜାରରୁ ଅଧିକ ଭୋଟରେ ଜିତି ପ୍ରଥମଥର ଲାଗି ବିଧାୟକ ହୋଇଥିଲେ ଦେବୀରଞ୍ଜନ।

ତୁଷାରଙ୍କୁ ଭାରି ପଡ଼ିପାରେ ଦଳୀୟ କନ୍ଦଳ

ଏଥର ବାଙ୍କୀ ନିର୍ବାଚନମଣ୍ଡଳୀର ସ୍ଥିତି ବଦଳିଛି। ୨୦୨୨ ପଞ୍ଚାୟତ ନିର୍ବାଚନରେ କଟକ ଜିଲ୍ଲାର ଏକମାତ୍ର ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଥିବା ବିଜେପି ପ୍ରାର୍ଥୀ ତୁଷାର ଚକ୍ରବର୍ତ୍ତୀ ଏଥର ବିଧାନସଭା ନିର୍ବାଚନକୁ ଓହ୍ଲାଇଛନ୍ତି। ବାରଙ୍ଗରେ ତୁଷାରଙ୍କ ମଜଭୁତ ସଂଗଠନ ରହିଛି। ତେଣୁ ବାରଙ୍ଗ ଅଞ୍ଚଳରେ ଦେବୀରଞ୍ଜନ କିମ୍ବା ଦେବାଶିଷଙ୍କ ପ୍ରବେଶ ଏତେ ସହଜ ହେବନାହିଁ ବୋଲି ରାଜନୈତିକ ଆକଳନ କହୁଛି। ଯଦିଓ ତୁଷାରଙ୍କର ବାଙ୍କୀର ଅନ୍ୟ କ୍ଷେତ୍ରରେ ଲୋକପ୍ରିୟତା ଅପେକ୍ଷାକୃତ କମ୍ ରହିଛି। ଏପଟେ ଦଳୀୟ କନ୍ଦଳ ତୁଷାରଙ୍କ ଲାଗି ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବାର ସମ୍ଭାବନା ମଧ୍ୟ ରହିଛି। ତୁଷାରଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ବାଙ୍କୀର କିଛି ଛାମୁଆ ନେତା ରାଜ୍ୟ ନେତୃମଣ୍ଡଳୀଙ୍କ ପାଖରେ ଫେରାଦ ହୋଇଥିଲେ। ତିନି ପୂର୍ବତନ ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ, ସୁବଳ ବେହେରା ଓ ଅଜୟ ସ୍ୱାଇଁ ପ୍ରମୁଖ ମିଶି ତୁଷାରଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି। ତେଣୁ ଦଳୀୟ କନ୍ଦଳକୁ ମୁକାବିଲା କରିବା ତୁଷାରଙ୍କ ଲାଗି କାଠିକର ପାଠ ହେବ ବୋଲି କୁହାଯାଉଛି।

ଜିତିବା ଆଶାରେ ଦେବାଶିଷ
ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକଙ୍କର ବାଙ୍କିରେ ବେଶ ଲୋକପ୍ରିୟତା ରହିଛି। ୨୦୧୯ ନିର୍ବାଚନ ହାରିବା ପରେ ମଧ୍ୟ ସେ ଲୋକଙ୍କ ସୁଖଦୁଃଖରେ ସେମାନଙ୍କ ପାଖରେ ଛିଡ଼ା ହୋଇଆସୁଛନ୍ତି। ବାଙ୍କୀର କେତେକ ଅଞ୍ଚଳରେ ଦେବାଶିଷଙ୍କ ସଂଗଠନ ଅନ୍ୟ ଦୁଇ ପ୍ରାର୍ଥୀ ଦେବୀରଞ୍ଜନ ଓ ତୁଷାରଙ୍କ ତୁଳନାରେ ମଜଭୁତ ରହିଛି। କିନ୍ତୁ ଦେବାଶିଷଙ୍କ ସାମ୍ନାରେ କଂଗ୍ରେସର ଦ୍ଵିତୀୟ ସଂଗଠନ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହେବ।

ଗତ ବର୍ଷେରୁ ଅଧିକ ସମୟ ଧରି ସ୍ମୃତିରଞ୍ଜନ ଲେଙ୍କା ବାଙ୍କୀରେ ଦ୍ଵିତୀୟ ସମାନ୍ତରାଳ ସଂଗଠନ କରିଛନ୍ତି। ତେଣୁ ଏହି ସଂଗଠନ ସହିତ ଦେବାଶିଷ ଖାପ ଖୁଆଇବା ଏବଂ ପ୍ରମୁଖ ବିରୋଧୀ ବିଜେଡିର ଦୋଷ ଦୁର୍ବଳତାକୁ ପଦାରେ ପକାଇବା ଚ୍ୟାଲେଞ୍ଜିଂ ହେବ।

ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କୁ ବିଜେଡିର ତୃଣମୂଳ ସଂଗଠନ ଓ ଜନକଲ୍ୟାଣକାରୀ ଯୋଜନା ସାହା ହେବ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରିଛନ୍ତି। ଏପଟେ ବାଙ୍କି ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟାକୁ ପ୍ରସଂଗ କରି ବିରୋଧୀ ଆଗକୁ ବଢ଼ିବେ ବୋଲି କୁହାଯାଉଛି। ତେବେ କାହା ଉପରେ ଭରସା କରିବେ ବାଙ୍କୀର ଭୋଟର ଦେଖିବାକୁ ବାକି ରହିଲା।

Tags: #Politics #OdishaPolitics #AssemblyElections2024 #Odisha #BJD #BJP #Congress #BankiAssemblyElection

Comment